ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଷ୍ଠା, ସାଧନା ଓ ଧୈର୍ଯ୍ୟ ବଳରେ ପଙ୍ଗୁ ବି ପର୍ବତ ଆରୋହଣ କରିପାରେ ଏବଂ ଦୁନିଆର ସବୁ ଅସମ୍ଭବକୁ ସମ୍ଭବ କରିପାରେ ବୋଲି ଚରମ୍ପା ଆଇ.ଟି.ଆଇ.ର ଛାତ୍ର ଶ୍ରୀ ରମାକାନ୍ତ ସେଠୀ ଜାତୀୟ ବ୍ୟାଡ୍ମିଣ୍ଟନ ଚମ୍ପିୟନସିପ୍ ପାଇଁ ମନୋନୀତ ହୋଇଥିବାରୁ ଆଇ.ଟି.ଆଇ. ଚରମ୍ପା ଏବଂ ରୋଟାରୀ ମିଡ଼ଟାଉନ୍ କ୍ଲବ୍ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ଅବସରରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଶ୍ରୀ ସେଠୀ ଏକ ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରି ନିଜ ଉଦ୍ୟମ ଓ ଅଧ୍ୟବସାୟ ବଳରେ ଜାତୀୟ ସ୍ତରରେ ବ୍ୟାଡ୍ମିଣ୍ଟନ ଖେଳିବା ପାଇଁ ମନୋନୀତ ହେବା ଭଦ୍ରକ ଜିଲ୍ଲା ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ରାଜସ୍ଥାନରେ ଏପ୍ରିଲ୍ ୪ ତାରିଖରେ ଆୟୋଜିତ ହେବାକୁ ଥିବା ଜାତୀୟ ବ୍ୟାଡ୍ମିଣ୍ଟନ୍ ଚମ୍ପିୟନସିପ୍ ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟ ତରଫରୁ ଚୟନ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଶ୍ରୀ ସେଠୀ ଭଦ୍ରକ ଜିଲାରୁ ଏକମାତ୍ର ଖେଳାଳୀ ଅଟନ୍ତି । ଆଇ.ଟି.ଆଇ. ଚରମ୍ପାର ଛାତ୍ର ହିସାବରେ ସେ ଜଣେ ମେଧାବୀ ତଥା କୁଶଳୀ ଟେକ୍ନିସିଆନ୍ । ଆଇ.ଟି.ଆଇ. ଚରମ୍ପାର ଚେୟାରମ୍ୟାନ୍ ତଥା ରୋଟାରୀ ମିଡ୍ଟାଉନ୍ କ୍ଲବ୍ର ପ୍ରେସିଡେଣ୍ଟ ଇଂ ଅମିତ୍ କୁମାର ମଲ୍ଲିକ ତାଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ଅର୍ଥରାଶି ସହ ସମ୍ବର୍ଦ୍ଧିତ କରିବା ଅବସରରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ତାଙ୍କ ପ୍ରତିଭାର ଉପଯୁକ୍ତ ବିକାଶ ପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି । ଶ୍ରୀ ସେଠୀଙ୍କୁ ୯୭୭୬୩୬୪୨୪୮ ଫୋନ୍ ନମ୍ବରରେ ଯୋଗାଯୋଗ କରିପାରିବେ ।








