ଭଦ୍ରକ, ୩୧-୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଓ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବାବେଳେ ଗତ ୨ବର୍ଷ ହେବ କରୋନା ଏଥିରେ ବାଧା ସୃଷ୍ଟି କରିଛି। ଶିକ୍ଷା ବ୍ୟବସ୍ଥାରେ କଳଙ୍କ ଲଗାଇ ଦେଇଛି କରୋନା। କିନ୍ତୁ ସରକାର ବିଭିନ୍ନ ଉପାୟରେ ଏଥିରେ ସୁଧାର ଆଣିବାକୁ ପ୍ରୟାସ ଜାରୀ ରଖିଛନ୍ତି। କରୋନାର ୩ୟ ଲହରକୁ ଆଖି ଆଗରେ ରଖି ସରକାର ପାଠପଢା ଉପରେ କଟକଣା ଲାଗୁ କରିଥିଲେ କିନ୍ତୁ ପରିସ୍ଥିତିରେ ସୁଧାର ଆସିବା ପରେ ଗତ ୨୭ତାରିଖରୁ ପୁନଃଶ୍ଛ ଶିକ୍ଷା ପ୍ରଦାନ ଆରମ୍ଭ କରିଛନ୍ତି। ପ୍ରଥମ ରୁ ପଂଚମ ଶ୍ରେଣୀ ପିଲାଙ୍କୁ ଗୁଣାତ୍ମକ, ଗାଣିତିକ ଓ ଭାଷା ଜ୍ଞାନର ଅଭିବୃଦ୍ଧି ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ପାଠ ନପଢାଇ ଗ୍ରାମର ମନ୍ଦିର, ମଣ୍ଡପ, ଗୋଷ୍ଠି କେନ୍ଦ୍ର ଓ ହରିହାଟ ଗୃହରେ ଶିକ୍ଷାଦାନ କରିବାର ବ୍ୟବସ୍ଥା ସରକାର କରିଛନ୍ତି। ସରକାରଙ୍କ ଉକ୍ତ ନିର୍ଦ୍ଦେଶକୁ ସୂଚାରୂ ରୂପେ ପ୍ରତିପାଦନ କରାଯାଉଛି କି ନାହିଁ ଏହାର ତଦାରଖ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀ ଅଧିର ତରାଇ ବ୍ଲକର ବିଭିନ୍ନ ଗ୍ରାମର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ସହ ପିଲାମାନଙ୍କୁ ନିଜେ ମଧ୍ୟ ପାଠ ପାଢାଉଥିବାର ଦେଖାଯାଇଥିଲା। ତାଙ୍କର ଏତାଦୃଶ୍ୟ କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ଏଥିରେ ଅତିରିକ୍ତ ଶିକ୍ଷାଧିକାରୀ ଗୟାଧର ପଣ୍ଡା ଓ ହରେକୃଷ୍ଣ ଆପଟ ଉପସ୍ଥିତ ଥିଲେ।