Home ଜିଲ୍ଲା ପରିକ୍ରମା ଚନ୍ଦନ ହତ୍ୟାକାଣ୍ଡ ମାମଲା, ୧୦ବର୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଖୋଲିଲା ଫାଇଲ

ଚନ୍ଦନ ହତ୍ୟାକାଣ୍ଡ ମାମଲା, ୧୦ବର୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଖୋଲିଲା ଫାଇଲ

25

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗୁଆମାଳ ଗ୍ରାମର ଚନ୍ଦନ ମିଶ୍ର ନାମକ ଜଣେ ଯୁବକଙ୍କୁ ୧୦ତଳେ ହତ୍ୟା କରାଯାଇଥିବା ନେଇ ସେତେବେଳେ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଥିଲା । ହତ୍ୟାକାଣ୍ଡ ଘଟଣାର ୧୦ ବର୍ଷ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପୁଣିଥରେ ହତ୍ୟାକାଣ୍ଡର ଫାଇଲ ଖୋଲିଥିବା ଜଣାଯାଇଛି । ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି ଗତ ୧୪ତାରିଖରେ ହତ୍ୟାକାଣ୍ଡ ସ୍ଥଳ ଚାନ୍ଦବାଲିର ବନମାଳୀ ଗେଷ୍ଟ ହାଉସକୁ ଯାଇ ଘଟଣାର ତଦନ୍ତ କରିଛନ୍ତି । ଏହି ତଦନ୍ତ ପରେ ମୃତକଙ୍କ ପରିବାରବର୍ଗ ନ୍ୟାୟ ପାଇବାକୁ ଆଶାବାଦୀ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ ଗତ ୩.୧୧.୨୦୧୪ତାରିଖରେ କେତେକ ବ୍ୟକ୍ତି ଚନ୍ଦନଙ୍କୁ ଚାନ୍ଦବାଲି ଥାନା ଅଧୀନ ଉଗ୍ରତରା ଗ୍ରାମକୁ ନେଇଯାଇଥିଲେ । ସେମାନେ ଚନ୍ଦନଙ୍କୁ ନିସ୍ତୁକ ମାଡ ମାରି ମୁମୂର୍ଷୁ ଅବସ୍ଥାରେ ବନମାଳୀ ଗେଷ୍ଟହାଉସକୁ ନେଇଯାଇଥିଲେ । ସେଠାରେ ସେମାନେ ଚନ୍ଦନଙ୍କୁ ବଳପୂର୍ବକ ବିଷ ପିଆଇ ହତ୍ୟା କରିବା ପରେ ଚାନ୍ଦବାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଦେଇଥିଲେ ଏବଂ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ ।

ଚନ୍ଦନଙ୍କ ବାପା ଜୟକୃଷ୍ଣ ଏ ସମ୍ପର୍କରେ ଚାନ୍ଦବାଲି ଥାନାରେ ଏତଲା ଦେଇଥିଲେ ମଧ୍ୟ ତତକାଳୀନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ନିରୁପାୟ ହୋଇ ଜୟକୃଷ୍ଣ ମୁଖ୍ୟମନ୍ତ୍ରୀ, ଡିଜିଙ୍କ ଠାରୁ ଆରମ୍ଭ କରି ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୫ରେ ଚାନ୍ଦବାଲି ଥାନାରେ ନୂତନ ଅଧିକାରୀ ଯୋଗଦେବା ପରେ ଏହି ଘଟଣାର ତଦନ୍ତ କରିବା ସହ ଚାନ୍ଦବାଲିର ବିଶ୍ୱନାଥ ସୂତାର ଏବଂ ଉଗ୍ରତରା ଗ୍ରାମର ସୁରେଶ କୁମାର ପତି ଓ ତାଙ୍କ ଝିଅ ନାଁରେ ଏକ ହତ୍ୟା ମକଦ୍ଦମା(୨୨୬/୧୫) ରୁଜୁ କରିଥିଲେ । ତେବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବାରୁ ଜୟକୃଷ୍ଣ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେ ଗୃହ ବିଭାଗ ସଚିବ, ଡିଜି, ଏସପି, ଚାନ୍ଦବାଲି ଥାନା ଆଇଆଇସି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରି ଏକ ମକଦ୍ଦମା ସିଆରଏଲଏମପି ନଂ ୧୫୦୭/୨୨ ରୁଜୁ କରିଥିଲେ । ହାଇକୋର୍ଟ ଏହାର ବିଚାର କରିବାପରେ ଘଟଣାର ପୋଲିସ ଠିକରୂପେ ତଦନ୍ତ କରିନଥିବା ହୃଦବୋଧ କରିବା ସହ ଚାନ୍ଦବାଲି ଆଇଆଇସିଙ୍କ ଠାରୁ ତଦନ୍ତ ଭାର ନେଇ ଘଟଣାର ଯଥାଶିଘ୍ର ତଦନ୍ତ ଶେଷ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ଏସପି ଶ୍ରୀ ଗୁଣ୍ଟୁପାଲି ଏହାର ତଦନ୍ତ କରିଥିବା ବେଳେ ତଦନ୍ତ ସମୟରେ ଜୟକୃଷ୍ଣଙ୍କ ସମେତ ଗୁଆମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ତେବେ ହତ୍ୟା ଘଟଣାର ଦୀର୍ଘ ୧୦ବର୍ଷ ପରେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.