କେନ୍ଦ୍ରାପଡ଼ା, ୪ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ‘ଜୱାଦ’ ବାତ୍ୟାର ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ବ୍ଲକ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି। ଶନିବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ୪୮୨ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେଥିମଧ୍ୟରୁ ଡେରାବିଶ ବ୍ଲକରୁ ୮୫, ଗରଦପୁରରୁ ୨୮, ମାର୍ଶାଘାଇରୁ ୨୦, ରାଜକନିକାରୁ ୬୪, ରାଜନଗରରୁ ୨୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୫ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୮ଟି ଅନ୍ୟାନ୍ୟ ଆଶ୍ରୟସ୍ଥଳୀକୁ ମିଶାଇ ସମୁଦାୟ ୧୩ଟି ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ରଖାଯାଇଛି। ବାତ୍ୟା ନିମନ୍ତେ ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ଏନ୍ଡିଆରଏଫ ଦଳ ଏବଂ ଓଡ୍ରାଫ ଦଳକୁ ତିନି ଭାଗରେ ବିଭକ୍ତ କରାଯାଇ ଗୋଟିଏ କେନ୍ଦ୍ରାପଡ଼ା ସଦର ମହକୁମାରେ, ଦ୍ୱିତୀୟଟି ରାଜକନିକାରେ ଓ ତୃତୀୟ ଦଳକୁ ମାର୍ଶାଘାଇରେ ମୁତୟନ କରାଯାଇଛି। ପୂର୍ବରୁ ପ୍ରଥମ ଏନ୍ଡିଆରଏଫ ଏବଂ ଓଡ୍ରାଫକୁ ରାଜନଗର ଏବଂ ମହାକାଳପଡ଼ାରେ ପ୍ରସ୍ତୁତ ରଖାଯାଇଛି। ତାଳଚୁଆ ଓ ରଙ୍ଗନି ମଧ୍ୟରେ ଅଗ୍ନିନିର୍ବାପକ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଗରଦପୁର ବ୍ଲକ କିନିଲୋ ଗ୍ରାମରେ ଗୋପାଳ ବାରିକଙ୍କ ପୁଅ ଦିଲୀପ ବାରିକଙ୍କ ଘର କାନ୍ଥ ପଡିଯାଇଥିବାରୁ ତାଙ୍କ ପରିବାର ଲୋକଙ୍କୁ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ରଖାଯାଇଛି। ତାଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ଗରଦପୁର ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି। ଯାଜପୁର ଜଲ୍ଲାରୁ ରାଜକନିକାକୁ ଧାନ କାଟିବାକୁ ଆସିଥିବା ୩୫ ଜଣ ଲୋକଙ୍କୁ ବାଘାବୋଡ଼ା ବିଦ୍ୟାଳୟରେ ରଖାଯିବା ସହ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ଓଳାଭର କାଳୀ ପଡିଆରେ ମହାରାଷ୍ଟ୍ରରୁ ଆସିଥିବା ୨୭ ଜଣ ଯାଯାବର ଲୋକଙ୍କୁ ପଲିଥିନ ତଳେ ରହୁଥିବାରୁ ସେମାନଙ୍କୁ ଓଳାଭର ଉଚ୍ଚ ବିଦ୍ୟାଳୟରେ ରଖାଯାଇ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ସମସ୍ତ ବ୍ଲକ ଓ ତହସିଲ, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ଏବଂ ଜିଲ୍ଲା ଜରୁରୀ ବିଭାଗ ‘ଜୱାଦ’ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ବେଳେ ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।