ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଏପ୍ରିଲ ମାସର ଶେଷ ସୋମବାରରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଚାନ୍ଦବାଲି ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ ଓ ଏସ୍.ପି.ଭଦ୍ରକ ବରୁଣ ଗୁଣ୍ଟୁପାଲ୍ଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୪୩ଟି ଜନାଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଅଭିଯୋଗ ୩୮ଟି ଓ ସାମୂହିକ ସମସ୍ୟା ସମ୍ବନ୍ଧୀୟ ୫ଟି ଅଭିଯୋଗ ଥିଲା । ଜିଲ୍ଲାପାଳ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଏହି ଶିବିରରେ ଯୋଗ ଦେଇନଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଚାନ୍ଦବାଲି ବି.ଡ଼ି.ଓ. ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଜନଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ । ଜିଲ୍ଲା ଓ ଉକ୍ତ ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଶିବିରରେ ଉପସ୍ଥିତ ରହି ଅଭିଯୋଗ ଅନୁଯାୟୀ ଆବଶ୍ୟକ ମତେ ଉତ୍ତର ରଖିଥିଲେ ।