Home ଓଡ଼ିଶା ଗଣମାଧ୍ୟମରେ କିଏ ?

ଗଣମାଧ୍ୟମରେ କିଏ ?

416
– ପଙ୍କଜ ପାଣିଗ୍ରାହୀ
ମଣିଷ ମସ୍ତିଷ୍କରେ ଭିନ୍ନ ଭିନ୍ନ ପ୍ରକୋଷ୍ଠ ସୃଷ୍ଟି ହୋଇ ବିଭିନ୍ନ ପ୍ରକ୍ରିୟା, ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ସ୍ମରଣ ଶକ୍ତି, ଜ୍ଞାନ, ବୁଦ୍ଧି, ବିବେକ, ଚତୁରତା, ଶିକ୍ଷା, ସଂସ୍କାର, ତୃପ୍ତି, ନୈରାଶ୍ୟ, ଦୁଃଖ, ସୁଖ, ଉଦେଶ୍ୟ, ଲକ୍ଷ ପ୍ରାପ୍ତି, ମାନସିକତା, ବିଚାର ଭଳି ଆହୁରି ଅନେକ ବିଷୟ ମସ୍ତିଷ୍କ ମଧ୍ୟରେ ସ୍ଥାନ ପାଇ ମଣିଷର ବାହ୍ୟ ଆବଭାବର ପରିପ୍ରକାଶ ହୋଇଥାଏ। ମସ୍ତିଷ୍କରେ ଯାହା ଆଲୋଡିତ ହୁଏ ସାଧାରଣରେ କାହାକୁ ଗୋଚର ହେଉନଥିବା ବେଳେ ବାହ୍ୟ ପରିପ୍ରକାଶ ଅନ୍ୟମାନଙ୍କ ଉପରେ ଗଭୀର ପ୍ରଭାବ ପକାଇ ଥାଏ। ଅତଏବ କହିବାକୁ ଗଲେ ଗୋଟିଏ ମଣିଷର ପରିପ୍ରକାଶର ଭାଷା ତାହାର ମାନବିକ ମୂଲ୍ୟବୋଧ ଆକଳନ କରିଥାଏ। ଏବଂ ସେହି ବାସ୍ତବ ମାନବିକ ମୂଲ୍ୟବୋଧ ମଣିଷର ପ୍ରକୃତ ସମ୍ପତ୍ତି ଯାହା ତାକୁ ଗୌରବାନ୍ୱିତ କରିଥାଏ ଚିର ଆମର ହୋଇ ରହିବା ପାଇଁ।

ଆମ ପୂର୍ବଜଙ୍କ ମାନସିକ ପରିସୀମା ସୀମିତ ଥିବା ବେଳେ ସ୍ୱତଃ ଆଲୋଡନ, ନିରୀକ୍ଷଣ, ଏକାଗ୍ରତା ତଥା ଧ୍ୟାନ ମାଧ୍ୟମରେ ସେମାନେ ବହୁତ କଥା ଜାଣି ପାରୁଥିଲେ ଏବଂ ସେମାନଙ୍କ ସାମାଜିକ ମୂଲ୍ୟବୋଧତା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ସେମାନଙ୍କ ପାଇଁ ଶିକ୍ଷାର କୌଣସି ଉତ୍ସ ନଥିବା ବେଳେ କେବଳ ନିଜସ୍ୱ ଜ୍ଞାନରୁ ଦାର୍ଶନିକ ତତ୍ୱ ତଥା ସାମାଜିକ ଆଚରଣ ବିଧି ଗୁଡିଏ ଉଲ୍ଲେଖ କରି ଯାଇଛନ୍ତି ଯାହା ଯୁଗେ ଯୁଗେ ଅବିସ୍ମରଣୀୟ ହୋଇ ରହି ଯାଇଅଛି। ଶିକ୍ଷା ଏବଂ ତଦ୍ୱାରା ଲାଭ ହୋଇଥିବା କିଛି ଜ୍ଞାତ ତଥ୍ୟ ସୀମିତ ମାତ୍ର। ଶିକ୍ଷା ଜଣଙ୍କୁ ଶିକ୍ଷିତ କିମ୍ବା କାହାଦ୍ୱାରା ଲିଖିତ କୌଣସି ବିଷୟ ଉପରେ ବିଶାରଦ କରିପାରେ ଯାହା ନିଜସ୍ୱ ଜ୍ଞାନ ସୃଷ୍ଟି କରିବାରେ କିଞ୍ଚିତ ସହଯୋଗ କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିର୍ଭର ଯୋଗ୍ୟ ଉତ୍ସ ନୁହେଁ। ଜ୍ଞାନ କେବଳ ଧ୍ୟାନରୁ ହିଁ ସମ୍ଭବ ହୋଇଥାଏ ଯାହା ଆଜିର ଶିକ୍ଷିତ ମଣିଷ ଆଦୌ ଲାଭ କରିନଥାନ୍ତି, କାରଣ ନିଜର ଶିକ୍ଷାଗତ ପ୍ରମାଣ ପତ୍ର ପାଇଁ ଏତେ ମାତ୍ରାରେ ଗର୍ବରେ ଅନ୍ଧ ହୋଇଯାଆନ୍ତି ସେମାନେ ଯେ ସଂସାରର ବାସ୍ତବତା ସେମାନଙ୍କୁ ଅଜ୍ଞ ଥାଇ ମଧ୍ୟ ଅହଙ୍କାରରେ ଅନ୍ଧ ହୋଇ ନିଜକୁ ଜ୍ଞାନୀ ବୋଲି କେବଳ ଭାବନ୍ତି, ଯାହା ଅବାସ୍ତବ। ତେଣୁ ପ୍ରାୟତଃ ଆଜିର ସମସ୍ତ ମଣିଷ ଏକ ପ୍ରକାର ଅଜ୍ଞାନ ଅନ୍ଧ ଭଳି ଜୀବନ ଯାପନ କରୁଥିବା ଦେଖିବାକୁ ମିଳେ ଯାହାଙ୍କ ମନର ଅହଙ୍କାର ଏବଂ ସ୍ୱାଭିମାନ ଆକଳନ ଅସମ୍ଭବ।

ସୀମିତ ଶିକ୍ଷା ସହିତ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଥିବା ବିଷୟ ଗୁଡିକୁ ଦେଖି, ପଢ଼ି ନିଜକୁ ସଂସାରର ସବୁଠାରୁ ବିଶେଷ ଜ୍ଞାନୀ ବୋଲି ଭାବନ୍ତି ସବୁ ମଣିଷ। ହେଲେ ଗଣମାଧ୍ୟମ ହେଉକି ଦୂରଭାଷ ମାଧ୍ୟମ, ସେଗୁଡ଼ିକରେ ପ୍ରଚାରିତ ବାସ୍ତବ ଜ୍ଞାନ ସମ୍ମତ ବିଷୟ ଗୁଡିକ ଉପରେ କାହାର ଧ୍ୟାନ ନଥାଏ। କିଛି ଭ୍ରାନ୍ତିକର ତଥ୍ୟ ତଥା ମନୋରଞ୍ଜନ ବିଷୟ ଗୁଡିକୁ ଅତ୍ୟନ୍ତ ଆଗ୍ରହର ସହିତ ପଢିବା, ଦେଖିବା ବେଳେ କୌଣସି ବିବାଦ, ବିତର୍କ ମୂଳକ ବିଷୟ ଗୁଡିକ ଏତେମାତ୍ରାରେ ଆକର୍ଷଣ କରିଥାଏ ସମସ୍ତଙ୍କୁ ଯେ ଆଜିକାଲି ସବୁ ମାଧ୍ୟମରେ କେବଳ ସେହିଭଳି ନକାରାତ୍ମକ ବିଷୟ ହିଁ ପ୍ରସାରିତ ହେଉଥିବା କେହି ଅସ୍ବୀକାର କରି ପାରିବେ ନାହିଁ। ଆଉ ସାଧାରଣ ମଣିଷ କେବଳ ନକାରାତ୍ମକ ଆଲୋଚନା ପ୍ରତି ସମ୍ପୂର୍ଣ୍ଣ ଆକୃଷ୍ଠ ଆଦୃତ ହେଉଥିବା ହେତୁ ସବୁ ମାଧ୍ୟମ ଗୁଡିକ କେବଳ ବ୍ୟବସାୟ ଦୃଷ୍ଟିରୁ ସେସବୁର ବହୁଳ ପ୍ରଚାର ପ୍ରସାର କରିବା ପାଇଁ ବାଧ୍ୟ ହେଉଛନ୍ତି। ପାଠକଙ୍କ ଆଦୃତତା ଉପରେ ଗୁରୁତ୍ୱ ଦେବା ଲେଖକଙ୍କ ଧର୍ମ ହୋଇଥାଏ। ତେଣୁ ପାଠକଙ୍କୁ ସୁହାଇଲା ଭଳି ଲେଖା କିମ୍ବା କାର୍ଯ୍ୟକ୍ରମ ଗଣମାଧ୍ୟମ ଗୁଡିକ ପ୍ରସାର କରୁଥିବା ବେଳେ ପାଠକ ସେମାନଙ୍କ ରୁଚି ବଦଳାଇଲେ ସେମାନେ ମଧ୍ୟ ଆପେ ବଦଳି ଯିବେ ବୋଲି ଆମର ଅନୁମାନ।

ଗଣମାଧ୍ୟମ ହେଉକି ଯେକୌଣସି ମାଧ୍ୟମରେ ଆମେ ସବୁବେଳେ ପରଚର୍ଚ୍ଚା, କାହାକୁ ନିନ୍ଦା କରିବା, ଅନ୍ୟପ୍ରତି ଇର୍ସାତ୍ମକ ଆଚରଣ, ଭଳି ନକାରାତ୍ମକ ମନୋଭାବକୁ ଗ୍ରହଣ କରିବା ଏବଂ ବିତରଣ କରିବା ପାଇଁ ସଦା ବ୍ୟାକୁଳ ହୋଇ ରହିଥିବା ଦେଖିବାକୁ ମିଳେ। ତାହା ଛଡା ଅନ୍ୟ କ୍ଷେତ୍ରରେ ବିଭିନ୍ନ ଅଶ୍ଵିଳ ଚିତ୍ର ହେଉକି ଆନନ୍ଦ ଦାୟକ ମନୋରଞ୍ଜନ କଲାଭଳି ଫୋଟୋ, ଚିତ୍ର, ଚଳଚିତ୍ର ତଥା ପରିଚର୍ଚ୍ଚା ଗୁଡିକ ପ୍ରତି ଅତ୍ୟନ୍ତ ଭାବାବେଗ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ତତ୍ୱଜ୍ଞାନ କିମ୍ବା ପରିମାର୍ଜିତ ମାନବିକତା ଉପରେ ଆଧାରିତ କୌଣସି ବିଷୟକୁ ଆଖି ପିଛୁଳାକେ କାଟିଦେବା କିମ୍ବା ଉପରକୁ ଠେଲିଦେବା ଏକ ସାଧାରଣ ମାନସିକତାରେ ପରିଣତ ହୋଇଛି ସମସ୍ତଙ୍କର। ସେସବୁ ଜୀବନରେ କିଛି ଦେବା ବଦଳରେ ଜୀବନର କିଛି ମୁହୂର୍ତ୍ତ ନଷ୍ଟ କରିଦେଲା ଭଳି ଅନୁଭବ ହେଉଛି ସମସ୍ତଙ୍କୁ। ଅଧିକନ୍ତୁ କାହାଠାରୁ କୌଣସି ଭଲ କଥାଟିଏ ଶୁଣିଲେ କି ଦେଖିଲେ ଆଖି ପିଛୁଳାକେ ତାକୁ ଅନ୍ୟ ଜଣଙ୍କୁ ପ୍ରେରିତ କରି ସେମାନଙ୍କୁ ସୁଧାରି ନେବାରେ ଆମର ତତ୍ପରତା କହିଲେ ନସରେ, ସତେ ଯେମିତି ନିଜେ ସର୍ବ ଗୁଣ ସମ୍ପର୍ଣ୍ଣ ହୋଇ ଯାଇଛନ୍ତି ଏବଂ ବାକି ସବୁ ଲୋକ ତାକୁ ଦେଖି, ପଢି ମାର୍ଜିତ ହେବା ନିତାନ୍ତ ଜରୁରୀ। ଏମିତି ସମସ୍ତେ ସମସ୍ତଙ୍କୁ କେବଳ ଉପଦେଶ ଦେବାରେ ଏତେ ବ୍ୟଗ୍ର ଯେ ଗଣମାଧ୍ୟମରେ ସକାଳୁ ରାତି ପର୍ଯ୍ୟନ୍ତ ଉପଦେଶର ମାଳା ପିନ୍ଧୁ ପିନ୍ଧୁ ସମସ୍ତଙ୍କ ବେକ ଭରିଯାଇ ଉଛୁଳି ପଡେ। ତେଣୁ ଆମେ ସେସବୁ ପ୍ରତି ଭୂକ୍ଷେପ ନକରି କେବଳ ସୁନ୍ଦର ଫୋଟୋ ଏବଂ ମନୋରଞ୍ଜନ ସାଙ୍ଗକୁ ନକାରାତ୍ମକ ତଥା ଅନ୍ୟର ଦୁଃଖ, ଦୁର୍ଦ୍ଧଶା ଏବଂ ବିଯୁକ୍ତାତ୍ମକ ଆଚରଣ ଗୁଡିକ ପ୍ରତି ଅତ୍ୟନ୍ତ ଆକର୍ଷିତ ହେଉଥିବା ଏକ ସାଧାରଣ ଲକ୍ଷଣରେ ପରିଣତ ହୋଇ ଯାଇଅଛି ସମସ୍ତଙ୍କର।

ପିତାମାତାଙ୍କ ଔରସରୁ ଜନ୍ମିତ ଶିଶୁ ସେମାନଙ୍କ ଜିନ ଗତ ଗୁଣ, ଚରିତ୍ର ଆବାହନ କରୁଥିବା ବେଳେ ବାଲ୍ୟ କାଳରୁ ପାରିବାରିକ ଲୋକଙ୍କ ଆଚରଣ ବିଧି ଗୁଡିକୁ ଅନୁକରଣ କରିବା ମଣିଷର ଏକ ସାଧାରଣ ଲକ୍ଷଣ। ତେଣୁ ନିଜ ସନ୍ତାନ ତଥା ଆସନ୍ତା ପିଢ଼ି ବା ଆମ ଦେଶର ଭବିଷ୍ୟତ ମାନଙ୍କୁ ଉପଯୁକ୍ତ ରାସ୍ତାରେ ନେବା ପାଇଁ ନିଜର ଇଛା ଶକ୍ତିକୁ ସଙ୍କୁଚିତ କରି କର୍ତ୍ତବ୍ୟତାର ପଥ ବାଛିନେବା ବିଧେୟ। ଦେଶର ଭବିଷ୍ୟତ ଆମ ଆସନ୍ତା ପିଢିଙ୍କ ପାଇଁ ନିଜର କର୍ତ୍ତବ୍ୟବୋଧତାକୁ ଅଣଦେଖା କରି ନିଜ ସ୍ୱାର୍ଥ ହାସଲ ଦିଗରେ ଲାଗି ପଡିଥିବା ସମାଜର ଅଧୋଗତି ସାଙ୍ଗକୁ ସେମାନଙ୍କ ଭବିଷ୍ୟତ ଅନ୍ଧକାର ହେବା ସୁନିଶ୍ଚିତ। ଧ୍ୟାନ ଓ ଜ୍ଞାନ ହିଁ ମାନବିକତାର ପରିଚୟ ଏବଂ ସଂସ୍କାରର ମାର୍ଗ ବୋଲି ଜାଣିନପାରି ଧନ ହିଁ ସବୁକିଛି ବୋଲି ଭାବୁ ଥିବା ମଣିଷ ମନର ଏକ ଭ୍ରାନ୍ତ ଧାରଣାକୁ ସଙ୍କୁଚିତ କରାନଗଲେ କେବଳ କାଗଜ ଟଙ୍କାକୁ ଖାଇ ବଞ୍ଚିବାକୁ ହେବ ଆମ ଆସନ୍ତା ପିଢିଙ୍କୁ ଯାହା ବର୍ତ୍ତମାନ ଆକଳନ କରି ପାରିବା ଭଳି କ୍ଷମତା ହୁଏତ ନାହିଁ ସାଧାରଣ ଅଜ୍ଞାନ ମଣିଷ ମାନଙ୍କର।

ତେଣୁ କାହାଦ୍ୱାରା ଉପୁଜିଥିବା ଏବଂ ପ୍ରସ୍ତୁତ ହୋଇଥିବା ପେଟପୁରା ଖାଇବାକୁ ଗଣ୍ଡେ ମିଳିଗଲେ ଦିନସାରା ଆଉ ମାନସିକ ଆବେଗରୁ ମୁକ୍ତ ମଣିଷ ଆଉ କାହା ଦ୍ୱାରା ପ୍ରସ୍ତୁତ ବସ୍ତ୍ର ଖଣ୍ଡିଏ ପିନ୍ଧି କୌଣସି ଫଳପ୍ରଦ କାର୍ଯ୍ୟ ନକରି କେବଳ ଗଣମାଧ୍ୟମରେ ନିଜକୁ ନିୟୋଜିତ କରି ନିଜର ମିଥ୍ୟା ପ୍ରତିଭା ପ୍ରଚାର ପ୍ରସାର କାର୍ଯ୍ୟରେ ଲାଗିପଡ଼ିବା ଏବଂ ଅନ୍ୟମାନଙ୍କ ମିଥ୍ୟା ପ୍ରତିଭାରେ ଆଦୃତ ହୋଇ କିଛି ଆନନ୍ଦ ଅନୁଭବ ପୂର୍ବକ ସମୟ ବିତାଇବା ଛଡା ପ୍ରାୟତଃ 60%ରୁ ଅଧିକ ମଣିଷ ସାମାଜିକ ବ୍ୟାଧି ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି ଗଣମାଧ୍ୟମରେ। ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ପ୍ରସ୍ତୁତ ଏହି ଗଣମାଧ୍ୟମ କିମ୍ବା ଦୂରଭାଷ ମାଧ୍ୟମର ଉପକାରିତା ଅପେକ୍ଷା ଅପକାରିତାର ଭୟାବହତା ଦୂର ନହେଲେ ମଣିଷ ସମାଜ ପ୍ରକାଣ୍ଡ ଵିଧ୍ଵଂସ ମୁଖରୁ ନିଜକୁ ରକ୍ଷା କରିପାରିବ ନାହିଁ ବୋଲି ଆମର ବିଚାରରେ ଆପଣଙ୍କ ମତାମତ ଅପେକ୍ଷାରେ ?!!
(ଲେଖକଙ୍କର ନିଜସ୍ୱ ମତ – ଏଥିପାଇଁ ସଂପାଦକ ଦାୟୀ ନୁହଁନ୍ତି)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.