ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାରିବର୍ଷ ପୂର୍ବେ ଟ୍ୟୁବୋକ୍ଟମି ବା ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା । କିନ୍ତୁ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମହିଳାଙ୍କୁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା । ଅସ୍ତ୍ରୋପଚାରର ୨ ଦିନ ପରେ ସଂପୃକ୍ତା ମହିଳାଙ୍କୁ ପ୍ରଥମେ ଭଦ୍ରକ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଶ୍ରୀରାମ ଭଞ୍ଜ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସମୟରେ ସଂପୃକ୍ତା ମହିଳା ସୁସ୍ଥ ଥିଲେ ମଧ୍ୟ ସରକାରୀ ନିୟମରେ ଥିବା ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଜନିତ ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ଏଯାବତ୍ ପାଇନାହାଁନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିଶନ ଊଭୟ ପୀଡିତା ଓ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିବା ସାମାଜିକ କର୍ମୀଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ପ୍ରାପ୍ତ ତଥ୍ୟ ଅନୁଯାୟୀ, ଚାନ୍ଦବାଲି ବ୍ଲକ୍ ସୁନ୍ଦରପୁର ଦୋହରପାଟଣା ଗ୍ରାମର ଭରତ ପଲାଇଙ୍କ ପତ୍ନୀ ମମତା ପଲେଇ ୨୦୧୯ ମସିହା ଡିସେମ୍ବର ୨୭ ତାରିଖ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ପାଇଁ ଅସ୍ତ୍ରୋପଚାର କରିଥିଲେ ।
ଡାକ୍ତର ପିକେ ସାହୁ ଉକ୍ତ ଅପରେସନ କରିଥିଲେ । କିନ୍ତୁ ଅସ୍ତ୍ରୋପଚାରର ୨ ଦିନ ପରେ ଅର୍ଥାତ୍ ସେହି ମାସ ୨୯ ତାରିଖ ପେଟରେ ମମତା ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଭଦ୍ରକ ଜିଲା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଖରାପ ଆଡକୁ ଗତି କରିବାରୁ ମମତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ପରେ ମମତା ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ସ୍ୱାଭାବିକ୍ ଜୀବନଯାପନ ଅତିବାହିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସେ ସରକାରୀ ନିୟମାନୁଯାୟୀ ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ପାଇବା କଥା । ଏହି ପ୍ରସଙ୍ଗରେ ୨୦୨୦ ମସିହାରେ ମାନବାଧିକାର କର୍ମୀ ତଥା ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ । ମାନ୍ୟବର ଆୟୋଗ ଏହାର ବିଚାର କରିବାକୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟକୁ ପଠାଇ ଦେଇଥିଲେ । ଏହି ମାମଲା ଏବେ ମଧ୍ୟ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ବିଚାରାଧୀନ ରହିଛି । ଏହି କ୍ରମରେ ଆସନ୍ତା ଅଗଷ୍ଟ ମାସ ୭ ତାରିଖ ସୁଦ୍ଧା ଉଭୟ ଅଭିଯୋଗକାରୀ ଓ ପୀଡିତା ମହିଳା ଏହି ପ୍ରସଙ୍ଗରେ ସେମାନଙ୍କ ମତାମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ୩ ବର୍ଷ ପରେ ମଧ୍ୟ ଏପରି ଏକ ସମ୍ବେଦନଶୀଳ ଘଟଣାରେ ପୀଡିତାଙ୍କୁ ନ୍ୟାୟ ଓ କ୍ଷତିପୂରଣ ନମିଳିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।








