ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୦୪ (କ) କୁ ପରିବର୍ତ୍ତନ କରି ଭାରତୀୟ ନ୍ୟାୟ ସଂହିତା ୨୦୨୩ ଆଣି ମୋଦି ସରକାର ଦୁର୍ଘଟଣା ଜନିତ ଘଟଣା ପାଇଁ ଡ୍ରାଇଭରମାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଓ ସେମାନଙ୍କ ଉପରେ ୭ ଲକ୍ଷ ଜରିମାନା ଜନକ କଳା ଆଇନ୍ ଆଣିଛନ୍ତି । ଅପରପକ୍ଷରେ ଗାଡିର ସଂଖ୍ୟା ତୁଳନାରେ ରାସ୍ତା ଅଣଓସାର, ବିଭିନ୍ନ କିସମର ଗାଡି ତୁଳନାରେ ଲେନ୍ ଉପଲବ୍ଧ ନହେବା, ରାସ୍ତା ପାଶ୍ୱର୍ରେ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ କେନ୍ଦ୍ର ସରକାର କୌଣସି ବ୍ୟବସ୍ଥା ନକରିବା, ମୋଟର କର୍ମଚାରୀମାନଙ୍କ ସାମାଜିକ ନିରାପତ୍ତା ନକରିବା, ପରିବହନ ଶ୍ରମିକମାନଙ୍କୁ ପେନସନ ନଦେବା ଆଦି ଘଟଣା ଯୋଗୁଁ ଆମ ଦେଶରେ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ମୋଦି ସରକାରଙ୍କ ପରିବହନ ମନ୍ତ୍ରଣାଳୟର କୌଣସି ନିର୍ଦ୍ଦିଷ୍ଟ ପ୍ରତିଶେଧକ ନୀତି ନଥିବାବେଳେ ଓଲଟି ଡ୍ରାଇଭରମାନଙ୍କ ବିରୋଧରେ ଏହି କଳା ଆଇନ୍ ଆଣିଛନ୍ତି । ଯାହା ଡ୍ରାଇଭର, ହେଲପର ଓ ଖଲାସି ଭାଇମାନଙ୍କ ଲକ୍ଷ ଲକ୍ଷ ପରିବାରର ଜୀବନ ଜୀବିକା ପ୍ରତି ଶକ୍ତ ଧକ୍କା ଅଟେ । ଏହା ବିରୋଧରେ ସିଆଇଟିୟୁ ଅନୁବନ୍ଧିତ ଓଡ଼ିଶା ମୋଟର କର୍ମଚାରୀ ସଂଘ ଓ ପରିବହନ ଶ୍ରମିକ ଫେଡେରେସନ ପକ୍ଷରୁ ଭଦ୍ରକ ବନ୍ତଛକ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ସିଆଇଟିୟୁ ଜିଲା ଉପସଭାପତି ରାଧା ଦାସ ସଭାପତିତ୍ୱ କରିଥିବାବେଳେ ସିଆଇଟିୟୁ ଜିଲା ସଂପାଦକ କାଳନ୍ଦୀ ପାତ୍ର, ବୀମା କର୍ମଚାରୀ ନେତା ବାମଦେବ ମିଶ୍ର, ବରିଷ୍ଠ ଚାଷୀ ନେତା ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ନିରଞ୍ଜନ ପାଣି, ଯୁବନେତା ବିକାଶ ନାଥ, ବିନୋଦ ସାହୁ, ଆଇନ୍ଜୀବୀ ଗିରିଧାରୀ ନାଥ, ଯୁବନେତା କାଲୁ ଖାନ୍, ମିନାଜ ଖାନ୍ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହ ନେତୃତ୍ୱ ନେଇଥିଲେ ।