Home ଜିଲ୍ଲା ପରିକ୍ରମା ଗଣେଷ ପୂଜା ପାଇଁ ପ୍ରଶାସନିକ ବୈଠକ

ଗଣେଷ ପୂଜା ପାଇଁ ପ୍ରଶାସନିକ ବୈଠକ

143

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଆସନ୍ତା ଗଣେଷ ପୂଜାକୁ ସରକାରୀ ନିର୍ଦ୍ଦେଶମତେ କୋଭିଡ଼ ମାର୍ଗ ଦର୍ଶିକା ଅନୁପାଳନ ଆଧାରରେ ଶାନ୍ତିଶୃଙ୍ଖଳାର ସହିତ ପାଳନ କରାଯିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁ ସୂଦନ ଦାଶ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଭଦ୍ରକରେ ଦୀର୍ଘ ଦିନରୁ ପାଳନ ହୋଇଆସୁଥିବା ପୁରୁଣା ବଜାର ବୁଢ଼ା ଗଣେଶ, ଟୋକା ଗଣେଶ, କୁଆଁସର ପିଲା ଗଣେଷ, ଛୁଆ ଗଣେଷ, କାଞ୍ଚନ ଗଣେଶ ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ସଂପୃକ୍ତ ପ୍ରଶାସନିକ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କୋଭିଡ଼ ମାର୍ଗ ଦର୍ଶିକା ଅନୁଯାୟୀ ପୂଜାମଣ୍ଡପ ମାନଙ୍କରେ ତିନି ପାଖକୁ କଭର କରାଯିବ । ସମ୍ମୁଖ ପାଖକୁ ମୂର୍ତ୍ତି ଦେଖି ହେଲା ଭଳି ଆବଦ୍ଧ କରାଯିବ । ପୂଜା ସ୍ଥାନରେ ଜନ ସମାବେଶ ହେବ ନାହିଁ , ଦର୍ଶନ କି ପୂଜା ନିମନ୍ତେ ମଣ୍ଡପ ଭିତରକୁ ଜନ ସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ ।

ପୂଜା ସ୍ଥାନରେ କୌଣସି ପରିସ୍ଥିତିରେ ୭ଜଣରୁ ଅଧିକ ଲୋକ ଏକାଠି ହେବେ ନାହିଁ । ଭସାଣି ଶୋଭାଯାତ୍ରା ହେବ ନାହିଁ । ମେଲୋଡ଼ି ଆଦି ସାଂସ୍କୃତିକ କାର୍ଯ୍ୟ କିମ୍ବା ଡ଼ାକବାଜି ଯନ୍ତ୍ର ବାଜିପାରିବ ନାହିଁ । ଯେତିକି ପୂଜା ମଣ୍ଡପ ଅଛି ସେତିକିରେ ପୂଜା ହେବା ବ୍ୟତୀତ ଅନ୍ୟ କୌଣସି କ୍ଲବ୍ ବା ଛକ ଜାଗାମାନଙ୍କରେ କୌଣସି ଅନୁଷ୍ଠାନ ଦ୍ୱାରା ଗଣେଶ ପୂଜା ଅନୁଷ୍ଠିତ ହୋଇ ପାରିବ ନାହିଁ । ପୂଜା ଆୟୋଜନ ପୂର୍ବରୁ ସଂପୃକ୍ତ କର୍ମକର୍ତ୍ତାମାନେ ସଂପୃକ୍ତ ଅଧିକାରୀଙ୍କ ଠାରୁ ଅନୁମତି ନେବେ । ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୪ ଫୁଟ ରୁ ଅଧିକ ହେବ ନାହିଁ । ପୂଜା ଉତ୍ସବ, ଘଟୋତ୍ତଳନ କି ଭସାଣିରେ ଯେତେ ସମ୍ଭବ କମ୍‌, ସରଳ ଓ ନିରାଡ଼ମ୍ବର ଭାବେ ଆୟୋଜନ କରାଇବାକୁ ଏସ୍‌.ପି ସମସ୍ତ ପୂଜାକମିଟିର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । କୌଣସି ଭୋଜିଭାତ, ସାମୂହିକ ପ୍ରସାଦ ସେବନ ପାଇଁ ଅନୁମତି ନାହିଁ ବୋଲି ମଧ୍ୟ ଦର୍ଶାଇଥିଲେ । ଏହି ସମାନ ମାର୍ଗ ଦର୍ଶିକାରେ ଗତ ବର୍ଷ ପୂଜା ପାଳନ କରାଯାଇଥିବାରୁ କର୍ମକର୍ତ୍ତାମାନେ ଏ ବର୍ଷ ମଧ୍ୟ ସେହି ଆଧାରରେ ପାଳନ କିରବା ନେଇ ନିଷ୍ପତ୍ତି ନେଇଛନ୍ତି ଓ ଏ ଦିଗରେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ରଖିଥିଲେ । ଘଟ ଉତ୍ତୋଳନ ସ୍ଥାନ, ପୂଜାସ୍ଥଳୀ ଆଦି ଜାଗାରେ ସଫେଇ ପାଇଁ କର୍ମକର୍ତ୍ତାଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ଡ଼ି.ଆଇ.ବି. ର ଡ଼ି.ଏସ୍‌.ପି. କମଳ ଲୋଚନ ଭୂୟାଁ ଗତ ବର୍ଷ ପୂଜା ସମୟର କ୍ଷେତ୍ରୀୟ ଅନୁଭୂତି ବୈଠକରେ ଉପସ୍ଥାପନ କରିଥିଲେ । ଏସ୍‌.ଡ଼ି.ପି.ଓ ସାର୍ଥକ ରାୟ, ଟାଉନ୍ ଥାନାଧିକାରୀ ଉମା ଶଙ୍କର ନାୟକ, ପୁରୁଣା ବଜାର ଥାନାଧିକାରୀ ପ୍ରକାଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ପୋଲିସ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.