ପୁରୀ, ୧୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦୀର୍ଘ ବର୍ଷ ପରେ ରଥ ଉପରେ ଭୋଗ କରିବା ନେଇ ଚଳିତ ବର୍ଷ ବିଚାର ବିମର୍ଶ ଚାଲିଛି। ବଡୁ ସୁଆର ଓ ଅନ୍ୟାନ୍ୟ ସେବାୟତ ଙ୍କ ସହଯୋଗ ରେ ଚଳିତ ବର୍ଷ ଖଇକୋରା ଭୋଗ ସହ ମାଣ୍ଡୁଅ ଅମାଲୁ ବଡକାକରା ଉଠା କାକରା ମହାପ୍ରସସ୍ଥ ମନୋହର, କାକୁଆ, ମରିଚି ନଡୁ, ତାଟ, ବାବଦ ନୀତି ଓ ବିଭିନ୍ନ ପିଠା ଭୋଗ କରିବାକୁ ଲକ୍ଷ ରହିଛି। ଏପରି ପ୍ରସ୍ତାବ କୁ ଗବେଷକ ଓ ସେବାୟତ ସ୍ୱାଗତ କରିଛନ୍ତି। ଶ୍ରୀ ମନ୍ଦିର ପରମ୍ପରା ଅନୁସାରେ ରଥ ଉପରେ ଭୋଗ ଲଗାଯିବାର ଅନେକ ବିଧି ରହିଛି। ଦୀର୍ଘ ବର୍ଷ ହେବ ବିଭିନ୍ନ କାରଣରୁ ରଥ ଉପରେ ଅନୁଷ୍ଠିତ କରାଯାଉଛି କେବଳ ଖଇକୋରା ଭୋଗ। ଚଳିତ ବର୍ଷ କୋଭିଡ୍-୧୯ କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା କରିବା ନେଇ ଲକ୍ଷ ରଖାଯାଇଥିବା ରୁ ରଥ ଉପରେ ଭୋଗ କରିବା ନେଇ ପ୍ରସ୍ତାବ ଦିଆଯାଇଛି। ରଥ ଉପରେ ବଡୁ ସୁଆର ଦେଉଳ କରଣ ତଡାଉ କରଣ ଆଦି ସେବକ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ବ୍ୟଞନ ପ୍ରସ୍ତୁତ କରାଯାଇ ଭୋଗ ଲାଗି କରିବାକୁ ଶ୍ରୀ ମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ରଥ ଭୋଗ ଚଳିତ ବର୍ଷ ଅନୁଷ୍ଠିତ କରାଗଲେ ଦୀର୍ଘ ୬୦ ବର୍ଷର ବ୍ୟବଧାନ ପରେ ଏହି ଭୋଗ ଲାଗି ହେବ ବୋଲି ଅନୁମାନ କରାଯାଉଛି। ପ୍ରତି ବର୍ଷ ରଥ ଉପରେ ଦୈନଦିନ ନୀତିକାନ୍ତ ଅନୁଷ୍ଠିତ ହେବା ସହ ଗୋପାଳ ବଲ୍ଲଭ ସକାଳ ଧୂପ ଦ୍ୱିପହର ଧୂପ ଓ ସଂନ୍ଧ୍ୟା ଧୂପ ନୀତି ମଧ୍ୟ କରାଯାଇଥାଏ। ଏହି ସମୟରେ ଲାଗୁଥିବା ଭୋଗ ଖଇକୋରା ମଧ୍ୟରେ ଦୀର୍ଘ ବର୍ଷ ଧରି ସୀମୀତ ହୋଇ ରହିଛି। ଅତ୍ୟଧିକ ଗହଳି ଯୋଗୁଁ ରଥ ଉପରେ ଭୋଗ ସମ୍ଭବ ପର ହୋଇନଥାଏ। ପରମ୍ପରା ଅନୁସାରେ ରଥ ଉପରେ ଅନେକ ପ୍ରକାର ଭୋଗ କରିବାର ବିଧି ବ୍ୟବସ୍ଥା ରହିଥିବା ବେଳେ ଏହା କରାଯାଇ ପାରିଲେ ଅତ୍ୟନ୍ତ ଶୁଭ ଏବଂ ପ୍ରଶଂସନୀୟ ହେବ ବୋଲି ଗବେଷକ ମତ ଦେଇଛନ୍ତି। ନବକଳେବର ସମୟରେ ଏପ୍ରକାର ରଥ ଭୋଗ କରିବା ନେଇ ଉଦ୍ୟମ କରାଯାଇଥିବା ବେଳେ ତାହା ସଫଳ ହୋଇପାରି ନଥିଲା।








