Home ଜିଲ୍ଲା ପରିକ୍ରମା ଘରବାଡିର ମାଲିକାନା ସତ୍ୱ ଥାଇ ଜୀବନ ବିତୁଛି ପଲିଥିନ୍ ତଳେ , ନ୍ୟାୟ ପାଇଁ ପରିବାର...

ଘରବାଡିର ମାଲିକାନା ସତ୍ୱ ଥାଇ ଜୀବନ ବିତୁଛି ପଲିଥିନ୍ ତଳେ , ନ୍ୟାୟ ପାଇଁ ପରିବାର ଲୋକଙ୍କ ଗଣଧାରଣା

57

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଲିସ୍‌ର ନିଷ୍କ୍ରିୟତା ଯୋଗୁଁ ଜମିବାଡି ଜନିତ ମାଲିକାନା ସତ୍ୱକୁ ନେଇ ଉପୁଜିଥିବା ବିବାଦର କରୁଣ ପରିଣତି ଏବେ ଗୋଟିଏ ପରିବାରର ୧୫ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଘରବାଡି ଥାଇ ପଲିଥିନ୍ ତଳେ ରହିବାକୁ ବାଧ୍ୟ କରିଛି । ଫଳରେ ଛୋଟ ଛୋଟ ପିଲାଙ୍କ ସହ ସମସ୍ତ ମହିଳା ଓ ପୁରୁଷ ଏବେ ନ୍ୟାୟ ନପାଇ ପୂର୍ବ ଘୋଷଣା ମତେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ଏହି ଗଣଧାରଣାର ଖବର ପାଇ ଜିଲା ପ୍ରଶାସନର ହସ୍ତକ୍ଷେପରେ ଭଦ୍ରକ ସହରାଞ୍ଚଳ ଥାନା ଓ ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ସେମାନଙ୍କୁ ବୁଝାସୁଝା କରି ଆଇନ୍ କାନୁନ୍‌ରେ ନ୍ୟାୟ ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦେବାପରେ ଉକ୍ତ ଗଣଧାରଣା ପ୍ରତ୍ୟାହୃତ ହୋଇଛି । ଭଦ୍ରକ ଜିଲାପାଳଙ୍କ ସମେତ ଗ୍ରାମାଞ୍ଚଳ ଥାନା ଅଧିକାରୀ, ଭଦ୍ରକ ତହସିଲଦାର, ଜିଲା ଆରକ୍ଷୀ ଅଧିକ୍ଷକ, ଏସ୍‌ଡିପିଓ, ସ୍ପେଶାଲ ବ୍ରାଞ୍ଚ ଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗୁଜିଦରଡା ନିବାସୀ ଖଇରିଜାନ ବିବି ନିଜର ପରିବାର ସହ ତାଙ୍କ ସ୍ୱାମୀ ହାକିମୁଦ୍ଦିନ୍ ତାଙ୍କ ନାମରେ କରିଦେଇଯାଇଥିବା ପୈତୃକ ଓ ଶ୍ୱଶୁରଘର ସଂପତ୍ତି ଭୋଗ କରିଆସୁଥିଲେ । ସେମାନେ ଉକ୍ତ ଘରବାଡି ଓ ବାସଗୃହର ପଟ୍ଟା ପାଉତି ମୂଳେ ପାଇଥିବା ମାଲିକାନା ସତ୍ୱ ପାଇ ସପରିବାର ରହିଆସୁଥିବାବେଳେ କିଛିଦିନ ପାଇଁ ଘରେ ଚାବି ଦେଇ ବାହାରକୁ ଯାଇଥିଲେ । ମାତ୍ର ସେମାନେ ଘରକୁ ଫେରିବା ପରେ ତାଙ୍କର ସଂପର୍କୀୟ ସେକ୍ ଅନୱରଙ୍କ ପତ୍ନୀ ଆଫ୍ରୋଜା ବିବି, ସେକ୍ କାଲୋଙ୍କ ପତ୍ନୀ ସୁରତନ ବିବି ଓ ସେକ୍ ସେଖାୱତଙ୍କ ପତ୍ନୀ ମିନା ପରୱିନ୍ ଘରର ଚାବି ଭାଙ୍ଗି ନିଜ ଦଖଲକୁ ନେଇଯାଇଥିଲେ । ଫଳରେ ଉକ୍ତ ଜବରଦଖଲକୁ ନେଇ ସେ ଗୁଜିଦରଡା ଫାଣ୍ଡିରେ ୨ୟ ପକ୍ଷଙ୍କ ନାମରେ ଅଭିଯୋଗ କରିବା ପରେ ପୁଲିସ୍ ପକ୍ଷରୁ ସମସ୍ତ କବଲା ଓ ପଟ୍ଟା ପାଉତି ମୂଳେ ମାଲିକାନା ସତ୍ୱ ଖଇରିଜାନ ବିବିଙ୍କର ଥିବାର ଜାଣି ଦ୍ୱିତୀୟ ପକ୍ଷଙ୍କୁ ଘରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଦ୍ୱିତୀୟ ପକ୍ଷ ପୁଲିସ୍‌ର ନିର୍ଦ୍ଦେଶକୁ ନମାନି ପ୍ରଥମପକ୍ଷଙ୍କୁ ମାରଧର କରିବା ସହ ବାହାର ଅସାମାଜିକ ଲୋକଙ୍କୁ ଲଗାଇ ଭୟଭୀତ କରାଇଥିଲେ । ଫଳରେ ପ୍ରଥମ ପକ୍ଷ ବାର ଶୁଣ୍ଢି ପିଣ୍ଡା ହୋଇ ପଲିଥିନ୍ ତଳେ ଜୀବନ ଯାପନ କରୁଛନ୍ତି । ଏହି ବିଷୟରେ ନିର୍ଯ୍ୟାତିତ ପରିବାର ଲୋକେ ଜିଲାପାଳଙ୍କ ସମେତ ତହସିଲଦାର ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଦେଢମାସ ମଧ୍ୟରେ କୌଣସି ନ୍ୟାୟ ମିଳିପାରିନଥିଲା । ଯେଉଁଥିପାଇଁ ବାଧ୍ୟହୋଇ ଏହି ପରିବାରର ସମସ୍ତ ମହିଳା, ପୁରୁଷ ଓ ଛୋଟ ପିଲା ଆଜି ପୂର୍ବ ଘୋଷଣା ମତେ ସପରିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.