ଭୁବନେଶ୍ୱର ୩୧-୭ (ଓଡ଼ିଆ ପୁଅ) କରୋନା ପାଇଁ ଅଧିକ ଆତଙ୍କିତ ନ ହୋଇ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ ବାରମ୍ବାର ହାତ ଧୋଇବା ଭଳି ପ୍ରତିଷେଧକ ଅନୁସରଣ କରିବା ସହ ଭୂତାଣୁ ସମ୍ପର୍କରେ ଜନସଚେତନତା ହିଁ ସମାଜକୁ ସୁସ୍ଥ ରଖିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଅନୁଷ୍ଠିତ ୱେବିନାରରେ ଯୋଗଦେଇ ବିଶେଷଜ୍ଞମାନେ ଏହି ମତ ବ୍ୟକ୍ତ କରିଛନ୍ତି। ଏଥିରେ ଅଂଶଗ୍ରହଣ କରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କୁଳପତି ତଥା ଏମ୍ସ, ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଅଶୋକ କୁମାର ମହାପାତ୍ର କହିଲେ ଯେ, ମୌଳିକତଃ କୋଭିଡ-୧୯ ଏକ ଶ୍ୱାସକ୍ରିୟା ସଂକ୍ରମଣ ଜନିତ ରୋଗ ହେଲେ ମଧ୍ୟ ରୋଗର ସଂକ୍ରମଣ ବ୍ୟାପକତା ନେଇ ଗବେଷଣା ଦ୍ୱାରା ନୂତନ ତଥ୍ୟମାନ ଆସୁଛି। ଏହା ବାୟୁ ବାହିତ ବୋଲି ତଥ୍ୟ ଆସିବା ପରେ ସାମାଜିକ ଦୂରତ୍ୱ ଓ ମହତ୍ୱ ଅଧିକ ବୃଦ୍ଧି ପାଇଛି। ତେବେ ଶତକଡା ୮୦ ଭାଗ ରୋଗୀ ସାମାନ୍ୟ ଲକ୍ଷଣଯୁକ୍ତ ବା ଲକ୍ଷଣ ବିହୀନ ଥିବାରୁ ଭୟର କୌଣସି କାରଣ ନାହିଁ। ଅଧିକ ଲକ୍ଷଣଯୁକ୍ତ ଓ ଜଟିଳ ଅବସ୍ଥାରେ ଥିବା ରୋଗୀଙ୍କ ନିମନ୍ତେ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଦେଶୀୟ ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ପ୍ରୟୋଗ କଲେ ମଧ୍ୟ ଏହାକୁ ଚିକିତ୍ସାର ଔଷଧ ଭାବେ ବିବେଚନା କରାଯିବା ଅନୁଚିତ। କୋଭିଡ ଭ୍ୟାକସିନ କେବେ ଆସିବ ତାହା ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ। ସେପର୍ଯ୍ୟନ୍ତ ସତର୍କତା ଓ ସଚେତନତା ହିଁ ଏହାର ନିର୍ଦ୍ଦିଷ୍ଟ ଉତର ବୋଲି ସେ କହିଛନ୍ତି। ଏଥିରେ ଅଂଶଗ୍ରହଣ କରି ଭୁବନେଶ୍ୱରସ୍ଥିତ ଆଂଚଳିକ ଭେଷଜ ଗବେଷଣା ପରିଷଦ (ଆଇସିଏମଆର – ଆରଏମଆରସି) ନିର୍ଦ୍ଦେଶିକ ଡ- ସଂଘମିତ୍ରା ପତି କହିଥିଲେ ଯେ, କୋଭିଡ-୧୯ ନେଇ କୌଣସି ଅଜଥା ଭୟର ବାତାବରଣ ସୃଷ୍ଟି ହେବା ଅନୁଚିତ। ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଏହି ତିନୋଟି ପଦ୍ଧତି ଅନୁସରଣ କରି ସଂକ୍ରମଣ ଦୂର କରିବା ନେଇ ପ୍ରୟାସ ଜାରି ରହିଛି। ଓଡିଶାରେ କୋଭିଡ ମାମଲା ବୃଦ୍ଧି ପାଇବା ସହ ପରୀକ୍ଷା ଓ ଚିହ୍ନଟ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ପରୀକ୍ଷା ସୁବିଧା ରହିଛି। ପରୀକ୍ଷା ଭିତିଭୂମିରେ ଦ୍ରୁତ ପ୍ରଗତି ଘଟୁଥିବା ଯୋଗୁଁ ଭବିଷ୍ୟତରେ ଅଧିକରୁ ଅଧିକ ପରୀକ୍ଷା ମଧ୍ୟ କରାଯାଇ ପାରିବ। ଜନସାଧାରଣ ସେ ଦୃଷ୍ଟିରୁ ଅଜଥା ଆତଙ୍କିତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପିଆଇବି ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୱେବିନାରରେ ଆଂଚଳିକ କ୍ଷେତ୍ର ପ୍ରଚାର ବ୍ୟୁରୋର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ବଳଭଦ୍ର ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପତ୍ର ସୂଚନା କାର୍ଯ୍ୟାଳୟର ଗଣ ଯୋଗାଯୋଗ ଅଧିକାରୀ ଡ- ପ୍ରଦୀପ କୁମାର ଚୌଧୁରୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସହାୟକ ଅଧିକାରୀ ଶ୍ରୀ ସ୍ୱାଧିନ ଶକ୍ତି ପ୍ରସାଦ ବୈଷୟିକ ସହଯୋଗ କରିଥିଲେ।