ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ପର୍ଯ୍ୟଟନକୁ ଶିଳ୍ପର ମାନ୍ୟତା ଦେଇଛନ୍ତି। ଏହି ଶିଳ୍ପରୁ ବ୍ୟାପକ ରାଜସ୍ୱ ମିଳିବାର ସମ୍ଭାବନା ଥିବା ଦୃଷ୍ଟିରୁ ଏହାର ବିକାଶ ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଭଦ୍ରକ ଜିଲ୍ଲାରେ ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ କୋମରେ ରହିଛି। ଜଣେ ମାତ୍ର ପିଅନଙ୍କୁ ନେଇ ଚାଲିଛି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ। ଯଦି ବି ଜଣେ ଅଧିକାରୀ ଏଠାରେ ଅଛନ୍ତି, ସେ କିନ୍ତୁ ବାଲେଶ୍ୱରରୁ ଆସି ଅତିରିକ୍ତ ଭାବେ ଦାୟିତ୍ୱ ତୁଲାଉଛନ୍ତି। ତାହା ପୁଣି ସପ୍ତାହରେ ଦୁଇ ଦିନ। ତେଣୁ ଜଣେ ଅସ୍ଥାୟୀ ଅଧିକାରୀ ଓ ଜଣେ ପିଅନଙ୍କୁ ନେଇ ପର୍ଯ୍ୟଟନ ବିଭାଗ କିପରି ଜିଲ୍ଲାରେ ଚାଲିଥିବ ତାହା ସହଜରେ ଅନୁମେୟ। ରାଜ୍ୟ ପର୍ଯ୍ୟଟନ ବିଭାଗର ପୁରୁଣା ପାନ୍ଥ ନିବାସ ପରିତ୍ୟକ୍ତ ଅବସ୍ଥାକୁ ଆସିବାରୁ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିମୟରେ ଏହାର ପୁନରୁଦ୍ଧାର କରାଯାଇଥିଲା। ପାନ୍ଥ ନିବାସ ପରିସରରେ ନୂତନ ଭାବେ ଦୁଇ ମହଲା ବିଶିଷ୍ଟ ଏକ ଅତ୍ୟାଧୁନିକ ପର୍ଯ୍ୟଟନ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। ଏପରି ଚକାଚକ୍ କାର୍ଯ୍ୟାଳୟ ଜିଲ୍ଲରେ କୌଣସି ବିଭାଗର ନାହିଁ। ସେଠାରେ ମୋଟ ୮ଟି ବଡ଼ କୋଠରୀ ରହିଛି। କିନ୍ତୁ ସବୁ ଫାଙ୍କା ପଡ଼ିଛି। ଦୁଇଟି ପ୍ଲାଷ୍ଟିକ ଚେଆର ଓ ଗୋଟିଏ ପ୍ଲାଷ୍ଟିକ ଟେବୁଲ ଅଧିକାରୀ ଓ ପିଅନ ବସି କାମ ଚଳାଉଛନ୍ତି। କୋଠରୀ ଗୁଡ଼ିକ ଅବ୍ୟବହ୍ୟତ ହୋଇ ପଡ଼ି ରହିଛି। ସେହପିରି କାର୍ଯ୍ୟାଳୟ ପରିସର ମଧ୍ୟ ଘଞ୍ଚ ଜଙ୍ଗଲି ବୁଦାରେ ଲୁଚିବାକୁ ବସିଲାଣି। ତେବେ ଭିତ୍ତିଭୂମୀର ଅଭାବ ପାଇଁ ଜିଲ୍ଲାରେ ଏହି ଶିଳ୍ପ ଆଗକୁ ବଢ଼ି ପାରୁ ନାହିଁ ବୋଲି ସହରବାସୀଙ୍କ ମତ।
ସୂଚନାନୁଯାୟୀ ଭଦ୍ରକ ଜିଲ୍ଲାରେ ରହିଛି ୧୨ଟି ପର୍ଯ୍ୟଟନସ୍ଥଳୀ। ଆରଡ଼ି ଧାମର ବାବା ଆଖଣ୍ଡଳମଣୀଙ୍କ ପୀଠ, ଧାମନଗର, ଚାନ୍ଦବାଲି, ପାଟନ ମଙ୍ଗଳା, ଧାମରା, ମା’ଭଦ୍ରକାଳୀ, ଦପା ନାୟକାଣୀ, ରକ୍ତତୀର୍ଥ ଈରମ, ଲୁଣିଆ ସହିଦନଗର, ଗୋହିରାଟିକିରି ଓ ଗୁଆମାଳର ନୂଆଶାସନ। ଏସମସ୍ତ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। କରୋନା ମହାକାରୀ ପାଇଁ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଥିବାରୁ ୨୦୨୧ ଓ ୨୦୨୨ ମସିହାରେ ଜିଲ୍ଲାକୁ ପ୍ରାୟତଃ ପର୍ଯ୍ୟଟକ ଆସିନଥିବା ବିଭାଗୀୟ ସୂଚନାରୁ ପ୍ରକାଶ। ତେବେ ୨୦୧୮ ମସିହାରେ ଆରଡ଼ି ଧାମକୁ ୯ଲକ୍ଷ ୭୫ହଜାର ୭୨୦ ଜଣ ପର୍ଯ୍ୟଟକ ଆସିଥିବାବେଳେ, ୨୦୧୯ରେ ୧୦ଲକ୍ଷ ୨୭ହଜାର ୯୪୨ଜଣ ପର୍ଯ୍ୟଟକ ଆସିଥିଲେ। କିନ୍ତୁ ୨୦୨୦ରେ ଏହି ସଂଖ୍ୟା ହ୍ରାସ ପାଇ ୨ଲକ୍ଷ ୩୦ହଜାର ୧୬୧ରେ ପହଞ୍ଚିଥିଲା। ସେହିପରି ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ମା’ ଭଦ୍ରକାଳୀଙ୍କ ପୀଠକୁ ୨୦୧୮ରେ ୧ଲକ୍ଷ ୨୧ହଜାର ୫୪୩ ଓ ୨୦୧୯ରେ ୧ଲକ୍ଷ ୨୧ହଜାର ୫୪୩ ପର୍ଯ୍ୟଟକ ଆସିଥିବାବେଳେ, ୨୦୨୦ରେ ଏହି ସଂଖ୍ୟା ହ୍ରାସ ପାଇ ୪୪ହଜାର ୨୭୯ରେ ପହଞ୍ଚିଥିଲା। ଧାମରାକୁ ୨୦୧୮ରେ ୧ଲକ୍ଷ ୩୨ ହଜାର ୭୯୨, ୨୦୨୦ରେ ୧ଲକ୍ଷ ୪୮ହଜାର ୭୦୯ ପର୍ଯ୍ୟଟକ ଆସିଥିବାବେଳେ, ୨୦୨୦ରେ ଏହା ହ୍ରାସ ପାଇ ୪୯ହଜାର ୯୪୨ଜଣ ପର୍ଯ୍ୟଟକ ଆସିଥିଲେ। ଅନୁରୂପ ଚାନ୍ଦବାଲିକୁ ୨୦୧୮ରେ ୨ଳକ୍ଷ ୧୬ହଜାର ୬୨୫ ଓ ୨୦୧୯ରେ ୨ଲକ୍ଷ ୩୧ହଜାର ୧୭୪ ଆସିଥିବାବେଳେ, ୨୦୨୦ରେ ଏହି ସଂଖ୍ୟା ୪୫ହଜାର ୯୬୧ରେ ପହଞ୍ଚିଥିଲା। ଅନୁରୂପ ଅନ୍ୟ ସମସ୍ତ ପର୍ଯ୍ୟଟନସ୍ଥଳରେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ଆନୁପାତିକ ରୀତିରେ କମିଥିଲା। ତେବେ କରୋନାର ପଦଧ୍ୱନୀ ଶୁଣିବାକୁ ମିଳିବା ପରେ ଓ ଲକଡାଉନ ସର୍ଟ ଡାଉନ ପାଇଁ ୨୦୨୦ ମସିହାରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଥିଲା ବୋଲି କହିଛନ୍ତି ଅତିରିକ୍ତ ଦାୟିତ୍ୱରେ ଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଗଗନ ଚନ୍ଦ୍ର ସାହୁ। ଶ୍ରୀ ସାହୁ ବାଲେଶ୍ୱର ପର୍ଯ୍ୟଟନ ଅଧିକାରୀ ରହିବା ସହ ଆହୁରି ଦୁଇଟି ଦାୟିତ୍ୱରେ ମଧ୍ୟ ଥିବା କହିଛନ୍ତି। ତେବେ ଭଦ୍ରକ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ଯେତିକି ପ୍ରୋତ୍ସାହନ ଦେବା କଥା ସେଥିରେ କୌଣସି ଉଣା କରି ନାହାନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷେ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉପଯୁକ୍ତ ବିକାଶ ଆଜି ପର୍ଯ୍ୟନ୍ତ ହୋଇ ପାରିନି। ଚାନ୍ଦବାଲି ଓ ଆରଡ଼ି ପୀଠକକୁ ଛାଡ଼ି ଦେଲେ କୌଣସି ପର୍ଯ୍ୟଟନସ୍ଥଳୀକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଭଦ୍ରକର ଆରାଧ୍ୟ ଦେବୀ ମା’ ଭଦ୍ରକାଳୀଙ୍କ ପୀଠକୁ ଯାଇଥବବା ରାସ୍ତାର ଅବସ୍ଥା ଏପରିଯେ କୌଣସି ପର୍ଯ୍ୟଟକ ସେଠାକୁ ଦ୍ୱିତୀୟ ଥର ଯିବାକୁ ଇଛା ପ୍ରକାଶ କରିବ ନାହିଁ। ତେଣୁ ସାମଗ୍ରୀକ ଭାବେ ଦେଖିଲେ ଜିଲ୍ଲାରେ ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ କୋମା ଅବସ୍ଥାରେ ରହିଛି।