ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଦ୍ରିତ ଗଣମାଧ୍ୟମର ଆଦୃତ୍ତି ଓ ପ୍ରଭାବ ପୂର୍ବରୁ ଥିଲା ଏବେବି ରହିଛି ଏବଂ ଆଗକୁ ନିଶ୍ଚୟ ରହିବ । ତେବେ ଏ ଦିଗରେ ଉଭୟ ସମ୍ବାଦପତ୍ର ଓ ସାମ୍ବାଦିକମାନେ ନିରପେକ୍ଷ ହେବା ସହିତ ସମାଜର ବାସ୍ତବ ସମସ୍ୟାକୁ ଲୋକ ଲୋଚନକୁ ଆଣନ୍ତୁ । କେବଳ ସେତିକି ନୁହେଁ ସବୁବେଳେ ସତ୍ୟନିଷ୍ଟ ତଥା ଅନୁସନ୍ଧାନ ଧର୍ମୀ ସମ୍ବାଦ ପରିବେଷଣ କଲେ ସମ୍ବାଦ ପତ୍ର ଓ ସାମ୍ବାଦିକମାନେ ଅଧିକ ଯତ୍ନଶୀଳ ହୋଇ କାର୍ଯ୍ୟ କରିବାକୁ ସାପ୍ତାହିକ ସମ୍ବାଦପତ୍ର ସବୁଜ ଓଡ଼ିଶାର ଖୋଲାଫର୍ଦ୍ଦ ପକ୍ଷରୁ ଭଦ୍ରକ ଠାରେ ଆୟୋଜିତ ୧୩ତମ ବାର୍ଷିକ ପାଠକ ଉତ୍ସବର ବନ୍ଧୁ ମିଳନ ଓ ସାରସ୍ୱତ ସମ୍ବର୍ଦ୍ଧନା ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଏହି ଉପଲକ୍ଷେ ଖୋଲାଫର୍ଦ୍ଦର ମୁଖ୍ୟ ସଂପାଦକ ବିମଲ ଭଞ୍ଜଦେଓ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଉଦ୍ଘାଟକ ଭାବେ ସାଂସଦ ମଂଜୁଲତା ମଣ୍ଡଳ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ମୁକ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସମ୍ବାଦପତ୍ର ଓ ସାମ୍ବାଦିକତା ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ଭଦ୍ରକର ପୂର୍ବତନ ଜିଲାପାଳ ତଥା ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ତ୍ରିଲୋଚନ ମାଝୀଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ଉତ୍ତରୀୟ ମାନପତ୍ର ଓ ସ୍ମାରକୀ ଫଳକ ଦେଇ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପରେ ସ୍ୱାସ୍ଥ୍ୟ ସେବା ପାଇଁ ଅଶୋକ କୁମାର ମହାନ୍ତି, ଶିକ୍ଷାଦାନ ପାଇଁ ନିରଞ୍ଜନ ସେନାପତି, କ୍ରୀଡା ପାଇଁ ଲକି ମାଷ୍ଟର ସ୍ୱାଇଁ, ଆଦର୍ଶ ବ୍ୟକ୍ତି ଭାବେ ପ୍ରଫୁଲ୍ଲ ପଣ୍ଡା, ଆଦର୍ଶ ଚିତ୍ରଶିଳ୍ପୀ ସ୍ନେହା ଦାସ, ଡାକ୍ତରୀ ଛାତ୍ର ଚନ୍ଦ୍ର ପ୍ରସାଦ ପଣ୍ଡା, ଯୁବ ଆଇନ୍ଜୀବୀ ମନୋରଂଜନ ଦାସ, ପରିବେଶ ସୁରକ୍ଷା ପାଇଁ ଶରତ ଚନ୍ଦ୍ର ଜେନା, ସମବାୟବିତ ଗୋକୁଳାନନ୍ଦ ଦାସ, ଯୁବ ସଂଗଠନ ସନ୍ତୋଷ ଦାସ, ଟ୍ରାଫିକ୍ ହାବିଲଦାର ରମାକାନ୍ତ ଜେନା ପ୍ରମୁଖଙ୍କୁ ସାରସ୍ୱତୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ସାମ୍ବାଦିକ ନରେନ୍ଦ୍ର କୁମାର ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜିଲା ପ୍ରତିନିଧି ଗଣେଶ ପ୍ରସାଦ ମହାନ୍ତି । ଏହି ଅବସରରେ ସଂଗୀତ ନିର୍ଦ୍ଦେଶକ ରୁଦ୍ର ମାଧବ ବାରିକ, ଯୁବ ସମାଜସେବୀ ରାଜେନ୍ଦ୍ର ପରିଡାଙ୍କ ସଂଯୋଜନାରେ ବିଭିନ୍ନ ନାଚଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମକୁ ସାମ୍ବାଦିକ ବିବେକାନନ୍ଦ ପଣ୍ଡା ପ୍ରକାଶ କୁମାର ଦେବତା, ଗଂଗାଧର ଦାସ ପ୍ରମୁଖ ପରିଚାଳନା କରିଥିଲେ ।







