Home ଜିଲ୍ଲା ପରିକ୍ରମା କାହ୍ନୁଚରଣ ପଲାଇ ଓ ପରମାନନ୍ଦ ମାଝିଙ୍କ ଆତ୍ମାର ସଦ୍‌ଗତି ପାଇଁ ୟୁନାଇଟେଡ୍ କ୍ଲବ୍‌ର ପ୍ରାର୍ଥନା ସଭା

କାହ୍ନୁଚରଣ ପଲାଇ ଓ ପରମାନନ୍ଦ ମାଝିଙ୍କ ଆତ୍ମାର ସଦ୍‌ଗତି ପାଇଁ ୟୁନାଇଟେଡ୍ କ୍ଲବ୍‌ର ପ୍ରାର୍ଥନା ସଭା

42

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୟୁନାଇଟେଡ୍ କ୍ଲବ୍‌ର ଦିଗ୍‌ଦର୍ଶକ କାହ୍ନୁଚରଣ ପଲାଇ ଜାନୁଆରୀ ୩୧ ତାରିଖ ପୂର୍ବାହ୍ନରେ ଇହଲୀଲା ସମ୍ବରଣ କରିଥିବା ବେଳେ କ୍ଲବର ପୂର୍ବତନ ଫୁଟ୍‌ବଲ୍ କ୍ରୀଡ଼ାବିତ୍ ପରମାନନ୍ଦ ମାଝି ଜାନୁଆରୀ ୩୦ ତାରିଖରେ ଦେହତ୍ୟାଗ କରିଥିଲେ । ଏହି ଘଟଣାରେ ମ୍ରିୟମାଣ କ୍ଲବ୍‌ର ସଦସ୍ୟମାନେ ଶୋକ ପ୍ରକାଶ କରିବା ସହିତ ଏହି ଦୁଇ ଅମୃତ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ଏକ ପ୍ରାର୍ଥନା ସଭା ବୁଧବାର ସନ୍ଧ୍ୟାବେଳେ ସ୍କୁଲ୍ ରୋଡ଼୍ ପୂଜାମଣ୍ଡପରେ ଆୟୋଜିତ କରିଥିଲେ । କ୍ଲବ୍‌ର ସଭାପତି ବିଶାଳ ଗୋପାଲ ଲଖାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରାର୍ଥନା ସଭା ପୂର୍ବତନ ଉପସଭାପତି ପାର୍ଥସାରଥୀ ରାୟଙ୍କ କଣ୍ଠରେ ବେଦମନ୍ତ୍ର ଉଚ୍ଚାରଣ ସହିତ ଆରମ୍ଭ ହୋଇଥିଲା । ପୂର୍ବତନ ସମ୍ପାଦକ ଆଇନଜୀବୀ ବିଜୟ କୁମାର ଜେନା ସ୍ୱର୍ଗତ କାହ୍ନୁଚରଣ ପଲାଇଙ୍କ ଜୀବନ କାହାଣୀ ଉପସ୍ଥାପନା କରିଥିଲେ । ସ୍ୱର୍ଗତ କାହ୍ନୁଚରଣ ପଲାଇ ୧୯୨୮ ମସିହା ନଭେମ୍ବର ୨୬ ତାରିଖ ଦିନ ବାସୁଦେବପୁର ଅନ୍ତର୍ଗତ କରଞ୍ଜାଆଡ଼ିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରାରମ୍ଭିକ ଶିକ୍ଷା ସମାପ୍ତି ପରେ ସେ ଉଚ୍ଚଶିକ୍ଷା ନିମନ୍ତେ ଭଦ୍ରକ ଆସି ଭଦ୍ରକ ହାଇସ୍କୁଲ୍‌ରେ ନାମ ଲେଖାଇ କୃତିତ୍ୱ ସହ ମେଟ୍ରିକ୍ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ । ୧୯୫୫ ମସିହାରେ ସେ ଭଦ୍ରକକୁ ନିଜର କର୍ମଭୂମି ରୂପେ ଗ୍ରହଣ କରିଥିଲେ ଓ ୯୬ ବର୍ଷ ବୟସରେ ଗତ ଜାନୁଆରୀ ୩୧ ତାରିଖ ଦିନ ଇହଲୋକ ତ୍ୟାଗ କରିଥିଲେ । ସେ ଜଣେ ନିର୍ଭୀକ, ନିଷ୍କଳଙ୍କ ଓ ନିସ୍ୱାର୍ଥପର ମଣିଷ ଥିଲେ ।

ତାଙ୍କ ଶୃଙ୍ଖଳାରେ ଗଢ଼ା ତାଙ୍କର ଜ୍ୟେଷ୍ଠ ପୁତ୍ର ସ୍ୱର୍ଗତ ବୀରେନ୍ ପଲାଇ ଭଦ୍ରକର ବିଧାୟକ ରୂପେ କିମ୍ବଦନ୍ତୀ ପାଲଟି ଯାଇଥିବାବେଳେ ତାଙ୍କ କନିଷ୍ଠ ପୁତ୍ର ନରେନ୍ ପଲାଇ ଭଦ୍ରକର ବଧାୟକ ହୋଇପାରିଥିଲେ । ସେହିପରି ତାଙ୍କର ଦ୍ୱିତୀୟ ପୁତ୍ର ଧୀରେନ୍ ପଲାଇ ଏବେ ଓଡ଼ିଶାର କ୍ରୀଡ଼ା ଜଗତରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ସେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ଅଧ୍ୟକ୍ଷ ଥିଲେ ଏବଂ ଏବେ ଅନେକ ରାଜ୍ୟସ୍ତରୀୟ କ୍ରୀଡ଼ା ସଂଗଠନର ପଦାଧିକାରୀ ଅଛନ୍ତି । ୟୁନାଇଟେଡ୍ କ୍ଲବ୍‌ର ସେ ମୁରବୀ ଥିଲେ ଓ ତାଙ୍କ ପ୍ରସ୍ତାନ କ୍ଲବ୍ ପାଇଁ ଏକ ବିଶାଳ ଓ ଅପୂରଣୀୟ କ୍ଷତି । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌ର ପୂର୍ବତନ ଫୁଟ୍‌ବଲ୍ ଓ ଭଲିବଲ୍ କ୍ରୀଡ଼ାବିତ୍ ହିଂମାଶୁ ଶେଖର ଦାସ ସ୍ୱର୍ଗତ ପରମାନନ୍ଦ ମାଝିଙ୍କ କ୍ରୀଡ଼ା ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ । ଅତୀତରେ ୟୁନାଇଟେଡ୍ କ୍ଲବ୍ ସାରା ଓଡ଼ିଶାର ଫୁଟ୍‌ବଲ୍ ଜଗତରେ ଯେଉଁ ସୁନାମ ଓ ପ୍ରସିଦ୍ଧି ପାଇଥିଲା ତା’ର ସିଂହ ଭାଗ ସ୍ୱର୍ଗତ ମାଝିଙ୍କ ବିଚକ୍ଷଣତା ହେତୁ ମିଳିଥିଲା ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକର ସ୍ୱତନ୍ତ୍ର ପି.ପି. ଆଇନଜୀବୀ ପବନ କୁମାର ଶର୍ମା, ଭଦ୍ରକ ପୌରପାଳିକାର ପାରିଷଦ ଦିଲ୍ଲୀପ ନାୟକ, ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ସଭାପତି ଉପେନ୍ଦ୍ର ବାରିକ୍‌, ସ୍କୁଲ୍‌ରୋଡ଼୍ କାଳୀପୂଜା କମିଟିର ସଭାପତି କଲ୍ଲୋଳ କୁମାର ଲେଙ୍କା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଧଳ, ରେଳପଥର ପୂର୍ବତନ ପଦାଧିକାରୀ ଭାଗିରଥୀ ବେହେରା ପ୍ରମୁଖ ଉଭୟଙ୍କ ଜୀବନର କିଛି କିଛି ଅକୁହା କାହାଣୀ ଅବତାରଣା କରିଥିଲେ । କ୍ଲବ୍‌ର ସମ୍ପାଦକ ନୁର୍ ମହମ୍ମଦ୍ ଖାନ୍ ଏହି ସଭା ପରିଚାଳନା କରିଥିଲେ । ଆରମ୍ଭରେ ଦୁଇ ଦିବଂଗତ ବ୍ୟକ୍ତିତ୍ୱଙ୍କ ଫଟୋଚିତ୍ରରେ ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସେମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.