Home ଜିଲ୍ଲା ପରିକ୍ରମା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ତରଫରୁ ହେପିହୋମ୍ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ତରଫରୁ ହେପିହୋମ୍ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ

14

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ଦର୍ଶନ ହେଉଛି ଏକ ବିଚାରଧାରା । ସତ୍ୟ ଓ ଅହିଂସା ହେଉଛି ଏ ବିଚାରଧାରାର ଅଳଙ୍କାର । ଛାତ୍ର ଛାତ୍ରୀମାନେ ହେଉଛନ୍ତି ଏହି ବିଚାରଧାରାର ବାର୍ତ୍ତାବହ । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ହେପିହୋମ୍ ର ମିଳିତ ଉଦ୍ୟମରେ ଆୟୋଜିତ ଗାନ୍ଧୀ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭଦ୍ରକର ଚିଫ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ୍ ଶ୍ରୀମତୀ ସଙ୍ଗୀତା ପାଣି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ରଖିଥିଲେ । ନିଜ ଜୀବନର ଅନୁଭୂତିକୁ ମନେପକାଇ ଛାତ୍ରଛାତ୍ରୀମାନେ କେମିତି ଆଦର୍ଶ ନାଗରିକ ହେବେ, ସମାଜର ହିତ ପାଇଁ ଚିନ୍ତା କରିବେ ସେ ସମ୍ପର୍କରେ କିଛି ଉପଦେଶ ମଧ୍ୟ ରଖିଥିଲେ । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଇଂ ଅଖିଳ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରତିଷ୍ଠାନର ସମ୍ପାଦକ ଆଇନଜୀବୀ ପବନ କୁମାର ଶର୍ମା ପ୍ରତିଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ ।

ବକ୍ତା ଭାବେ ଯୋଗଦେଇ ହେପିହୋମ୍‌ର ଅଧ୍ୟାପିକା ପ୍ରତିଭା ତିୱାରୀ ଗାନ୍ଧୀଙ୍କ ଜୀବନର କେତେକ ଅନାବିଷ୍କୃତ ଦିଗ ପ୍ରତି ଛାତ୍ର ଛାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟତମ ବକ୍ତା ଭାବେ ପ୍ରତିଷ୍ଠାନର ବରିଷ୍ଠ ସଦସ୍ୟ ଲଲାଟେନ୍ଦୁ ମହାନ୍ତି କହିଥିଲେ ଶୃଙ୍ଖଳା ହେଉଛି ଗାନ୍ଧୀ ଦର୍ଶନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି ଦର୍ଶନଟି ବିଦ୍ୟାଳୟ ପରିସରରେ ପରିସ୍ଫୁଟିତ । କାର୍ଯ୍ୟକ୍ରମ ଆରମ୍ଭରେ ଏକ ସୁସଜ୍ଜିତ ମଣ୍ଡପ ମଧ୍ୟରେ ସ୍ଥାନିତ ମାହାତ୍ମାଙ୍କ ଚିତ୍ରପଟରେ ଅତିଥି ଓ ସଦସ୍ୟମାନେ ପୁଷ୍ପ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ପ୍ରଥା ଅନୁଯାୟୀ ତୁଳସୀ ବୃକ୍ଷରେ ଜଳ ଦାନ କରିଥିଲେ । ଏହା ପରେ ମୁଖ୍ୟ ଅତିଥି ପବିତ୍ର ପ୍ରଦୀପ ପ୍ରଜ୍ୱଳନ କରିବା ସହ ବିଦ୍ୟାଳୟର ଅଧ୍ୟାପିକା ବୈଶାଖି ପ୍ରଧାନ ଓ ମିତାଲୀ ଷଡଙ୍ଗୀଙ୍କ ଦ୍ୱାରା ‘ବୈଷ୍ଣବ ଜନ ତୋ..’ ଗାନ୍ଧୀ ଭଜନ ସହିତ ଉତ୍ସବଟି ଉଦ୍‌ଘାଟିତ ହୋଇଥିଲା । କାର୍ଯ୍ୟସୂଚୀ ଅନୁସାରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ସାଧାରଣ ଜ୍ଞାନ ଓ ଗାନ୍ଧୀବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବକ୍ତୃତା ପ୍ରତିଯୋଗୀତାରେ ବି. ସାଗରିକା ରାଉତ୍‌ରାୟ ପ୍ରଥମ, ପିୟୂସ ରଂଜନ ମିଶ୍ର ଦ୍ୱିତୀୟ ଓ ସ୍ମୃତିସ୍ମିତା ମହାଳିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ଆଦିତ୍ୟ ଜେନା ପ୍ରଥମ, ଆରାଧ୍ୟା ନାୟକ ଦ୍ୱିତୀୟ ଓ କେ. ଗୋପିନାଥ ରାଉତରାୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସବୁଠୁ ଆକର୍ଷଣୀୟ ପ୍ରତିଯୋଗୀତା ଥିଲା ଛାତ୍ର ମାନଙ୍କ ଦ୍ୱାରା ଅନୁଷ୍ଠିତ ଗାନ୍ଧୀବେଶ ପ୍ରଦର୍ଶନ । ଏଥିରେ ସାଇସ୍ୱରୂପ ବେହେରା ପ୍ରଥମ, ତକ୍ଷ ଲଖାନୀ ଦ୍ୱିତୀୟ ଓ ଦେବାଂଶ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଏହି କୃତୀ ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ, ପ୍ରମାଣପତ୍ର, ଗାନ୍ଧୀ ସ୍ମରଣିକା ଓ ଗାନ୍ଧୀଜୀଙ୍କ ଆତ୍ମଜୀବନୀ ପ୍ରଦାନ କରିଥିଲେ । ଏହି ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ମୁଖ୍ୟ ଅତିଥି ଶ୍ରୀମତୀ ସଙ୍ଗୀତା ପାଣି ଓ ହେପିହୋମ୍ ପରିଚାଳିକା ଅଧ୍ୟାପିକା ପ୍ରଜ୍ଞା ପରିମିତା ପଲାଇଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାପରେ ଶିଶୁ ଶିଳ୍ପୀ କାବ୍ୟାଙ୍କ ନୃତ୍ୟ ତଥା ସ୍ୱାଧୀନତା ସଂଗ୍ରାମ ଆଧାରିତ ଗୋଟିଏ ନୃତ୍ୟନାଟିକା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା, ଯାହା ଦର୍ଶକମାନଙ୍କ ଦ୍ୱାରା ଆଦୃତ ହୋଇଥିଲା । ଏହାପରେ ‘ରଘୁପତି ରାଘବ ରାଜାରାମ…’ ସଙ୍ଗୀତ ସହିତ ଉତ୍ସବଟି ଉଦ୍‌ଯାପିତ ହୋଇଥିଲା । ଆଇନଜୀବୀ ବିଜୟ କୁମାର ଜେନା ଏହି ଉତ୍ସବଟିକୁ ସଂଚାଳନ କରିଥିବା ବେଳେ, ପ୍ରଫେସର୍ ଅଟଳ ବିହାରୀ ନାୟକ, ପ୍ରଫେସର୍ ନାସିର୍ ବକ୍ସ, ଇଂ ଉତ୍ପଳକାନ୍ତି ଦାସ, ଆଇନଜୀବୀ ସରୋଜ କୁମାର ଦାସ, ସରୋଜ ଅଧିକାରୀ, ୟୁନାଇଟେଡ୍ ସଭାପତି ବିଶାଳ ଗୋପାଳ ଲଖାନୀ, ସମାଜସେବୀ ବିଦ୍ୟାଧର ବାରିକ, ସବୁଜ କ୍ଲବ୍ ସମ୍ପାଦକ ଅଜୟ କୁମାର ଧଳ, ତାଓ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ, ହେପିହୋମ୍‌ର କ୍ରୀଡ଼ା ଅଧ୍ୟାପକ ରବିନାରାୟଣ ଓଝା, ପ୍ରତିଷ୍ଠାନର ଯୁଗ୍ମ ସଂପାଦକ ଲକ୍ଷ୍ମୀକାନ୍ତ ବାରିକ, ବରିଷ୍ଠ ସଦସ୍ୟ ଯଥା ଅମରନାଥ ଲେଙ୍କା, ହରିହର ନନ୍ଦି, ଅରୁଣ ପଣ୍ଡା, ଅଲାମ୍ ଖାନ୍ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନୀରବଚ୍ଛିନ୍ନ ବର୍ଷା ସତ୍ତ୍ୱେ ଦର୍ଶକମାନଙ୍କର ଉପସ୍ଥିତି ଏ ବର୍ଷର ଉତ୍ସବଟିକୁ ଆଶାତୀତ ସଫଳତା ଆଣି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.