ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡ଼ିଶା ଭିନ୍ନକ୍ଷମ ମଂଚ, ଭଦ୍ରକ ଶାଖା ଦୋଳସାହି ପକ୍ଷରୁ ସଭାପତି ଚିନ୍ତାମଣି ରାଉତ, ସଂପାଦକ ବେଣୁଧର ପଣ୍ଡା, ଭଗବାନ ମହାଳିକ, ଗୌରାଙ୍ଗ ସେଠୀ ପ୍ରମୁଖଙ୍କ ନେତୃତ୍ୱରେ କେତେକ ଆତଙ୍କ ସୃଷ୍ଟିକାରୀ, ଅସାମାଜିକ ଭିନ୍ନକ୍ଷମଙ୍କ ବିରୁଦ୍ଧରେ ଏକ ଅଭିଯୋଗ ପତ୍ର ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଯୋଗ ପତ୍ରରେ ମୁଖ୍ୟତଃ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦିବ୍ୟାଙ୍ଗମାନଙ୍କୁ ବିକଳାଙ୍ଗ ନକହି ଭିନ୍ନକ୍ଷମ ବୋଲି ଉଚ୍ଚାରଣ କରିବାର ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଏହି ଜିଲାର ଭଣ୍ଡାରିପୋଖରୀ-ସରସଦା ନିବାସୀ ଅକ୍ଷୟ ସାହୁ ବିକଳାଙ୍ଗ ଶବ୍ଦ ବ୍ୟବହାର କରି ଏକ ସଂଗଠନ ଜରିଆରେ ଭିନ୍ନକ୍ଷମଙ୍କୁ ଶୋଷଣ କରୁଥିବାର ଦର୍ଶାଇଛନ୍ତି । ଏବଂ ଏପରିକି ତାଙ୍କ ସଂଗଠନରେ ବହୁ ଅସାମାଜିକ ଭିନ୍ନକ୍ଷମ ବଳାତ୍କାର, ଠକେଇ ଭଳି ମାମଲାରେ ଜଡିତ ଥାଇ ପ୍ରଶାସନକୁ ଭ୍ରମିତ କରିଆସୁଛନ୍ତି । ଏଣୁ ଏହି ସଂଗଠନ ସଂପର୍କରେ ନିରପେକ୍ଷ ତଦନ୍ତ ପୂର୍ବକ ସଂଗଠନରେ ଜଡିତ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ନହେଲେ ଆଗାମୀ ଦିନରେ ଓଡ଼ିଶା ଭିନ୍ନକ୍ଷମ ମଂଚ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।