Home ଓଡ଼ିଶା କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ସାମିଲ କରି କେବଳ ମିଛ ବାହାସ୍ପଟ ମାରୁଛନ୍ତି ରାଜ୍ୟସରକାର:ବିଜେପି

କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ସାମିଲ କରି କେବଳ ମିଛ ବାହାସ୍ପଟ ମାରୁଛନ୍ତି ରାଜ୍ୟସରକାର:ବିଜେପି

186

ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନଙ୍କୁ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ଯୋଗାଇଦେବାର ଘୋଷଣା ପ୍ରସଙ୍ଗ

ଭୁବନେଶ୍ୱର, ତା-୨୫/୦୭ (ଓଡ଼ିଆ ପୁଅ) : ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନଙ୍କୁ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ଯୋଗାଇଦେବାର ଘୋଷଣା କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟସରକାର କେଉଁମାନଙ୍କୁ ଏହି ଖାଦ୍ୟ ଯୋଗାଇବେ । ଚଳିତ ମାସ ପ୍ରଥମ ସପ୍ତାହରେ ମୋଦି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୧ କୋଟି ହିତାଧିକାରୀଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ଯୋଗାଇଦେବାର ଘୋଷଣା କରିଛନ୍ତି। ଏହି ନିଷ୍ପତିକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଛି। କେନ୍ଦ୍ର ସରକାରଙ୍କ ଯୋଜନା ଓ ନିଷ୍ପତିକୁ ନିଜେ ଘୋଷଣା କରି ରାଜ୍ୟସରକାର ବାହାସ୍ପଟ ମାରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଦେଶରେ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହେବା ସମୟରେ ରାଜ୍ୟର ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ୭୪ହଜାର ୨୧୮ ଥିଲା। ଏହି ଯୋଜନାରେ ଓଡିଶାରୁ ୩ କୋଟି ୨୬ ଲକ୍ଷ ୪୧ ହଜାର ୮୦୦ ଲୋକଙ୍କୁ ସାମିଲ କରାଯାଇ ସେମାନଙ୍କୁ ମାସକୁ ୫ କିଲୋ ଚାଉଳ ଦିଆଗଲା। କେନ୍ଦ୍ରସରକାର କରିଥିବା ଏହି ଯୋଜନାରେ ହିତାଧିକାରୀଙ୍କୁ ୩ ଟଙ୍କା ଦେବାକୁ ପଡୁଥିଲା ବେଳେ ରାଜ୍ୟସରକାର କେବଳ ମାତ୍ର ୨ ଟଙ୍କା ଏବଂ ହିତାଧିକାରୀଙ୍କ ଠାରୁ ୧ ଟଙ୍କା ଆଦାୟ କରି ଟଙ୍କିକିଆ ଚାଉଳ ଦେଉଛନ୍ତି ବୋଲି ଘୋଷଣା କରିଥିଲେ। କିନ୍ତୁ ଏହି ହିତାଧିକାରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା କାରଣରୁ ଅନେକ ସ୍ଥାନରେ ଭୂତ ନାଁରେ ଚାଉଳ ହଡପ କରାଯାଉଛି। ମେ ୨୪ ରେ ୨୦୧୮ରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଓଡିଶାର ଜନସଂଖ୍ୟା ୪ କୋଟି ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଦର୍ଶାଇ ହିତାଧିକାରୀଙ୍କ ସଂଖ୍ୟା ୩୩ ଲକ୍ଷରୁ ୪୪ଲକ୍ଷ ବୃଦ୍ଧି କରିବା ପାଇଁ କହିଥିଲେ। ରାଜ୍ୟସରକାର ଅକ୍ଟୋବର ୨ ତାରିଖରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଆରମ୍ଭ କଲେ। କିନ୍ତୁ ଏହାର ତାଲିକାକୁ ଏଯାବତ ସର୍ବସାଧାରଣ ପ୍ରକାଶ କଲେ ନାହିଁ। ଏଥିରୁ ସ୍ପଷ୍ଟ ଯେ ରାଜ୍ୟସରକାର କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜେ କରୁଛନ୍ତି ବୋଲି ଡିଣ୍ଡିମ ପିଟି ଓଡିଶାବାସୀଙ୍କୁ ବିଭ୍ରାନ୍ତି କରାଇଛନ୍ତି।

ରାଜ୍ୟସରକାର କରୋନା ମହାମାରୀ ସମୟରେ ରାଜ୍ୟସରକାରଙ୍କ ନିଜସ୍ୱ ଖାଦ୍ୟସୁରକ୍ଷା ଯୋଜନାରେ ଯେତିକି ଲୋକ ଯୋଡିହୋଇଛନ୍ତି ସେମାନଙ୍କୁ କେନ୍ଦ୍ର ସରକାର ଚାଉଳ ଓ ଡାଲି ଯୋଗାଇଦେଇଛନ୍ତି। କେନ୍ଦ୍ରସରକାର ରାଜ୍ୟସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ମାଗଣାରେ ୮ ମାସ ପାଇଁ ୫ କିଲୋ ଚାଉଳ ଓ ୧ କିଲୋ ଡାଲି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ରାଜ୍ୟସରକାରଙ୍କ ୱେବସାଇଟରେ ୬ ଲକ୍ଷ ପ୍ରବାସୀ ଶ୍ରମିକ ପଂଜୀକରଣ କରିଛନ୍ତି ଏବଂ ୫ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଓଡିଶାକୁ ଫେରିଛନ୍ତି। ସେମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ଚାଉଳ ଓ ଡାଲି ଯୋଗାଇ ଦେଉଛନ୍ତି। ତେବେ ରାଜ୍ୟସରକାର ଚାଉଳ ଓ ଡାଲି କାହାକୁ ଦେବେ ଏବଂ ସେମାନେ କିଏ ଏହାର ଉତର ରାଜ୍ୟସରକାର ରଖନ୍ତୁ। ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଖାଦ୍ୟ ପହଂଚି ପାରୁନଥିବାବେଳେ ରାଜ୍ୟସରକାର ମିଥ୍ୟା କହି ମାଗଣାରେ ଚାଉଳ ଦେବେ କହି ବାହା ବାହା ମାରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.