ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ତହସିଲ ଛୟାଳସିଂ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ନିଳୋକ ପଞ୍ଚାୟତର ବାଇପୁର ମୌଜାରେ କେତେକ ଚାଷୀ କାଡାନାଳକୁ ଅବରୋଧ କରିଥିବା ଯୋଗୁ ଜଳନିଷ୍କାସନ ରେ ସମସ୍ୟା ଦେଖାଦେଇଛି। ଫଳରେ ଉକ୍ତ ମୈାଜାରେ ଥିବା ପ୍ରାୟ ୩୦ ଏକର ଚାଷ ଜମିରେ ରୁଆଧାନ ପଚି ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି। ପ୍ରକାଶ ଯେ, ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କ ବିକାଶକୁ ସବ୍ରାଗ୍ରେ ଗୁରୁତ୍ୱ ଦେଇ ପ୍ରତ୍ୟେକ ମୌଜାରେ ଥିବା ଚାଷ ଜମିରେ କାଡାନାଳର ବ୍ୟବସ୍ଥା କରାଇଛନ୍ତି। ଫଳରେ ଚାଷ ଜମିକୁ ସୁବିଧାରେ ଜଳଯୋଗାଣ ହେବା ସହ ଜଳ ନିଷ୍କାସନ ହୋଇପାରିବାର ସୁବିଧା କରାଯାଇଛି। ଏପରିସ୍ଥଳେ ଦୀର୍ଘ ଦିନ ହେବ ନିର୍ମାଣ ହୋଇଥିବା କାଡାନାଳକୁ ସଂପୃକ୍ତ ବିଭାଗ ପକ୍ଷରୁ ମରାମତି କରାଯାଉନାହିଁ। ଅପରପକ୍ଷେ କାଡାନାଳ ପାଶ୍ୱର୍ରେ ଥିବା ଚାଷୀ ମାନେ କାଡା ନାଳକୁ ନିଜ ଜମିରେ ମିଶାଇ ଦେଇଛନ୍ତି। ଫଳରେ ଚାଷ ଜମିକୁ ଜଳଯୋଗାଣ କିମ୍ବା ଜଳନିଷ୍କାସନରେ ଅସୁବିଧା ସୃଷ୍ଟି ହେଉଛି। ସେହିଭଳି ସମସ୍ୟା ଦେଖାଯାଇଛି ବାଇପୁର ମୌଜାର ଚାଷୀ ମାନଙ୍କ କ୍ଷେତ୍ରରେ। ଏହି ମୌଜାରେ ଦୀର୍ଘଦିନ ହେବ କାଡାନାଳ ମରାମତି ହୋଇନଥିବାରୁ ଚାଷୀମାନେ କାଡାନାଳକୁ ନିଜ ଜମିରେ ମିଶାଇ ଦେଇଛନ୍ତି। ଏବେ ଲଘୁଚାଷ ବର୍ଷାରେ ପ୍ରାୟ ୩୦ ଏକର ଚାଷ ଜମି ଜମିରେ ରୁଆଧାନ ପଚି ନଷ୍ଟ ହେବା ଚିନ୍ତାରେ ଚାଷୀ ମାନେ ଆଶଙ୍କା କରିଛନ୍ତି। ଏନେଇ ବାଇପୁର ମୌଜାର ଚାଷୀ ହଳଧର ସାହୁ, ସଞ୍ଜୟ ସେନାପତି, ଅନନ୍ତ ଚରଣ ସାହୁ, ଶ୍ରୀନିବାଶ ସେଠୀ, ପର୍ଶୁରାମ ଯେନା, ରାହୁଲ ପଣ୍ଡା, କିଶୋର ସେନାପତି ପ୍ରମୁଖ ତହସିଲଦାର, ଥାନାଧିକାରୀ, ଜଳସେଚନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ସରପଞ୍ଚ, ପାଣି ପଞ୍ଚାୟତର ସଭାପତି ଓ ସଂପାଦକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।