Home ଓଡ଼ିଶା କାମରେ ଆସୁନି ଟେଲି ମେଡିସିନ ସେବା : ଘରୋଇ ଡାକ୍ତରଙ୍କ ପାଖରେ ଭିଡ଼, ସରକାରୀ ବ୍ୟବସ୍ଥା...

କାମରେ ଆସୁନି ଟେଲି ମେଡିସିନ ସେବା : ଘରୋଇ ଡାକ୍ତରଙ୍କ ପାଖରେ ଭିଡ଼, ସରକାରୀ ବ୍ୟବସ୍ଥା ଫେଲ୍

83

ଭଦ୍ରକ, ୨୦-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ଚେନ ଭାଙ୍ଗିବାକୁ ପଡ଼ିବ। ଏଥିପ୍ରତି ଜିଲ୍ଲାବାସୀ ଯତ୍ନବାନ ହେବାକୁ ପଡ଼ିବ। ସେପରି କୌଣସି ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ ଆମେ ଘରୁ ବାହାରକୁ ବାହାରିବା ନାହିଁ। ଏପରିକି ଡାକ୍ତରଙ୍କ ପରାମର୍ଶ ପାଇଁ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ନାହିଁ। ଘରେ ବସି କିପରି ସ୍ୱାସ୍ଥ୍ୟ ସେବା ପାଇ ହେବ ସେଇକଥା ଚିନ୍ତା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଟେଲି ମେଡିସିନ ସେବା। ଡାକ୍ତରଖାନା ନଯାଇ ଫୋନ ମାଧ୍ୟମରେ ଡାକ୍ତରଙ୍କ ସହ ରୋଗ ପରାମର୍ଶ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହରେ ପ୍ରତମ ଥର ପାଇଁ ପ୍ରଶାସନ ପକ୍ଷରୁ ୪ରୁ ଉର୍ଦ୍ଧ୍ୱ ଫୋନ ନମ୍ବର ଜାରୀ କରାଯାଇ ସହରବାସୀଙ୍କୁ ଏହି ସେବାର ସୁଯୋଗ ନେବାକୁ କୁହାଯାଇଥିଲା। କିନ୍ତୁ ମାତ୍ର ୧୫ ଦିନ ମଧ୍ୟରେ ଏହି ଟେଲି ମେଡିସିନ ସେବା ବନ୍ଦ ହୋଇଯାଇଥିଲା। ତେବେ ୩ମାସ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଣି ଆରମ୍ଭ କରାଯାଇଛି ଏହି ସେବା। ଏôତ ନିମିତ୍ତ ପ୍ରଶାସନ ପକ୍ଷରୁ ଦୁଇଟି ମୋବାଇଲ ନମ୍ବର ଜାରୀ କରାଯାଇଛି। କିନ୍ତୁ ପ୍ରଶାସନର ଏହି ବଳିଷ୍ଠ ଉଦ୍ୟମ ପ୍ରତି ସେପରି କୌଣସି ସମର୍ଥନ ନଥିବା ପରିଲକ୍ଷିତ ହେଉଛି। ଅଧିକାଂଶ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏହି ସେବା ପ୍ରତି ବିମୁଖ ହୋଇ ପଡ଼ିଛନ୍ତି। ଲୋକଙ୍କ ତିକ୍ତ ଅନୁଭୂତି ହେଉ କିମ୍ବା ଉପଯୁକ୍ତ ସେବା ନମିଳିବା ହେଉ ଏହି ସେବାରୁ ମୁହଁ ମୋଡ଼ିଛନ୍ତି ସହରବାସୀ। ଏଠାରେ ସୂଚନାଯୋଗ୍ୟ ଚଳିତ ବର୍ଷ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ପ୍ରଶାସନ ପକ୍ଷରୁ ଟେଲି ମେଡିସିନ ସେବା ଆରମ୍ଭ ହୋଇଥିଲା। କିନ୍ତୁ କୌଣସି କାରଣରୁ ଏହା ମାତ୍ର ଅଳ୍ପ ଦିନରେ ବନ୍ଦ ହୋଇଯାଇଥିଲା। ଇତିମଧ୍ୟରେ ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ପୁଣି ଜୁଲାଇ ମାସ ୨୦ତାରିଖ ଠାରୁ ପୁଣି ଏହି ସେବା ଆରମ୍ଭ ହୋଇଛି। ସକାଳ ୮ଟା ଠାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହିପରି ମୋଟ ୯ଘଣ୍ଟା ପର୍ଯ୍ୟନ୍ତ ଏହି ସେବା ଆରମ୍ଭ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ଏହି ସେବା ପାଇଁ ୨ଜଣ ଫାର୍ମାସିଷ୍ଟ ଓ ଜଣେ ଷ୍ଟାଫ ନର୍ସଙ୍କୁ ନିୟୋଜିତ କରାଯାଇଛି। ଦୁଇଟି ମୋବାଇଲ ନମ୍ବର ଜାରୀ କରାଯାଇ ଡାକ୍ତରଙ୍କ ସହ ପରାମର୍ଶ ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଥିଲା। ଏହି ସେବା ଜରିଆରେ ରୋଗୀ ସେମାନଙ୍କ ରୋଗ ସମ୍ପର୍କରେ ଜଣାଇବା ସହ ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ପରାମର୍ଶ କରିପାରିବେ ଓ ସେମାନଙ୍କୁ ହ୍ୱାଟସଆପରେ ମେଡିସିନ ଲେଖି ଜଣାଇବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏହି ବ୍ୟବସ୍ଥା ବିଲକୁଲ ଫେଲ ମାରିଛି। ବିଶ୍ୱସ୍ତସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏଯାବତ୍ ୩ଶହରୁ କମ୍ ରୋଗୀ ଏହି ସେବାର ସୁଯୋଗ ନେଇଛନ୍ତି। ବ୍ୟାପକ ପ୍ରଚାର ପ୍ରସାରର ଅଭାବ ହେଉ କିମ୍ବା ଉକ୍ତ ବ୍ୟବସ୍ଥା ଉପରୁ ବିଶ୍ୱାସ ହରାଇବା ହେଉ ଏହି ସେବା ଫଳପ୍ରଦ ହୋଇ ପାରୁ ନାର୍ହି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ଠାରୁ ଲୋକଙ୍କୁ ଦୂରରେ ରଖିବା ପାଇଁ ଏପରି ଉଦ୍ୟମ ଆରମ୍ଭ କରାଯାଇଛି। ସାଧାରଣ ରୋଗୀଙ୍କୁ ଡାକ୍ତରଖାନା ନଆସିବାକୁ ଏବଂ ସରକାରୀ ଡାକ୍ତରଖାନାରେ ଅଯଥା ଗହଳୀ ନକରିବାକୁ ସରକାର ଏହି ବ୍ୟବସ୍ଥା ଗ୍ରହଣ କରିଥିଲେ। କିନ୍ତୁ ସମ୍ଭବତଃ ଏହି ସେବାରୁ ଉପଯୁକ୍ତ ଆତ୍ମସନ୍ତୋଷ ପାଉ ପାରୁ ନାହାନ୍ତି ରୋଗୀ। ଫଳରେ ଏହି ସେବାରୁ ମୁହଁ ଫେରାଇଛନ୍ତି ସହରବାସୀ। ଟେଲି ମେଡିସିନ ସେବା ଠିକ ଠାକ ଚାଲିଛି ସମ୍ପର୍କୀତ ତଥ୍ୟ କାଗଜପତ୍ରରେ ପ୍ରଦର୍ଶିତ କରାଯାଉଥିଲେ ମଧ୍ୟ ବାସ୍ତବରେ କିପ୍ରକାର ସେବା ଉପଲବ୍ଧ ହେଉଛି ତାହାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ଯେଉଁ ମେଡିକାଲକୁ ପ୍ରତ୍ୟେକ ଦିନ ୧୮ଶହ ବର୍ହିବିଭାଗ ରୋଗୀ ଆସିଥାନ୍ତି, ସେସ୍ଥାନରେ ୧୦ରୁ କମ୍ ରୋଗୀ ଟେଲି କଲ ମାଧ୍ୟମରେ ଡାକ୍ତରଙ୍କ ସହ ଯୋଡ଼ିବହେବା ଆମର ବ୍ୟବସ୍ଥାଗତ ତ୍ରୁଟି ବୋଲି ବିଚାରୁଛନ୍ତି ସହରବାସୀ। ଅପରପକ୍ଷରେ ସହରରେ କେତେକ ଡାକ୍ତର ଘରୋଇ ଭାବେ ଟେଲି ମେଡିସିନ ସେବା ଯୋଗାଇ ଦେଇଛନ୍ତି। ‘ଗୁଗୁଲ ପେ’ କିମ୍ବା ‘ଫୋନ ପେ’ ମାଧ୍ୟମରେ ପ୍ରଥମେ ସେମାନେ ଡାକ୍ତର ଫି ନେଇ କ୍ରମ ଅନୁଯାୟୀ ରୋଗୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆବଶ୍ୟକ ପରାମର୍ଶ ଦେଉଛନ୍ତି ଓ ମେଡିସିନ୍ ହ୍ୱାଟ୍‌ସଆପ୍ ଜରିଆରେ ରୋଗୀଙ୍କୁ ପ୍ରଦାନ କରୁଛନ୍ତି। ସଂପୃକ୍ତ ଘରୋଇ ଡାକ୍ତରମାନଙ୍କ ନିକଟରେ ରୋଗୀ ସଂଖ୍ୟା ଏକ ଶହ ପାର କରି ଯାଉଛି। ଏପରିସ୍ଥଳରେ ସରକାରୀ ବ୍ୟବସ୍ଥା କାହିଁକି ଫେଲ ମାରୁଛି ତାହା ନିଶ୍ଚିତ ବିଚାରସାପେକ୍ଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.