କଟକ, ୧୬/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ଆଜି କଟକରେ ଚାଲିଛି ମା’ ଦୁର୍ଗାଙ୍କ ଭଷାଣୀ ପର୍ବ। ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ମା’ଙ୍କ ଭଷାଣୀ ଜାରି ରହିଛି।
ସହରର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ସମେତ ହରପାର୍ବତୀଙ୍କ ମୂର୍ତ୍ତିକୁ ଦେବୀଗଡା ଠାରେ ବିସର୍ଜିତ କରାଯାଇଛି। ମଣ୍ଡପରୁ ମା ଦୁର୍ଗା ବାହାରି ମୁଖ୍ୟ ରାସ୍ତା ଦେଇ ପୋଲିସ କର୍ଡନ୍ ମଧ୍ୟରେ ବିସର୍ଜନ ସ୍ଥଳକୁ ଅଣାଯାଇଥିଲା। ସୀମିତ ସଂଖ୍ୟାରେ କର୍ମକର୍ତ୍ତାମାନେ ମେଢ ସହ ଆସି ପହଞ୍ଚିଥିଲେ ବିସର୍ଜନ ସ୍ଥାନ ଦେବୀଗଡାକୁ।
ଦେବୀଗଡାରେ କରାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି ଗୁଡିକୁ ବିସର୍ଜନ କରାଯାଇଥିଲା। ଦେବୀଗଡା ସମେତ ଅନ୍ୟ ୫ ଟି ସ୍ଥାନକୁ ମିଶାଇ ଉଭୟ କାଠଯୋଡ଼ି ଏବଂ ମହାନଦୀର ବାଲିଶଯ୍ୟାରେ କୃତ୍ରିମ ପୋଖରୀ କରାଯାଇ ମୂର୍ତ୍ତି ଗୁଡିକ ବିସର୍ଜନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ତେବେ ୫ ଦିନ ମଣ୍ଡପରେ ରହିବା ପରେ ଆଜି ସହରବାସୀଙ୍କ ଠୁ ବିଦାୟ ନେଇଛନ୍ତି ଜଗତଜନନୀ।କରୋନା ପାଇଁ ଦୁଇବର୍ଷ ହେବ ଦେବୀଗଡା ପୁରା ଖାଁ ଖାଁ ପରିବେଶ ଲାଗିଥିଲା। ଏହିଭଳି ଭଷାଣୀ ପର୍ବ ହେଉଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ପୂଜା କମିଟିର କର୍ମକର୍ତ୍ତାମାନେ। ଆଉ ଆସନ୍ତାବର୍ଷକୁ ଯେପରି କରୋନା ମହାମାରୀ ହଟିଯାଉ ଓ ପୁଣିଥରେ ପୁର୍ବ ଅବସ୍ଥା ଫେରିଆସୁ ବୋଲି କହିଛନ୍ତି ପୂଜା କମିଟିର ସଦସ୍ୟମାନେ।








