Home ଓଡ଼ିଶା ଗଞ୍ଜାମ ଜିଲାର କରୋନା ଗମ୍ଭୀର ସ୍ଥିତି ନୟାଗଡ଼କୁ ଥରଉଛି

ଗଞ୍ଜାମ ଜିଲାର କରୋନା ଗମ୍ଭୀର ସ୍ଥିତି ନୟାଗଡ଼କୁ ଥରଉଛି

147

ନୟାଗଡ଼, ୫ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଗଞ୍ଜାମ ଜିଲାର କରୋନା ସ୍ଥିତି ଗମ୍ଭୀର ହୋଇପଡ଼ୁଥିବାବେଳେ ନୟାଗଡ଼ର ଛାତି ଥରେଇ ଦେଉଛି। ଗଞ୍ଜାମ ଜିଲାର କରୋନା ସ୍ଥିତି ଏବେ ସଙ୍ଗୀନ୍ ହୋଇପଡ଼ିଥିବାବେଳେ ନୟାଗଡ଼-ଗଞ୍ଜାମ ଜିଲାର ସୀମାନ୍ତ ଅଂଚଳବାସୀଙ୍କ ଛାତି ଥରହର ହୋଇପଡ଼ିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଗଞ୍ଜାମ ଜିଲାରେ ହୁ ହୁ ହୋଇ ବଢୁଛି। ଗଞ୍ଜାମ ଜିଲାର ପଡ଼ୋଶୀ ଜିଲା ନୟାଗଡ଼ ଜିଲା ହୋଇଥିବାରୁ ଉଭୟ ଜିଲାର ସୀମାନ୍ତ ଅଂଚଳ ଏବେ ସଂକ୍ରମଣ ମୁହାଁ ହୋଇଛନ୍ତି। ଗଞ୍ଜାମ ଜିଲାରେ ଆକ୍ରାନ୍ତ ଏବଂ କରୋନା ମୃତ୍ୟୁ ବଢୁଥିବା ନେଇ ଗଞ୍ଜାମ ଜିଲାର ଲୋକେ ଭୟଭିତ ହୋଇ ସୀମାନ୍ତ ଜିଲା ନୟାଗଡ଼ ଭିତରେ ପଶି ଆସୁଥିବା କୁହାଯାଉଛି। ସୀମାନ୍ତ ଅଂଚଳର ବନ୍ଧୁ ବାନ୍ଧବ ଘରେ ଆସି ନିରାପଦ ଭାବି ରହିବାକୁ ଶ୍ରେୟ ମଣୁଛନ୍ତି। ଫଳରେ ଜିଲା ସୀମାନ୍ତ ଅଂଚଳର ଲୋକମାନେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଅଧିକ ଭୟଭିତ ହୋଇପଡ଼ିଛନ୍ତି। ଗୋଷ୍ଠୀ ସଂକ୍ରମଣ ଭୟ ଏବେ ନୟାଗଡ଼କୁ ବେଶୀ ଘାରୁଛି। ଆଶା ଓ ଆଶଙ୍କାରେ ଗତି କରୁଥିବା ନୟାଗଡ଼କୁ କରୋନା ଦିନକୁ ଦିନ ଭୟଭିତ କରିବାରେ ଲାଗିଛି। ଗଂଜାମ ଜିଲାର ସୀମାନ୍ତ ଅଂଚଳ କୁରାଳ ଓ ସୁନାମୁହିଁରେ ଏବେ ନିତି ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢୁଛି। ସୁନାମୁହିଁ ପଂଚାୟତର ଜଣେ ବ୍ୟବସାୟୀଙ୍କ ଠାରୁ ଏହି ସ୍ଥାନୀୟ ସଂକ୍ରମଣ ବଢିଥିବା କୁହାଯାଉଥିବାବେଳେ ଏକାଦିନକେ ସୁନାମୁହିଁରୁ ଗତକାଲି ୧୨ଜଣ, କୁରାଳରୁ ୭ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସୀମାନ୍ତ ଅଂଚଳରେ ସ୍ଥାନୀୟ ସଂକ୍ରମଣ ସାଂଘାତିକ ଅବସ୍ଥା କଲାଣି। ସୁନାମୁହିଁ ଅଂଚଳର ଜଣେ ବ୍ୟକ୍ତିଙ୍କର ଥଣ୍ଡା ଜ୍ୱରରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଏବେ ସେହି ମୃତକର ପରିବାରରୁ ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଜନମାନସକୁ ଚିନ୍ତାରେ ପକାଇଛି। ଶୂନ୍ୟ ସଂକ୍ରମଣରେ ନୟାଗଡ଼ ଜିଲା ଆଶ୍ୱସ୍ଥି ଥିଲାବେଳେ ଗତ ମେ ମାସ ୯ ତାରିଖରୁ କରୋନା କବଳରେ ନୟାଗଡ଼ ପଡ଼ିଯାଇଛି। ଆଜିସୁଦ୍ଧା ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୭ରେ ପହଁଚିଛି। ବାହ୍ୟ ସଂକ୍ରମଣରୁ ସ୍ଥାନୀୟ ସଂକ୍ରମଣ ଏବେ ବଳିଯାଇଛି। ଜିଲା ପ୍ରଶାସନ ଯେତେ ସଚେତନତାର ବାଟ କଲେ ମଧ୍ୟ ମୁକୁଳି ପାଇବାର ବାଟ ପାଉନାହିଁ ଦିନକୁ ଦିନ ନୟାଗଡ଼। ଜିଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀମାନେ କରୋନା ସଂକ୍ରମଣରେ ଆକ୍ରାନ୍ତ ହେଉଥିଲାବେଳେ ଏବେ ଗାଁ ଭିତରେ କରୋନା ପଶି ସାଧାରଣ ଲୋକଙ୍କୁ ଛୁଇଁବାରେ ଲାଗିଛି। ଯାହାକି ସମସ୍ତଙ୍କ ମନରେ ଛନ୍‌କା ପଶିଯାଇଛି। ଅନ୍ୟପକ୍ଷରେ ନୟାଗଡ଼ ଜିଲାରେ କରୋନା କଟକଣାରେ କେତେକ ମାନୁନଥିବା ଦେଖିବାକୁ ମିଳୁଛି। ଅଧିକାଂଶ ଲୋକ ସାମାଜିକ ଦୂରତ୍ୱ କି ମାସ୍କ ପିନ୍ଧିବାରେ ସେତେଟା ଗୁରୁତ୍ୱ ଦେଉନାହାନ୍ତି। ବାହାଘର, ସୁଧଘର କିମ୍ବା ବିଭିନ୍ନ ଘରୋଇ କାର୍ଯ୍ୟକ୍ରମରେ କରୋନା ଭୟାବହତାକୁ ଆଖି ଆଗରେ ନରଖି ଭୋଜିଭାତର ଆସର ଜମଉଛନ୍ତି। ଯଦି ଏସବୁ କାର୍ଯ୍ୟକ୍ରମ ପ୍ରତି ଜିଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଅଙ୍କୁଶ ନଲାଗେ ତେବେ ଆଗାମୀ ଦିନରେ ନୟାଗଡ଼ ଯେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ନମୁହାଁଇବ ଏକଥା ଅସ୍ୱୀକାର କରାଯାଇନପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.