ଭୁବନେଶ୍ୱର, ୦୭/୦୮ (ଓଡ଼ିଆ ପୁଅ) : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ। କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି ଅବଧିକୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଘୁଂଚାଇଛନ୍ତି। ଚାଷୀଙ୍କ ହିତ ଦୃଷ୍ଟିରୁ ଏଭଳି ଏକ ନିଷ୍ପତି ନିଆଯାଇଥିବାରୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଏବଂ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ମହେଶ୍ୱର ସାହୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୈଳାଶ ଚୌଧୁରୀଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଗତ ଜୁଲାଇ ମାସ ୨୨ ତାରିଖ ଦିନ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମନ୍ୱୟ ବୌଠକରେ (ଏସ୍ଏଲ୍ସିସି) ପ୍ରସ୍ତାବ ପାରିତ ହେବା ପରେ ୨୩ ତାରିଖ ଦିନ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ସମ୍ବନ୍ଧିିତ ବିଜ୍ଞପ୍ତି ଜାରି କରିଥିଲେ। ମାତ୍ର ରାଜ୍ୟର ପ୍ରାୟ ସମସ୍ତ ଅଂଚଳରେ କୋଭିଡ-୧୯ ଜନିତ କଟକଣା ଏବଂ ଲକ୍ଡାଉନ / ସଟ୍ଡାଉନ କାରଣରୁ ସମୟ ଅବଧି କମ୍ ପାଇ ପାଖାପାଖି ୬୦ ପ୍ରତିଶତ ରାଜ୍ୟର କୃଷକମାନେ ଶସ୍ୟ ବୀମା ପଞ୍ଜିକରଣରୁ ବଂଚିତ ହୋଇଥିଲେ। ଏହି ସମୟ ସୀମା ବୃଦ୍ଧି କରିବା ପାଇଁ ରାଜ୍ୟସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଚାଷୀଙ୍କ ଦୁଃଖକୁ ହୃଦୟଙ୍ଗମ କରିନଥିଲେ। ଏବେ ମୋଦି ସରକାର ଏହି ବୀମା ତାରିଖ ଘୁଂଚାଇ ଲକ୍ଷ ଲକ୍ଷ ଚାଷୀଙ୍କୁ ଆଉ ଥରେ ନିଜ ପ୍ରିମିୟମ ରାଶି ଦେବା ପାଇଁ ସୁଯୋଗ ଦେଇଛନ୍ତି ବୋଲି ଶ୍ରୀ ପୁରୋହିତ ଓ ଶ୍ରୀ ସାହୁ କହିଛନ୍ତି।