ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯଦି କୌଣସି ଘରୋଇ ସଂସ୍ଥା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଆଗଭର ହେବେ, ତେବେ ବରପଦା ସ୍କୁଲ ଅଫ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲଜି(ବିଏସଇଟି) ସୋସାଇଟି ଜମି ଓ ଭିତ୍ତିଭୂମୀ ଯୋଗାଇ ଦେବ। ଆଜି ଥାନା ଛକ ନିକଟସ୍ଥ ବାସଭବନରେ ଏକ ବଂଧୁମିଳନ କାର୍ଯ୍ୟକ୍ରମରେ ସୋସାଇଟିର ସଭାପତି ତଥା ବିଜେଡି ରାଜ୍ୟ ସଂପାଦକ ଇଂ ପ୍ରୟାସକାନ୍ତୀ ସାମଲ ଏହି କଥା କହିଛନ୍ତି। ଇଂ ସାମଲ କହିଥିଲେ ଯେ ବରପଦାସ୍ଥିତ ବି.ଏସ.ଇ.ଟି. ଓ ବି.ଆଇ.ଇ.ଟି.(ଭଦ୍ରକ ଇନଷ୍ଟିଚ୍ୟୁଟ୍ ଅଫ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲଜି) ରାଜ୍ୟର ଏକ ପ୍ରମୁଖ ପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନ। ଏଠାରେ ପୂର୍ବରୁ ବହୁ ସଂଖ୍ୟକ ଛାତ୍ର ପାଠ ପଢ଼ି ଦେଶ ତଥା ଦେଶ ବାହାରେ ବହୁ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ। ବର୍ତ୍ତମାନ ମଧ୍ୟ ପାଖାପାଖି ୩ ହାଜର ଛାତ୍ରଛାତ୍ରୀ ଡିଗ୍ରୀ, ଡିପ୍ଲୋମା, ଏମବିଏ ଓ ଆଇଟିଆଇ ବିଭାଗରେ ଅଧ୍ୟୟନରତ। ଉକ୍ତ ଅନୁଷ୍ଠାନ ପ୍ରତି ଭଦ୍ରକବାସୀଙ୍କ ଭଲପାଇବା ରହିଛି। ନିକଟରେ କେତେକ ନିର୍ମାଣ କାର୍ଯ୍ୟ ପାଇଁ ଭଦ୍ରକ ବିଧାୟକ ୧୦ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି। କିନ୍ତୁ ଅନୁଷ୍ଠାନର ଆର୍ଥୀକ ଅବସ୍ଥା ସେପରି ସ୍ୱଛଳ ନୁହେଁ।
ଉକ୍ତ ଅନୁଷ୍ଠାନରେ ରହି କେତେକ କର୍ମଚାରୀ କଲେଜ ସ୍ୱାର୍ଥରେ ବାଧା ସୃଷ୍ଟି କରୁଛନ୍ତି ଯାହାକି ଶିକ୍ଷାନୁଷ୍ଠାନର ସୁନାମରେ ଆଞ୍ଚ ଆଣୁଛି। ସେମାନେ ନାମ ଲେଖା ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଯାହାକି ଉଭୟ ବିଦ୍ୟାର୍ଥୀ ଓ କର୍ମଚାରୀଙ୍କ ସ୍ୱାର୍ଥର ପରିପନ୍ଥି। ଏହି ଅନୁଷ୍ଠାନର ଯଥେଷ୍ଟ ଭିତ୍ତିଭୂମୀ ରହିଛି। ସୋସାଇଟି ନିକଟରେ ଶହେ ଏକର ଜମିରୁ ଉର୍ଦ୍ଧ୍ୱ ରହିଛି। ତଥାପି ମୁଖ୍ୟମନ୍ତ୍ରୀ ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନିଶ୍ଚତ ଭାବେ କରିବେ। ଏହା ସତ୍ତ୍ୱେ ଏହି ଜମିରେ ଯଦି କୌଣସି ବଡ଼ ସଂସ୍ଥା ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଆଗ୍ରହୀ ହେବେ, ଭଦ୍ରକବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସୋସାଇଟି ଏଥି ନିମନ୍ତେ ଜମି ଓ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ସାମଲ କହିଛନ୍ତି। ଫଳରେ ଭଦ୍ରକବାସୀ ଉଚ୍ଚ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ଓ ବହୁ ପରିମାଣରେ କର୍ମନିଯୁକ୍ତି ମଧ୍ୟ ସୃଷ୍ଟି ହୋଇ ପାରିବ। ଏହି ବଂଧୁମିଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋସାଇଟିର ସଂପାଦକ ମିହିର ମହାନ୍ତି, ଡିଗ୍ରୀ ବିଭାଗର ଅଧ୍ୟକ୍ଷ ପ୍ର. ମୋହନ ଚନ୍ଦ୍ର ପଣ୍ଡା, ଡ଼ିପ୍ଲୋମା ବିଭାଗର ଅଧ୍ୟକ୍ଷ ପ୍ର. ଗଙ୍ଗାଧର ଧଳ, ସୋସାଇଟିର କାର୍ଯ୍ୟକାରୀ ସଦସ୍ୟ ପ୍ରବୀର ଜେନା, ଇଂ.ପ୍ରିୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଇଂ. ସାମଲଙ୍କ ଏପରି ଘୋଷଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।