ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡି଼ ବ୍ଲକ ଗୁଆମାଳ ସେବା ସମବାୟ ସମିତି ଦୁଇଦିନ ଧରି ଅଚଳାବସ୍ଥା ସୃଷ୍ଟି ହୋଇଛି । ଏ ନେଇ ସମ୍ପାଦକ ମୁକ୍ତିକାନ୍ତ ଜେନା ସମବାୟ ସମିତି ସମୂହ ଜିଲା ଉପନିବନ୍ଧକ (ଏଆରସିଏସ)ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏଥି ସହିତ ସେ ଜିଲାପାଳ, ବାଲେଶ୍ୱର ଡିଆରସିଏସ୍, ନିର୍ଦ୍ଦେଶକ, ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ ସଭାପତି, ତିହିଡ଼ି ବ୍ୟାଙ୍କ ଶାଖା ପରିଚାଳକ ଓ ଗୁଆମାଳ ସମବାୟ ସମିତି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରକାଶ ଯେ, ସମବାୟ ସମିତିରୁ ଋଣ ନେଇଥିବା ଜଣେ ଚାଷୀଙ୍କ କାଗଜପତ୍ର ଓ ସମବାୟ ସମିତି କାର୍ଯ୍ୟାଳୟର ଚାବିକାଠି ସମିତିର ପିଅନ ଅଜୟ ସେଠୀ ସମ୍ପାଦକଙ୍କୁ ଦେଇ ନଥିଲେ । ଯାହାଫଳରେ ପିଅନ ଅଜୟ ସେଠୀ ଓ ସମ୍ପାଦକ ମୁକ୍ତିକାନ୍ତ ଜେନାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହାକୁ ନେଇ ପିଅନ ସମ୍ପାଦକଙ୍କ ନାମରେ କେଶ୍ ଦେବେ ବୋଲି ଧମକ ଦେବା ସହିତ ସମ୍ପାଦକଙ୍କୁ କାର୍ଯ୍ୟାଳୟର ବାହାର କରିଦେଇ ତାଲା ପକାଇ ଦେଇଥିଲେ । ଚାବି ପକାଇବା ସମ୍ପର୍କରେ ପିଅନକୁ ପଚାରି କାର୍ଯ୍ୟାଳୟର ଚାବି ମାଗିବାରୁ ସମିତିର କେତେକ ସଭ୍ୟ ସମିତିରେ ତାଲା ପକାଇଛନ୍ତି ବୋଲି ପିଅନ ସମ୍ପାଦକଙ୍କୁ କହିଥିଲେ । ସମିତି ଅଚଳ ହେବା ଫଳରେ ଚାଷୀମାନେ ଋଣ ନେବା ଓ ଶୁଝିବାରେ ବାଧା ସୃଷ୍ଟି ହେଉଛି । ଏଥିସହିତ ସମିତିର ଆର୍ଥିକ କାରବାରରେ ବାଧା ସୃଷ୍ଟି ହୋଇଛି । ତେବେ ତୁରନ୍ତ ଏହାର ପଦକ୍ଷେପ ନେଇ ସମିତିକୁ କାର୍ଯ୍ୟକ୍ଷମ କରାଇବାକୁ ସମ୍ପାଦକ ଶ୍ରୀ ଜେନା ଦାବି କରିଛନ୍ତି । ଏ ସମ୍ପର୍କରେ ସମିତିର ପିଅନ ଅଜୟ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସମବାୟ ସମିତିର ତାଲା ପକାଇ ସେ ଅଚଳାବସ୍ଥା ସୃଷ୍ଟି କରିନାହାନ୍ତି । ସମିତିର କେତେକ ବୋର୍ଡ଼ ସଦସ୍ୟ ତାଲା ପକାଇଛନ୍ତି ।