Odiapua.com

ଘନଘନ ଭିଡିଓ କନଫରେନ୍ସିଂ; ପିଏମ୍ ଆଉ ସିଏମଙ୍କ ଠାରୁ ଆଗରେ ଏମାନେ ..

ଭୁବନେଶ୍ୱର: କରୋନା ମୁକାବିଲା ଦିଗରେ ସତେ ଯେପରି ବଡ଼ ପଦକ୍ଷେପ ବୋଧେ ଭିଡିଓ କନଫରେନ୍ସିଂ! ବିଶେଷ କରି ଓଡ଼ିଶା ବିଜେପି ନେତାନେତ୍ରୀ ମାନଙ୍କର ପଦକ୍ଷେପରୁ ଏପରି କିଛି ଅନୁଭବ ହେଉଛି। ଓଡ଼ିଶା ବିଜେପି ନେତାନେତ୍ରୀ ପରସ୍ପର ମଧ୍ୟରେ ଘନଘନ ଭିଡିଓ କନଫରେନ୍ସିଂ ମିଟିଂ କରୁଛନ୍ତି। ଏପରିକି ଭିଡିଓ କନଫରେନ୍ସିଂ କରିବାରେ ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇ ଦେଇଛନ୍ତି। କେବଳ ସେତିକି ନୁହଁ, ଭିଡିଓ କନଫରେନ୍ସିଂ କରିବା ପରେ ତାର ସ୍କ୍ରିନସର୍ଟ କାଢ଼ି ଏମାନେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ସତେ ଯେପରି ଏମାନଙ୍କ ଭିଡିଓ କନଫରେନ୍ସିଂ ଦ୍ୱାରା କରୋନା ମୁକାବିଲା ହୋଇଯିବ! କାମ କମ୍ କଥା ଅଧିକ। କରୋନା ମୁକାବିଲା ଦିଗରେ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (WHO), କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମୟ ଅନ୍ତରାଳରେ ନିର୍ଦ୍ଦେଶନାମା, ଗାଇଡଲାଇନ୍ ଜାରୀ ହେଉଛି। ଗଣମାଧ୍ୟମ ଜରିଆରେ ଘନଘନ ସୂଚନା ଦିଆଯାଉଛି। ଲକ୍ ଡାଉନ୍ ଯୋଗୁଁ ଲୋକ ଘରେ ରହୁଥିବାରୁ ଅହରହ ଟିଭି, ମୋବାଇଲ୍ ଆଦି ମାଧ୍ୟମରେ ସୂଚନା ପାଉଛନ୍ତି। ନୂଆ କଥା ଆଉ କିଛି ନାହିଁ। କିନ୍ତୁ, ସେହି କଥାକୁ ପୁଣି ଦୋହରାଉଛନ୍ତି ଓଡ଼ିଶା ବିଜେପିର କିଛି ନେତା ଆଉ ନେତ୍ରୀ।

ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ମାନି ଅନେକ ଲୋକ ସାମାଜିକ ଦୂରତା ରକ୍ଷା କରିବା, ଘରେ ରହିବା, ହାତ ଧୋଇବା, ମାସ୍କ ପିନ୍ଧିବା, ନିଜେ ମାସ୍କ ତିଆରି କରି ଅନ୍ୟଙ୍କୁ ବାଣ୍ଟିବା, ଖାଦ୍ୟ ପୁଡ଼ି଼ଆ ବାଣ୍ଟିବା, ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଲୋଡ୍ କରିବା, ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ଆଦି ଅନେକ ଲୋକ କରୁଛନ୍ତି। କିନ୍ତୁ ଓଡ଼ିଶା ବିଜେପିର କିଛି ନେତାନେତ୍ରୀ ଲକ୍ ଡାଉନ୍ ଭିତରେ କେବଳ ନିଜ ମୁହଁ ଦେଖାଇବାକୁ ସେହି କଥା ଗୁଡ଼ିକୁ ପୁଣି ଦୋହରାଉଛନ୍ତି। ବାରମ୍ବାର ଏମାନଙ୍କୁ ଦେଖିଦେଖି ଅନେକ ବୋର ହୋଇଗଲେଣି। ଲୋକେ ଅପସନ୍ଦ କରୁଛନ୍ତି। କିନ୍ତୁ ଏମାନେ ବୁଝୁନାହାଁନ୍ତି। ଏମାନଙ୍କ ମଧ୍ୟରୁ ଏପରି କେତେଜଣ ଅଛନ୍ତି ଯେଉଁ ମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ଗଲେ ଦେଖିବେ, ନିଜେ ଏମାନେ ଥରଟିଏ କେଉଁଠି ଖାଦ୍ୟ ସାମଗ୍ରୀ କିମ୍ବା ମାସ୍କ ବଣ୍ଟନ କରିବା କିମ୍ବା କରୋନା ମୁକାବିଲା ଦିଗରେ ଅନ୍ୟ କୌଣସି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବାର ଦେଖାଯିବେନି। ଏମାନେ କେବଳ ତିନୋଟି ଜିନିଷ ଜାଣନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୌଣସି ଘୋଷଣା ସହ ନିଜ ଫଟୋ ମାରି ପ୍ରଚାର କରିବା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଯଥା ଗୁଡ଼ାଏ ପରାମର୍ଶ ଦେବା ଏବଂ କୁଆଡ଼ୁ କେମିତି କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆବଶ୍ୟକତା ଠାରୁ ଅଧିକ ପ୍ରଶଂସା ବା ଖୋସାମତି କରିବା। କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂରା ମନ୍ତ୍ରୀମଣ୍ଡଳ ପ୍ରୟାସ କରୁଛନ୍ତି। କିନ୍ତୁ, ଓଡ଼ିଶା ବିଜେପିର କିଛି ନେତା ଆଉ ନେତ୍ରୀ ନିଜ ପ୍ରତି ଧର୍ମେନ୍ଦ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କେମିତି କୁଆଡୁ କରି ଧର୍ମେନ୍ଦ୍ର ପ୍ରଧାନଙ୍କର କିମ୍ବା ତାଙ୍କ ମନ୍ତ୍ରାଳୟର ସ୍ଵାଭାବିକ ପ୍ରୟାସକୁ ଅତିରଞ୍ଜିତ କରି ପ୍ରଚାର କରୁଛନ୍ତି। କରୋନା ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ବିଶ୍ଵ ସ୍ତରରେ ପ୍ରଶଂସା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି। କିନ୍ତୁ ଓଡ଼ିଶା ବିଜେପିର କିଛି ନେତାନେତ୍ରୀଙ୍କ ଏପରି କାର୍ଯ୍ୟ ଯୋଗୁଁ ମୋଦିଙ୍କ ପ୍ରଶଂସନୀୟ ପଦକ୍ଷେପ ଓଡ଼ିଶାରେ ପାଣିଚିଆ ହୋଇଯାଉଛି। କ’ଣ ବା କରାଯିବ, ଯେତେ କହିଲେ ବୁଝୁନି ଏ’ ଓଡ଼ିଶା ବିଜେପି! -ଦେବଦତ୍ତ ରଥ

ଧର୍ମାନ୍ଧ ଧର୍ମ ନିରପେକ୍ଷ ଦଳ: ସରକାରୀ କଟକଣା ନୁହେଁ, ଜ୍ୟୋତିଷଙ୍କ ଶୁଭଲଗ୍ନକୁ ମାନିଲେ ସେକୁଲାର୍ ନେତା