Home ଜିଲ୍ଲା ପରିକ୍ରମା ଘାସମରା ଔଷଧ ପାରାକ୍ୱାଟ୍‌ର ବିକ୍ରୟ ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଗଲା

ଘାସମରା ଔଷଧ ପାରାକ୍ୱାଟ୍‌ର ବିକ୍ରୟ ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଗଲା

38

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘାସମରା ଔଷଧ ପାରାକ୍ୱାଟ୍‌ର ସେବନ ଓ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ନେଇ କୃଷି ଓ କୃଷକ ଓଡ଼ିଶା ସଶକ୍ତ କରଣ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି ପରେ ଯଥାଶୀଘ୍ର ଏହାର ଅନୁପାଳନ ପାଇଁ ଭଦ୍ରକ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜୁମ୍ ଜରିଆରେ ଏ ନେଇ ଆୟୋଜିତ ଜିଲ୍ଲା ସ୍ତରୀୟ ବୈଠକରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଯୋଗଦେଇ ଏହି ତୃଣନାଶକ ଔଷଧର ସାଂଘାତିକ କୁ ପ୍ରଭାବ ଓ ତା’ର ବ୍ୟବହାର, ବିକ୍ରୟ ବନ୍ଦ କରିବାନେଇ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ମୋ ସରକାର ରୁ ଆସୁଥିବା ମତାମତ ଆଧାରରେ ଏହି ପାରାକ୍ୱାଟ୍ ଔଷଧ ଟି କେବଳ ତୃଣ ବା ଉଦ୍ଭିଦକୁ ମାରୁ ନାହିଁ ଏହାର ସଂସ୍ପର୍ଷରେ ଆସିଲେ ମଣିଷ ଓ ପ୍ରାଣୀ ଶରୀରରେ ଏହାର କୁପ୍ରଭାବ ପଡ଼ିଥାଏ ।

ପରବର୍ତ୍ତି ସମୟରେ ଏହାର ପ୍ରତିକ୍ରିୟା ପରିଲକ୍ଷିତ ହେବାସହ ଯକୃତ, ବୃକକ୍ ଓ ଖାଦ୍ୟ ନଳୀ ନଷ୍ଟ ହେବାର ସମ୍ଭାବନା ଥାଏ ଯାହାଦ୍ୱାରା ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ । ଏଣୁ ସାର୍ବଜନିନ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ଏହି ପାରାକ୍ୱାଟ୍ ବିକ୍ରୀ ଓ ବ୍ୟବହାରକୁ ପ୍ରାଥମିକ ଭାବେ ଦୁଇମାସ ପାଇଁ ନିସିଦ୍ଧ କରାଯାଇଅଛି । ଏହି ବୈଠକରେ ଯୋଡ଼ି ହୋଇଥିବା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ଓ ଜିଲ୍ଲାର ସମସ୍ତ ସମ୍ପୃକ୍ତ ଡିଲର ମାନଙ୍କ ସଚେତନତା ଓ ଆଇନର କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ ସହଯୋଗ ପାଇଁ ଜିଲ୍ଲାପାଳ ଅନୁରୋଧ କରିବା ସହିତ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଡିଲର ମାନଙ୍କ ପାଖରେ ଥିବା ଔଷଧକୁ ନିର୍ମାଣକାରୀ ସଂସ୍ଥାକୁ ଫେରାଇ ଦେବାକୁ କିମ୍ବା ବୈଜ୍ଞାନିକ ପଦ୍ଧତିରେ ନଷ୍ଟ କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏ ଦିଗରେ ଏସ୍‌.ପିଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ମତେ ସଂପୃକ୍ତ ଥାନାର ଆଇ.ଆଇ.ସି. ମାନଙ୍କ ସହଯୋଗରେ ବ୍ଲକ ଓ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ଼ ଦ୍ୱାରା କଡ଼ାକଡ଼ି ଧରପଗଡ଼ କରାଯାଇ ସରକାରୀ ନିର୍ଦ୍ଦେଶକୁ ୧୦୦% ଅନୁପାଳନ କରାଯିବ । ଏହି ଆଇନ୍ ଆବମାନନା ଅପରାଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଡିଲରମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.