Home ଜିଲ୍ଲା ପରିକ୍ରମା କରୋନା ଉପରେ କ୍ଷୁଦ୍ର ଚଳଚ୍ଚିତ୍ର କରି ଚର୍ଚ୍ଚାରେ ରାଜେନ୍ଦ୍ର ନାରାୟଣ, ‘ସଚେତନା ହିଁ ରୋକି ପାରିବ...

କରୋନା ଉପରେ କ୍ଷୁଦ୍ର ଚଳଚ୍ଚିତ୍ର କରି ଚର୍ଚ୍ଚାରେ ରାଜେନ୍ଦ୍ର ନାରାୟଣ, ‘ସଚେତନା ହିଁ ରୋକି ପାରିବ କୋଭିଡ’

53

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ଭଦ୍ରକ ହସିବ, ପୁଣି ଭଦ୍ରକ ହସିବ’ ଏକ ସକାରତ୍ମକ ସଂଗୀତ ତାଲାବନ୍ଦ ସମୟରେ ସଂଯୋଜନା କରି ଗତବର୍ଷ ଚର୍ଚ୍ଚାରେ ଥିବା ରାଜେନ୍ଦ୍ର ନାରାୟଣ ଜେନା ଚଳିତ ଥର ନିର୍ମାଣ କରିଛନ୍ତି ଏକ କ୍ଷୁଦ୍ରଚଳଚ୍ଚିତ୍ର ‘କରୋନା’ । ସଚେତନତାର ବାର୍ତ୍ତା ବହନ କରୁଥିବା ଏହି ଚଳଚ୍ଚିତ୍ରଟି ଗାଁ ଗଣ୍ଡାରେ କରୋନା ନିୟମକୁ ଫୁ କରିଦେଉଥିବା ଯୁବକମାନଙ୍କୁ ସଚେତନ କରିବା ପାଇଁ ଉଦ୍ଦିଷ୍ଟ । ରାଜେନ୍ଦ୍ରଙ୍କ ଘର ତିହିଡ଼ି ବ୍ଲକ ଅଧୀନ ଗୁଆମାଳ ପଞ୍ଚାୟତ ଈଶାଣପୁର ଗ୍ରାମରେ । ଏବେ ସେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଇଂରାଜୀ ସ୍ନାତୋକତ୍ତର ଛାତ୍ର । ଜଣେ ଇଂରାଜୀ ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଥିବା ଏହି ଯୁବକ ଜଣକ ନିଜର ସୃଜନଶୀଳତାକୁ ନେଇ ବିଭିନ୍ନ ପ୍ରକାର ଗୀତ, ନାଟକ ଆଦି ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ । ସେଇଥିପାଇଁ ସେ ଘରେ ନିର୍ମାଣ କରିଛନ୍ତି ଏକ ଷ୍ଟୁଡିଓ । ଗ୍ରାମରେ କୋଭିଡ ନିୟମକୁ ଯୁବକମାନେ ମାନୁନଥିବା ଦେଖିବା ପରେ ପରେ ସେ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିକୁ ନିର୍ମାଣ କରିବା ପାଇଁ ଚିନ୍ତା କରିଥିଲେ ଓ ନିଜ ଗ୍ରାମ ଓ ଆଖପାଖ ଗ୍ରାମର କଳାକାରମାନଙ୍କୁ ନେଇ ୪ ଦିନରେ ସୁଟିଂ, ଡବିଂ ଆଦି ଶେଷ କରିଥିଲେ । ‘ଆମ ଦେଶ ଓ ରାଜ୍ୟ ଏହି ପ୍ରକାର ସଙ୍କଟରେ ପଡ଼ିଥିବା ବେଳେ ପ୍ରତ୍ୟେକଙ୍କର କିଛି ନା କିଛି ଦେଶ ପାଇଁ କାର୍ଯ୍ୟ କରିବାର ଅଛି । କରୋନାକୁ ରୋକିବାକୁ ହେଲେ ସଚେତନତା ହିଁ ଏକ ବଳିଷ୍ଠ ଉପାୟ ଓ ଏହାଦ୍ୱାରା ବିପଦ ଆମ ଉପରୁ ଟଳିଯିବ’ ବୋଲି ସେ ମତ ରଖିଛନ୍ତି । କିପରି କିଛି ଯୁବକ ଗ୍ରାମରେ ମେଳିବାନ୍ଧି ତାସ ଖେଳୁଛନ୍ତି, ଗ୍ରାମର ମୁରବୀ ଏପରି ନକରିବାକୁ ଉପଦେଶ ଦେବାକୁ ଆସିଥିôôବା ବେଳେ ଏହି ଯୁବକମାନେ ତାଙ୍କୁ ଠେଲିଦେଇ ସେଠାରୁ ବିଦା କରିଦେଉଛନ୍ତି, ଅଳ୍ପଦିନ ପରେ ସେମାନଙ୍କ ଭିତରୁ ଜଣେ ସାଙ୍ଗ କରୋନରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି ଓ ଏହାପରେ ଯୁବକମାନେ ସେମାନଙ୍କର ଭୁଲ ବୁଝିପାରି କରୋନା ନିୟମ ପାଳନ କରୁଛି ଇତ୍ୟାଦି ହେଉଛି ଚଳଚ୍ଚିତ୍ରର ବିଷୟବସ୍ତୁ । ତାଙ୍କର ଏହି ଚଳଚ୍ଚିତ୍ରଟି ସମାଜକୁ ଏକ ମଜଭୁତ ବାର୍ତ୍ତା ମଧ୍ୟ ପ୍ରଦାନ କରୁଛି । ଗତବର୍ଷ ସେ ଯେଉଁ ‘ଭଦ୍ରକ ହସିବ ପୁଣି ଭଦ୍ରକ ହସିବ’ ସଂଗୀତଟି ସାମାଜିକ ଗଣମାଧ୍ୟମରେ ରଖିଥିଲେ ତାହା ମଧ୍ୟ ଚର୍ଚ୍ଚାର ବିଷୟବସ୍ତୁ ହୋଇଥିଲା । କରୋନାକୁ ନେଇ ଲୋକେ ନିରାଶା ଭିତରକୁ ଠେଲି ହୋଇଯାଇଥିବା ବେଳେ ସେ କିନ୍ତୁ ସେମାନଙ୍କ ମଧ୍ୟରେ ଏକ ସୁନ୍ଦର ସକାଳର ସ୍ୱପ୍ନ ନିର୍ମାଣ କରିବାରେ ସକ୍ଷମ ହୋଇଥିଲେ । ‘ଆମ ପଞ୍ଚାୟତରେ ଲୋକଙ୍କୁ ଆମେ ସଚେତନ କରାଉଛୁ । ତେବେ ରାଜେନ୍ଦ୍ର ନାରାୟଣଙ୍କର ଉଦ୍ୟମ ପ୍ରଶଂସନୀୟ’ ବୋଲି କହିଛନ୍ତି ସରପଞ୍ଚ ପ୍ରଦୀପ କୁମାର ପଣ୍ଡା । ଲଙ୍କାକୁ ସେତୁ ବାନ୍ଧିବାରେ ଗୁଣ୍ଡୁଚିମୂଷାର ସହଯୋଗ ପରି କରୋନାକୁ ରୋକିବାରେ ରାଜେନ୍ଦ୍ରଙ୍କର ଏହି ଉଦ୍ୟମ କେବେ ବି ବ୍ୟର୍ଥ ଯିବନି ବୋଲି ଆଶା ଓ ବିଶ୍ୱାସ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.