Home ଜିଲ୍ଲା ପରିକ୍ରମା ଓଡ଼ିଶା ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟର ୭ମ ବାର୍ଷିକ ଉତ୍ସବ, ସାହିତ୍ୟ ରାଜନୈତିକ ଚେତନାକୁ ମାର୍ଜିତ କରେ

ଓଡ଼ିଶା ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟର ୭ମ ବାର୍ଷିକ ଉତ୍ସବ, ସାହିତ୍ୟ ରାଜନୈତିକ ଚେତନାକୁ ମାର୍ଜିତ କରେ

49

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତ ବିଦ୍ୟାପୀଠ ପରିସରରେ କଥାକାର ତଥା ପ୍ରତିଷ୍ଠାତା ସଭାପତି ଉମାକାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଶୁକ୍ରବାର ଓଡ଼ିଶା ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ନାୟକ ଉଦଘାଟକ ଭାବରେ ଯୋଗ ଦେଇ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପୂର୍ବକ ସଭା ଉଦଘାଟନ କରିଥିଲେ । ସମଗ୍ର ବିଶ୍ୱରେ ଦୁଃଖର ବାତାବରଣ ସୃଷ୍ଟି କରିଥିବା ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦିବଂଗତ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ‘ସାହିତ୍ୟ ଓ ରାଜନୀତି’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିବା ପରିପ୍ରେକ୍ଷୀରେ ପ୍ରାବନ୍ଧିକ ନିର୍ମଳ ସେନାପତି ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଆଲୋଚକ ଭାବରେ ଯୋଗ ଦେଇ ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଅଭୟ କୁମାର ଦାସ ରାଜନୈତିକ ପୃଷ୍ଠପୋଷକତାରେ ସାହିତ୍ୟ ବିକଶିତ ହୋଇଛି ଏବଂ ସାହିତ୍ୟ ରାଜନୈତିକ ଦୃଷ୍ଟିକୋଣକୁ କାଳେ କାଳେ ମାର୍ଜିତ ଓ ସଂପ୍ରସାରିତ କରିଆସିଛି ବୋଲି ନିଜ ଆଲୋଚନାରେ ମତ ବ୍ୟକ୍ତ କରିଥିଲେ । ଅନ୍ୟତମ ଆଲୋଚକ ଡ. ଅଜୟ କୁମାର ପଣ୍ଡା ସାହିତ୍ୟ ଓ ରାଜନୀତି ର ଅଭେଦ୍ୟ ସମ୍ବନ୍ଧ ସଂପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବିଶିଷ୍ଟ କବି ଶ୍ରୀ ଗୋଲକ ପ୍ରସାଦ ବୟାରୀ ଙ୍କୁ ସାମ୍ମୁଖ୍ୟ ପକ୍ଷ୍ୟରୁ ‘କେଶବକବି କୃଷ୍ଣ ପ୍ରସାଦ ସ୍ମୃତି ସମ୍ମାନ’ ରେ ସମ୍ବର୍ଦ୍ଧିତ କରା ଯାଇ ଥିଲା । ସାମ୍ମୁଖ୍ୟର ସଂପାଦକ ସୁବାସ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କବି ମୁକୁନ୍ଦଦେବ ନାୟକ ମାନପତ୍ର ପାଠ କରିଥିଲେ । ଉତ୍ସବର ପ୍ରଥମ ଅଧିବେଶନରେ ଅଧିବକ୍ତା ବିପ୍ଳବ ନାୟକଙ୍କ ସଭାପତିତ୍ୱ ଓ ଯୁବକବି ବିଜୟ ବେହେରାଙ୍କ ସଂଯୋଜନାରେ କବି ଅଭୟ ଦାସ, ଆଶୁତୋଷ କରଣ, ଗୟାଧର ସେଠୀ, ଭାଗିରଥି ଆଚାର୍ଯ୍ୟ, କୃତ୍ତିବାସ ଜେନା, ରତ୍ନାକର ସାହୁ, ଭାସ୍କର ଚନ୍ଦ୍ର ସେଠୀ, ଜଗବନ୍ଧୁ ମହାନ୍ତି, ମାମିନା ମହାନ୍ତି, କଳ୍ପତରୁ ସେଠୀ, ରମାକାନ୍ତ ମଲ୍ଲିକ, ଦୈତାରୀ ଜେନା, ଗଙ୍ଗାଧର ମଲ୍ଲିକ, ସୁଧାରଂଜନ ମହାନ୍ତି, ଗୟାଧର ପରିଡ଼ା, ମଥୁରାମୋହନ ବେହେରା, ପି. ହୃଷିକେଶ, ଡ. ଅରୁଣ ପଣ୍ଡା, ବସନ୍ତ ଦାସ, ସରୋଜ ପରିଡ଼ା, ସୁରେନ୍ଦ୍ର ସାହୁ, ପ୍ରଫୁଲ୍ଲ ପାଢ଼ୀ, ରବିନ୍ଦ୍ର ସେନାପତି ପ୍ରମୁଖ ୩୦ରୁ ଉର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ଓ ସମବେତ ସଙ୍ଗୀତ ଗାନ କରି ଥିଲେ । ଏହି ଅବସରରେ ସାହିତ୍ୟ ଓ ରାଜନୀତି ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ କବି ଜୟନ୍ତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ବାଇଧର ଜେନା, ବୈକୁଣ୍ଠ ନାୟକ, ଅଶୋକ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.