Home ଜିଲ୍ଲା ପରିକ୍ରମା କେଳାସାହି ଗାଁରେ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା ଘଟଣା, ଗାଁକୁ ଫେରି ପାରୁନାହାଁନ୍ତି ଆକ୍ରମଣରେ ଶିକାର...

କେଳାସାହି ଗାଁରେ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା ଘଟଣା, ଗାଁକୁ ଫେରି ପାରୁନାହାଁନ୍ତି ଆକ୍ରମଣରେ ଶିକାର ପରିବାର

30

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପିରହାଟ ଥାନା ବାରସର ପଞ୍ଚାୟତ ଅଧୀନ କେଳାସହି ଗ୍ରାମରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଘଟଣାକୁ ୫ଦିନ ବିତିଲାଣି । ମାତ୍ର ପୁଲିସ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଆଜିଯାଏ ଗିରଫ କରିବାରେ ସକ୍ଷମ ହୋଇ ପାରିନାହିଁ । ଫଳରେ ଆକ୍ରମଣର ଶିକାର ହୋଇଥିବା ପରିବାର ସଦସ୍ୟମାନେ ଭୟଭୀତ ହୋଇ ଗାଁକୁ ଫେରି ପାରୁନଥିବା ବେଳେ ଅନ୍ୟତ୍ର ଆଶ୍ରୟ ନେଇଥିବା ଜଣାଯାଇଛି । ତେବେ ଆକ୍ରମଣର ଶିକାର ହୋଇଥିବା ପରିବାରର ମୁଖ୍ୟ ବୁଦ୍ଧିରାମ ଦାସଙ୍କ ବୋହୂ ରୀନାରାଣୀ ଦାସ ଶୁକ୍ରବାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି । ଏହା କରାନଗଲେ ସେମାନଙ୍କ ତାଙ୍କ ପରିବାର ପ୍ରତି ଅଧିକ ବିପଦ ସୃଷ୍ଟି ହେବ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ଏଥିପାଇଁ ପିରହାଟ ଥାନା ପୋଲିସର କାଳକ୍ଷେପଣ ନୀତିକୁ ଦାୟୀ କରିଛନ୍ତି । ପ୍ରକାଶ ଯେ, ଗତ ୨୦ ତାରିଖ ରାତିରେ କେଳାସାହି ଗ୍ରାମର କେତେକ ପରିବାର ପୂର୍ବ ଶତ୍ରୁତାକୁ ନେଇ ବୁଦ୍ଧିରାମଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏପରିକି ସେମାନେ ବୁଦ୍ଧିରାମଙ୍କ ଘରେ ଥିବା ୨ଟି ବାଇକ, ଟିଭି, ଫ୍ରିଜ, ଆଲମାରୀ ସମେତ ବିଭିନ୍ନ ଆସବାବପତ୍ରକୁ ଭଙ୍ଗାରୁଜା କରିଥିଲେ । ବାଇକକୁ ଭାଙ୍ଗି ନଈକୁ ଫିଙ୍ଗି ଦେଇଥିଲେ । ଏହି ଘଟଣା ପରେ ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ଓ ପିରହାଟ ଥାନା ଆଇଆଇସି ଗୟାଧର ବେହେରା ଗାଁରେ ତଦନ୍ତ କରିଥିଲେ ଏବଂ ବୁଦ୍ଧିରାମଙ୍କ ଅଭିଯୋଗ କ୍ରମେ କେଶ ନଂ ୧୧୫/୨୩ରେ ଏକ ମକଦ୍ଦମା ରୁଜୁ ହୋଇଥିଲା । ମାତ୍ର ଅଭିଯୁକ୍ତମାନେ ଗାଁ ପାଖାପାଖି ଲୁଚିଛପି ରହୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରୁନଥିବା ଦର୍ଶାଯାଇଛି । ଏପରିକି ବୁଦ୍ଧିରାମଙ୍କ ଘରେ ଭୋକ ଉପାସରେ ଥିବା ୩ଟି ଗାଈବାଛୁରୀକୁ ଆଣିବା ପାଇଁ ତାଙ୍କର ଜଣେ ସମ୍ପର୍କୀୟ ଆଣିବାକୁ ଯାଇଥିବା ବେଳେ ଅପରପକ୍ଷର ଲୋକେ ଏହା କରାଇ ଦେଇନଥିବା ବୁଦ୍ଧିରାମଙ୍କ ପୁଅ ଗଗନ ଦର୍ଶାଇଛନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଏ ସମ୍ପର୍କରେ ପୀରହାଟ ଥାନା ଅଧିକାରୀ ଗୟାଧର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି ଓ ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.