Home ଜିଲ୍ଲା ପରିକ୍ରମା ଚଳିତ ଧାମନଗର ବନ୍ୟା ସ୍ରୋତରେ ଭାସି ୨ ଜଣଙ୍କ ମୃତ୍ୟୁ

ଚଳିତ ଧାମନଗର ବନ୍ୟା ସ୍ରୋତରେ ଭାସି ୨ ଜଣଙ୍କ ମୃତ୍ୟୁ

8

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗରରେ ଚଳିତବର୍ଷର ପ୍ରଥମ ବନ୍ୟା ଆସି ନାହିଁ ନଥିବା କ୍ଷତି ଘଟାଇଥିବାବେଳେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇଛି । ଉପର ମୁଣ୍ଡରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ତଳିଆ ଅଂଚଳରେ ବନ୍ୟା ପାଣି ଛାଡିନାହିଁ । ଏବେବି ଭଗତପୁର-ପଧାନୀ, ଧାମନଗର-ଫଳପୁର, କୋଠାର-ଧୁଷୁର, ହସନାବାଦ-ଗୋପବନ୍ଧୁନଗର, ଅର୍ଜୁନପୁର-ବାଲିପାଟଣା ଭଳି ମୁଖ୍ୟ ରାସ୍ତାଗୁଡିକ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଚାରିଦିନ ହେବ ତଳିଆ ଅଂଚଳର ବନ୍ୟା ବିପନ୍ନମାନେ ନଦୀବନ୍ଧ ଉପରେ ପାଲ ବାନ୍ଧି ଗୋରୁ-ଗାଈ ସହ ଓପାସ ଭୋକରେ ରହିଛନ୍ତି । ତେବେ ଚଳିତ ବନ୍ୟା ଏ ଅଂଚଳର ଦୁଇଜଣଙ୍କ ଜୀବନ ନେଇଛି । ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳକ ଥିବାବେଳେ ଅନ୍ୟ ଜଣେ ୭୦ ବର୍ଷିୟା ବୃଦ୍ଧା । ଗୁରୁବାର ଦିନ ଏହି ବ୍ଲକ୍ ଖଡିପଦା ପଂଚାୟତ କାଂଜିଆପାଳ ଗ୍ରାମର ସୁଜୟ ଦାସଙ୍କ ପୁଅ ଆକାଶ ସ୍ଥାନୀୟ ଗାଇଛନ୍ଦ ନିକଟରେ ବନ୍ୟା ଦେଖିବାକୁ ଯାଇ ବନ୍ୟା ସ୍ରୋତରେ ଭାସି ନିଖୋଜ ହୋଇଯାଇଥିଲେ । ଆଜି ତାଙ୍କର ମର ଦେହ ଭାସୁଥିବା ଅବସ୍ଥାରେ ଲୋଖେ ଉଦ୍ଧାର କରିଛନ୍ତି । ସେହିପରି କରଦା ପଂଚାୟତ ସୁଜାଣସିଂହପୁର ଗ୍ରାମର ପହଲି ପାତ୍ରଙ୍କ ପତ୍ନୀ ରେବତୀ ବନ୍ୟା ପାଣିରେ ଭାସି ମୃତ୍ୟୁ ଘଟିଥିବା ବିଷୟ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେ ଗତକାଲି ବିଳମ୍ବିତ ରାତିରେ ଶୌଚ ପାଇଁ ଯାଇ ବନ୍ୟାରେ ଗୋଡ ଖସିଯିବାରୁ ମୃତ୍ୟୁବରଣ କରିଥିବା ବିଷୟ ଜଣାପଡିଛି । ଆଜି ସକାଳେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପାତ୍ରସାହି ମେଳଣ ପଡିଆ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ପୁଲିସ୍ ଶବ ଦୁଇଟିକୁ ଜବତ କରି ଭଦ୍ରକକୁ ବ୍ୟବଚ୍ଛେଦ ପଠାଇବା ସହ ୨ଟି ଅପମୃତ୍ୟୁ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.