ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦୋବଲ ପଂଚାୟତର ସୋଧ ଗ୍ରାମରେ ଏକ କୀର୍ତ୍ତନମଣ୍ଡପର ନବୀକରଣ ପାଇଁ ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡ଼ି ମଧ୍ୟରେ ଛକାପଞ୍ଝା ଲାଗିବା ଓ ପରେ ଉଭୟ ଦଳର କର୍ମୀ ମାଡ଼ପିଟ ଲାଗି ଘଟଣା ଥାନାରେ ପହଂଚିଛି । ଉଭୟପକ୍ଷରୁ ମଧ୍ୟ ଥାନାରେ ପୃଥକ ପୃଥକ ଅଭିଯୋଗ ପରେ ୪୪ଜଣଙ୍କ ନାମରେ ପୋଲିସ ମଧ୍ୟ ଦୁଇଟି ମାମଲା ରୁଜୁ କରିଛି । ଘଟଣାରୁ ପ୍ରକାଶଯେ ଦୋବଲ ପଂଚାୟତର ସୋଧ ଯେନାସାହି ଠାରେ ଏକ ପୁରାତନ କୀର୍ତ୍ତନ ମଣ୍ଡପ ଥିବାବେଳେ ତାହାର ପୁନଃରୁଦ୍ଧାର ପାଇଁ ପ୍ରଥମେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଅନୁଦାନ ପାଣ୍ଠିରୁ ଏକଲକ୍ଷ ଟଙ୍କା ଦିଆଯାଇଥିବାବେଳେ ପରବର୍ତ୍ତି ସମୟରେ ଦୁଇଥର ନିକଟରେ ସରପଂଚ ତାଙ୍କ ପଂଚାୟତ ପାଣ୍ଠିରୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ମାତ୍ର ଉକ୍ତ କୀର୍ତ୍ତନ ମଣ୍ଡପର ନବୀକରଣ ପାଇଁ ଉକ୍ତ ଅର୍ଥ ବିନିଯୋଗରେ ବିଳମ୍ବ ହୋଇଥିଲା । ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ଅର୍ଥ ବିନିଯୋଗ କରାନଯାଇ ବିଳମ୍ବ କରାଯାଇଥିଲା ଏହି ସୁଯୋଗରେ ବିଜେପି ଦଳପକ୍ଷରୁ କେତେକ କର୍ମୀ ଉକ୍ତ କୀର୍ତ୍ତନ ମଣ୍ଡଳ ନବୀକରଣ ପାଇଁ ଗାଁରେ ଆଲୋଚନା କରିଥିଲେ ଏବଂ ବିଧାୟକ ବିଷ୍ଣୁ ସେଠୀଙ୍କ ହାତପାଣ୍ଠିରୁ ୨ଲକ୍ଷ ଟଙ୍କା ଅନୁଦାନ ଦିଆଯାଇ ସେହି କୀର୍ତ୍ତନମଣ୍ଡଳ ନବୀକରଣ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଦୁଇଗୋଷ୍ଠୀ ମଧ୍ୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଠି ହୋଇଥିଲା ଏବଂ ଏନେଇ ଘଟଣା ମଧ୍ୟ ଥାନାରେ ପହଂଚି ଉଭୟଙ୍କ ମଧ୍ୟରେ ସମାଧାନ କରାଯାଇଥିଲା ।
ସେଥିରେ ପ୍ରଥମ ଅର୍ଥର ଖର୍ଚ୍ଚ ଯଥା ଶୀଘ୍ର ସାରିବା ପରେ ବିଧାୟକଙ୍କ ପାଣ୍ଠିର ଖର୍ଚ୍ଚ କରାଯିବାକୁ ପରାମର୍ଶ ଦିଆଯାଇଥିଲା ଏବଂ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଯୀତେନ୍ଦ୍ର କର ବିଧାୟକଙ୍କ ହାତପାଣ୍ଠି ଅର୍ଥ କାର୍ଯ୍ୟକରିବା ପାଇଁ ବିଜେପିର କେତେକ କର୍ମୀଙ୍କୁ କହିଥିଲେ । ଏହାପରେ ଆଜି ଉକ୍ତ କାର୍ଯ୍ୟ ଗ୍ରାମର ରାଜକିଶୋର ଜେନା ଏବଂ ଗ୍ରାମବାସୀ ମାନେ କାର୍ଯ୍ୟ କରୁଥିବାବେଳେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୀତେନ୍ଦ୍ର କୁମାର କର ହଠାତ୍ ଆସି ଉକ୍ତ କାର୍ଯ୍ୟକୁ ବନ୍ଦକରାଇ ଗାଳିଗୁଲଜ କରିଥିଲେ । ଏହିସମୟରେ ବିଜେଡ଼ିର କେତେକ କର୍ମୀ ମଧ୍ୟ ଆସି ପାଟିତୁଣ୍ଡ ହୋହାଲ୍ଳା କରିବା ପରେ ଉଭୟ ବିଜେପି ଓ ବିଜେଡ଼ି କର୍ମୀଙ୍କ ମଧ୍ୟ ଧସ୍ତାଧସ୍ତି ଓ ମାରପିଟ ହୋଇ ଉଭୟ ପକ୍ଷରୁ ଆହତ ମଧ୍ୟ ହୋଇଥିଲେ । ଖବରପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ । ଏନେଇ ଉଭୟ ପକ୍ଷରୁ ଥାନାରେ ପୃଥକ ପୃଥକ ଭାବେର ଅଭିଯୋଗ କରିବା ପରେ ପୋଲିସ କେସନଂ ୨୦୪/୨୧ ଅଭିଯୋଗ କୂଳେ ୧୩ଜଣ ଓ କେସ ନଂ ୨୦୫/୨୧ରେ ୩୧ଜଣଙ୍କ ନାମରେ ମାମଲା ରୁଜୁ କରିଛି ଏବଂ ଉଭୟ ପକ୍ଷରୁ ଏସ୍ସି, ଏସ୍ଟି ରେ କେସ ହୋଇଥିବାରୁ ଏହା ଏସ୍ଡ଼ିପିଓଙ୍କ ତଦନ୍ତ ଦାୟିତ୍ୱରେ ରହିଛିବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ । ତେବେ ଉକ୍ତ ଗ୍ରାମରେ ଏହି କୀର୍ତ୍ତନ ମଣ୍ଡପ ନିର୍ମାଣକୁ କେନ୍ଦ୍ରକରି ଦୀର୍ଘ ୧ମାସ ହେବ ବିବାଦ ଲାଗିରହିଥିବାବେଳେ ଆଜି ଏହା ଏକ ବଡ଼ଧରଣର ଗଣ୍ଡଗୋଳ ଘଟିଛି । ତେବେ ଠିକ୍ ସମୟରେ ପୋଲିସ ଘଟଣା ସ୍ଥଳେ ପହଂଚିନଥିଲେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଥାଆନ୍ତା । ତେବେ ଉକ୍ତ ଘଟଣାକୁ ପୂର୍ବରୁ ସମାଧାନ କରାଯାଇ ପାରିଥାଆନ୍ତା । ମାତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କର ବିଭିନ୍ନ ସମୟରେ ପକ୍ଷପାତିତା କରି ଓ ରାଜନୈତୀକ ଚକ୍ରବିହୁରେ ପଡ଼ି ବାରମ୍ବର ମତ ବଦଳାଉଥିବାରୁ ଆଜି ଏପରି ଘଟଣା ଘଟିଲା ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି । ତେବେ ତୁରନ୍ତ ଉଚ୍ଚସ୍ତରୀୟ ଅଧିକାରୀ ଉକ୍ତ ଘଟଣାର ତଦନ୍ତ କରିବା ସହିତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଛି ।