Home ଜିଲ୍ଲା ପରିକ୍ରମା କୃଷିର ଉନ୍ନତି ବିନା ସାମଗ୍ରିକ ଉନ୍ନତି ଅସମ୍ଭବ, ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳନ ତଥା...

କୃଷିର ଉନ୍ନତି ବିନା ସାମଗ୍ରିକ ଉନ୍ନତି ଅସମ୍ଭବ, ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳନ ତଥା ଅକ୍ଷିମୁଠି ଅନୁକୁଳ

20

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ୍ ଓଡ଼ଙ୍ଗ ଗ୍ରାମ ପଞ୍ଚାୟତର ସରମରା ଗ୍ରାମରେ ଭଦ୍ରକ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟ ଦିବସ ତଥା ଅକ୍ଷିମୁଠି ଅନୁକୁଳ ପର୍ବ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ମନୋଜ ପାତ୍ର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭୂମିପୂଜା ପୂର୍ବକ ଅକ୍ଷିମୁଠି ଅନୁକୁଳ କରି ଉକ୍ତ ଦିବସ ପାଳନ ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ । କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଓ ପ୍ରତ୍ୟେକ କୃଷକ ପରିବାରର ସାମାଜିକ ପରମ୍ପରା ଅକ୍ଷିମୁଠି ଅନୁକୁଳ ର ଆଭିମୁଖ୍ୟ ପ୍ରକାଶ କରିବା ସହିତ କୃଷକ ହିଁ ଆମ ରାଜ୍ୟ ତଥା ଦେଶର ଆର୍ଥିକ ମେରୁଦଣ୍ଡ ବୋଲି ସେ ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ । ସ୍ୱାଧୀନତା ପୂର୍ବରୁ କୃଷକ ପାଇଁ ଥିବା ଜମି ସମସ୍ୟା କି କୃଷିରେ ଅନଗ୍ରସରତା ଆଜି ଦୂରୀଭୁତ ହୋଇ କୃଷି ଓ କୃଷକ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଛି । ତଥାପି ଆମ ଦେଶର ଲୋକ ସଂଖ୍ୟା ବୃଦ୍ଧି ଅନୁଯାୟୀ ଆଗାମୀ ଦିନରେ ବି କୃଷିର ଆହୁରି ଉନ୍ନତି ଆବଶ୍ୟକ । କୃଷିର ଉନ୍ନତି ବ୍ୟତିରେକେ ଦେଶର କି ସମାଜର ଉନ୍ନତି ଅସମ୍ଭବ ବୋଲି ସେ କହିଥିଲେ । ଏବେର ସମନ୍ନ୍‌ିତ କୃଷି, ପର୍ଯ୍ୟାୟ ଫସଲ, ଧାଡ଼ି ରୁଆ ଆଦି ପଦ୍ଧତିର ବ୍ୟବହାର କୃଷକ କୁ ଯଥେଷ୍ଟ ସ୍ୱାବଲମ୍ବୀ କରାଇବାରେ ସକ୍ଷମ ହୋଇଛି । ଅଧିକ ରୁ ଅଧିକ ଚାଷୀ ଏହି ସବୁ ପଦ୍ଧତିକୁ ଆପଣେଇଲେ ପରିବାର ସହିତ ସମାଜର ଆର୍ଥିକ ମେରୁଦଣ୍ଡ ସଳଖି ପାରିବ ବୋଲି ପରାମର୍ଶ ପ୍ରଦାନ ଦେଇଥିଲେ । ବନ୍ତ ବ୍ଲକ୍ ପଞ୍ଚାୟତ ସମିତିର ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ କୃଷକ ମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ସମସ୍ତ ଯୋଜନା ବିଷୟରେ ସଚେତନ ହେବା ସହିତ ସେଗୁଡ଼ିକର ସଦୁପଯୋଗ କରିବା ପାଇଁ ସ୍ଥାନୀୟ ଚାଷୀମାନଙ୍କୁ ଆହ୍ୱାନ କରିଥିଲେ ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ଦ୍ୱାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀଧର ଦାସ ପରିଚାଳନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡ଼. ଅରବିନ୍ଦ ଦାସ, କୃଷି ଗବେଷକ ଡ଼. ୟୁ.ଏସ୍‌. ନାୟକ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ରଶ୍ମିରଞ୍ଜନ ପାତ୍ର, ଅତିରିକ୍ତ ତହସିଲଦାର ବନ୍ତ ବୀନିତା ରାଣୀ କିସ୍କୁ, ଜିଲ୍ଲା ମତ୍ସ୍ୟଧିକାରୀ ପ୍ରକାଶ କୁମାର ନାୟକ, ଓଡ଼ଙ୍ଗ ସରପଞ୍ଚ ଲକ୍ଷ୍ମୀପ୍ରିୟା ଦାସ, ସମିତି ସଭ୍ୟା ରଜନୀ ଜେନା, ଯୁବ ବି.ଜେ.ଡ଼ି ସଭାପତି ସତ୍ୟ ସୋଧନ ବେଜ୍‌, ଏ.ଡ଼ି.ଏଚ୍‌. ବିନୋଦ ଜେନା, ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ନିର୍ମଳ ଚନ୍ଦ୍ର ବାରିକ୍‌, ସହକାରୀ ଉପନିବନ୍ଧକ ସମବାୟ ସତ୍ୟ ପ୍ରକାଶ ସେଠୀ, ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଲ୍ଲେଖନୀୟ ସଫଳତା ପାଇଁ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପ୍ରାଣୀ ପାଳନ ଓ ମୃତ୍ତିକା ସଂରକ୍ଷଣ ଏହି ୫ଟି କ୍ଷେତ୍ରରେ ଜଣକୁ ଲେଖାଏଁ ୫ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯଥେଷ୍ଟ ଉତ୍ପାଦନ ବୃଦ୍ଧି ଆଳରେ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଯୋଗୁଁ ଏବେ ମୃତ୍ତିକା, ଫସଲ ଫସଲ ପନିପରିବା ଆଦି ପ୍ରଦୂଷଣ ଯୁକ୍ତ ଓ ବିଷାକ୍ତ ହେବା ଏକ ସମସ୍ୟା ରୂପେ ଦେଖାଦେଇଛି । ଏଥିରୁ ମୁକ୍ତି ପାଇଁ ଆମକୁ ପ୍ରଥମେ ରାସାୟନ ମୁକ୍ତ ହୋଇ ପାରମ୍ପରିକ ଜୈବିକ ଖତ ରୂପେ ଗୋବର ଖତ, ଜିଆଖତ, କମ୍ପୋଷ୍ଟ ଖତ ଆଦିର ବ୍ୟବହାର ସାଙ୍ଗକୁ ନିମ୍ବ ଭଳି ଜୈବିକ କୀଟ ନାଶକ ର ବ୍ୟବହାର ନେଇ ଜ୍ଞାନ କୈଶଳ ଶିଖିବାକୁ ପଡ଼ିବ ବୋଲି ବୈଜ୍ଞାନିକ ଓ ଗବେଷକ ମାନେ ମତ ପ୍ରକାଶ କରିଥିଲେ । ସମ୍ପୃକ୍ତ କୃଷି ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର ଯୋଜନା, ସବ୍‌ସିଡ଼ି, ସୁବିଧା ସୁଯୋଗ ସମ୍ବନ୍ଧରେ ଚାଷୀମାନଙ୍କୁ ଅବଗତ କରାଇଥିଲେ । ଆଗରପଡ଼ାର ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ପତି ଏବଂ ଭି.ଏ.ଡ଼ବ୍ଲ୍ୟୁ ଭୀମସେନ୍ ସାମଲ, ମନୋଜ କୁମାର ଜେନା, ବିମ୍ବାଧର ସେଠୀ ଓ ରାଜେଶ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.