ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀମାନଙ୍କ ପାଇଁ ଆଜି ଜିଲ୍ଲା ସଂସ୍କୃତି ଭବନରେ ଗ୍ରୀଷ୍ମ ପ୍ରବାହ ବା ଅଂଶୁଘାତ ମୁକାବିଲା ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତ୍ରିଲୋଚନ ମାଝୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କର୍ମଶାଳାକୁ ଉଦ୍ଘାଟନ କରିବା ସହିତ ଅଂଶୁଘାତ ଜନିତ ଦୁର୍ଘଟଣାରେ ଜଣେ ହେଲେ ବି ଯେପରି ଜିଲ୍ଲାରେ ମୃତ୍ୟୁବରଣ ନକରନ୍ତି ସେ ଦିଗରେ ଯଥେଷ୍ଟ ନଜର ରଖିବାକୁ ଉପସ୍ଥିତ ସମସ୍ତ ବି.ଡ଼ି.ଓ, ତହସିଲଦାର ଓ ସଂପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଗ୍ରୀଷ୍ମ ପ୍ରବାହ ପରିଚାଳନାରେ ପାଣି ସବୁଠୁ ଗୁରୁତ୍ୱପୂର୍ଣ୍ଣ, ନିରବିଚ୍ଛିନ୍ନ ଭାବେ ପାନୀୟ ଜଳ ଯୋଗାଣ ଆବଶ୍ୟକ। ଜଳ କ୍ଲୀଷ୍ଟତା ବା ଅଂଶୁଘାତ ଜନିତ ଯେ କୌଣସି ଖବର ପାଇଲାମାତ୍ରେ ତାର ସମାଧାନ ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। କେବଳ କର୍ମଶାଳା କରିଦେଲେ ଚଳିବ ନାହିଁ, କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ପାଇଁ ପ୍ରଯତ୍ନଶୀଳ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲିଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ଦୃଶ୍ୟଶ୍ରାବ୍ୟ ଫଳକ ଜରିଆରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ, ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାର ଭେଷଜ ବିଶେଷଜ୍ଞ ବା. ମୀନକେତନ ମହାନ୍ତି ଅଂଶୁଘାତ ମୁକାବିଲା ନେଇ ବିଭିନ୍ନ ସମସ୍ୟା, କାରଣ, ନିରାକରଣ, ପ୍ରାଥମିକ ଚିକିତ୍ସା, ଡ଼ାକ୍ତରଖାନା ମାନଙ୍କରେ ଥିବା ସ୍ୱତନ୍ତ୍ର କକ୍ଷ ଓ ଚିକିତ୍ସା ବ୍ୟବସ୍ଥା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଯଥେଷ୍ଟ ପାଣି ପିଇବା, ଛାଇରେ ରହିବା, ଖରାରେ ବାହାରକୁ ବାହାରିବା ନାହିଁ, ବାହାରିଲେ ପାଦରେ ଜୋତା ମୁଣ୍ଡ ଉପରେ ଛତା ଓ ସାଙ୍ଗରେ ପାଣି ବୋତଲ ଧରିବା ନେଇ ଜନ ସଚେତନତା ରହିଲେ ଅଂଶୁଘାତ ନେଇ ଶୂନ ମୃତ୍ୟୁ ସଂଖ୍ୟା ଅଭିଯାନ ସଫଳ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ବେିଶଷ କରି ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ସମୟରେ ଗର୍ଭବତୀ, ବରିଷ୍ଠ ନାଗରିକ, ଶିଶୁ, ଦିବ୍ୟାଙ୍ଗ, କ୍ୟାନସର୍, କିଡ଼ନି ଫ୍ୟାଲୁଅର, ଟି.ବି., ସୋରିଆସିସ୍ ଆଦି ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କୁ ଆଦୌ ଖରାକୁ ବାହାରିବା ଅନୁଚିତ୍ ବୋଲି କୁହାଯାଇଥିଲା। ଅଂଶୁଘାତ ଜନିତ ମୃତ୍ୟୁ ଘଟଣା ଘଟିଲେ ଆଞ୍ଚଳିକ ତହସିଲଦାର ଓ ଡ଼ାକ୍ତରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ ଆଧାରରେ ପ୍ରାଥମିକ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଶବ ବ୍ୟବଚ୍ଛେଦ ସହ ଚୁଡ଼ାନ୍ତ ରିପୋର୍ଟ ୪୮ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପ୍ରଦାନ କରାଯିବା ଏବଂ ଅଂଶୁଘାତ ଜନିତ ମୃତ୍ୟୁ ଘଟଣାରେ ମୃତକର ଉତ୍ତରାଧିକାରୀଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ ବ୍ୟବସ୍ଥା ସମ୍ବନ୍ଧରେ ଜରୁରୀ କାଳୀନ ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ବାତ୍ୟା, ବନ୍ୟା, ଗ୍ରୀଷ୍ମ ପ୍ରବାହ, ମରୁଡ଼ି, ସୁନାମି ପରିଚାଳନା ସମ୍ବଳିତ ସ୍ୱତନ୍ତ୍ର ମାର୍ଗଦର୍ଶିକା ପୁସ୍ତକ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା।