ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୪-ସରକାର କାହାକୁ ଚାଳ ଛପର ଓ ମାଟି କାନ୍ଥ ଘରେ ରହିବାକୁ ଦିଆଯିବ ନାହିଁ ବୋଲି ଜୋର୍ ଦେଇ କହୁଥିଲା ବେଳେ ସରକାରୀ ତଦନ୍ତ ଆଳରେ କେଉଁଠି ଗଳିଆ ବାଟ ରହୁଛି କେଜାଣି ଭୁମିହୀନ କିଛି ପରିବାର ଭଙ୍ଗା କୁଡିଆରେ ବର୍ଷ ବର୍ଷ ଧରି ଜୀବନ ବିତାଉଥିବା ବେଳେ ଆବାସ ଯୋଜନା ସେମାନଙ୍କ ପାଇଁ ସାତ ସପନ ପାଲଟିଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ନିକଟ ବଳଭଦ୍ରପୁର ଗ୍ରାମ ପଂଚାୟତ ସୁର୍କାବାଡି ଗ୍ରାମରେ । ୨୫ଗୋଟି ଅନୁସୁଚିତ ଜନଜାତି ପରିବାର ଏହି ସୁର୍କାବାଡି ଗ୍ରାମରେ ବାସ କରନ୍ତି । ସବୁଠାରୁ ଅତି ଗରୀବ ନିରୀହ ଭୁମିହୀନ ହେଉଛନ୍ତି ଓକିଲ ନାୟକ । ସେ ବର୍ଷ ବର୍ଷ ଧରି ଭଙ୍ଗା କୁଡିଆରେ ସପରିବାର ଜୀବନ ବିତାଉଥିଲେ ମଧ୍ୟ ସରକାରୀ ଆବାସ ଯୋଜନାରୁ ବଂଚିତ ହୋଇଥିବା ଜଣା ପଡିଛି ।
ଏ ସମ୍ପର୍କେ ସରପଂଚଙ୍କ ପ୍ରତିନିଧି ବୁଲୁ ପଣ୍ଡାଙ୍କୁ ଯୋଗା ଯୋଗ କରିବାରେ କୁହନ୍ତି ଓକିଲ ନାୟକଙ୍କର ଘର ଡିହ ଜମି ପଟ୍ଟା ନାହିଁ । ତେଣୁ ତାଙ୍କୁ ଆବାସ ଯୋଜନାରେ ସାମିଲ୍ କରାଯାଇ ପାରୁନାହିଁ । ସେହିଭଳି ସୁର୍କାବାଡିର ଅନେକ ପରିବାର ଆବାସ ଯୋଜନାରୁ ବଂଚିତ ହେଉଛନ୍ତି । କାରଣ ଆବାସ ଯୋଜନାରୁ ବଂଚିତ ହୋଇଥିବା ସେହି ପରିବାର ଗୁଡିକ ରହୁଥିବା ଘରଡିହ ହେଉଛି ଠାକୁରଙ୍କ ସମ୍ପତ୍ତି । ଏ ସମ୍ପର୍କେ ରଣପୁର ବିଡିଓ ପଂଚାନନ ପଟ୍ଟାୟତଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ୨୦୧୯ ମସିହାରେ ସର୍ଭେ କରାଯାଇଥିଲା । ଯେଉଁ ମାନଙ୍କର ଘରଡିହ ପଟ୍ଟା ନାହିଁ ସେମାନଙ୍କୁ ତହସିଲ୍ଦାର ଘରଡିହ ପଟ୍ଟା ଯୋଗାଇଦେବେ । ତା ପରେ ସେମାନେ ଆବାସ ଯୋଜନାରେ ସାମିଲ୍ ହେବେ । ତେଣୁ ଏ ସମ୍ପର୍କେ ରଣପୁର ତହସିଲ୍ଦାରଙ୍କ ସହ ଯୋଗା ଯୋଗ କରନ୍ତୁ । ରଣପୁର ତହସିଲ୍ଦାର ସଂଜୟ କୁମାର ସାମନ୍ତରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସେମାନେ ଠାକୁରଙ୍କ ଯାଗାରେ ରହୁଥିବାରୁ ସେହି ଜାଗାର ପଟ୍ଟା ସେମାନଙ୍କୁ ଦିଆଯାଇ ପାରିବ ନାହିଁ । ଏହି ଲକ୍ଡାଉନ୍ ସରିଲା ପରେ ସେହି ଘରଡିହ ପଟ୍ଟାହୀନ ପରିବାର ଗୁଡିକ ଯଦି ଏକ ନମ୍ବର ଫର୍ମରେ ଲିଜ୍ ପାଇଁ ଆବେଦନ କରିବେ ତାହେଲେ ଅନ୍ୟତ୍ର ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଘରଡିହ ପଟ୍ଟା ଯୋଗାଇ ଦିଆଯିବ ।