ଅନୁଗୋଳ(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନାର ପ୍ରାଦୁର୍ଭାବ ଯୋଗୁଁ ଲକ୍ ଡାଉନ ଏବେ ୪ର୍ଥ ପର୍ଯ୍ୟାୟରେ ପହଂଚିଥିବା ବେଳେ,ଏବେ ମଧ୍ୟ ବହୁ ଗରିବ,ଅସହାୟ ତଥା ଆଦିବାସୀ ଶ୍ରେଣୀର ଲୋକେ କାମଧନ୍ଦା ପାଇବାରୁ ବଂଚିତ ରହିଥିବା ବେଳେ ସେମାନଙ୍କୁ ସରକାରୀ ଯୋଜନାର ଲାଭ ମଧ୍ୟ ମିଳି ପାରୁନାହିଁ । ଫଳରେ ସେମାନେ ଲଗାତାର ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି । ଏହିଭଳି ଲୋକମାନଙ୍କ ପାଇଁ ସାହାରା ପାଲଟିଛନ୍ତି ତାଳଚେର ଅଂଚଳର ଯୁବ ସମାଜସେବୀ ବିଭୁତି ସାହୁ । ଲକ୍ ଡାଉନ ଆରମ୍ଭ କାଳରୁ ଅଦ୍ୟାବଧି ପ୍ରାୟ ୨ ମାସ ପାଖାପାଖି ସେ ଏହିପରି ଦରିଦ୍ର ନାରାୟଣଙ୍କ ସେବା କରି ଆସୁଛନ୍ତି । ମାନବ ସେବା ହିଁ ମାଧବ ସେବା ମନେ କରି ବିଭିନ୍ନ ବସ୍ତିରେ ବାସ କରୁଥିବା ଏହି ଦୁଃଖୀ ରଙ୍କିମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କର ଭଙ୍ଗା ଚାଳ ଘର ଉପରେ ଜରି ପାଲ ବିଛାଉଛନ୍ତି । ଗତ କିଛି ଦିନ ପୂର୍ବେ ଶ୍ରୀ ସାହୁ ଏଫସିଆଇ ଆଦିବାସୀ ବସ୍ତି ଏବଂ ତାଳଚେର ପୈାରାଂଚଳରେ ଅସହାୟ ବ୍ୟକ୍ତିଙ୍କ ଘର ଉପରେ ଜରି ପାଲ ବିଛାଇବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ସେହିପରି ବର୍ତମାନର ବର୍ଷା ପାଗକୁ ଦୃଷ୍ଟିରେ ରଖି ଶ୍ରୀ ସାହୁ ନାଲକୋ ନିକଟସ୍ଥ ଆଦିବାସୀ ହଟିଂରେ ନିଜ ସହଯୋଗୀଙ୍କ ସହାୟତାରେ କିଛି ଗରିବ ଅସହାୟଙ୍କ ଘର ଉପରେ ଜରି ପାଲ ପକାଇବା ସହ ଏହି ବସ୍ତିରେ ଅନେକ ଅଭାବୀ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଏହାପୂର୍ବରୁ ମଧ୍ୟ ବିଗତ ପ୍ରାୟ ୨ ମାସ ହେବ ୨୦ରୁ ଉର୍ଦ୍ଧ୍ୱ ବସ୍ତିରେ ସରକାରୀ ଯୋଜନାରୁ ବଂଚିତ ନିୟମିତ ଭାବେ ଶହ ଶହ ପରିବାରକୁ ଶୁଖିଲା ଖାଦ୍ୟ ଏବଂ ମାସ୍କ ବଂଟନ କରିବାସହ କରୋନା ନେଇ ସଚେତନତା ମଧ୍ୟ କରି ଆସୁଛନ୍ତି । ଶ୍ରୀ ସାହୁଙ୍କର ଏଭଳି ମହତ କାର୍ଯ୍ୟରେ ସୁନୀଲ ପଟ୍ଟନାୟକ,ଅର୍ଜୁନ କିସ୍କୁ,ଉର୍ମିଳା ଦେହୁରୀ,ବାପି ମହାନ୍ତି,ନରେଶ ଲୋହାର,ବିଶ୍ୱରଞ୍ଜନ ସାହୁ,ରିଚି ଦେହୁରୀ,ପଲ୍ଲଭ ଘୋଷ ପ୍ରମୁଖ ସହଯୋଗ କରି ଆସୁଛନ୍ତି । ତେବେ ଆଗାମୀ ଦିନରେ ମଧ୍ୟ ଶ୍ରୀ ସାହୁ ନିଜର ସେବା କାର୍ଯ୍ୟକୁ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷେ ତାଙ୍କର ଏଭଳି ସାମାଜିକ କାର୍ଯ୍ୟକୁ ସର୍ବତ୍ର ପ୍ରଶଂସା କରାଯାଉଛି ।








