ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଆଜି ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଓ ବାସୁଦେବପୁର ବ୍ଲକ୍ର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ଖାଉଟୀ ସାମଗ୍ରୀ ବଣ୍ଟନ କେନ୍ଦ୍ର ଅଚାନକ ବୁଲି ଦେଖିଥିଲେ । ଭଦ୍ରକ ବ୍ଲକ୍ର ବ୍ରହ୍ମପୁର ପଞ୍ଚାୟତର ସୁଲଭ ଖାଉଟୀ ସାମଗ୍ରୀ ବଣ୍ଟନ କେନ୍ଦ୍ରରେ ଚାଉଳ ବଣ୍ଟନ ଚାଲିଥିବା ବେଳେ ପହଞ୍ôଚ ହିତାଧିକାରୀମାନଙ୍କ ଠାରୁ ସିଧାସଳଖ ମତାମତ ନେଇଥିଲେ । ଖାଉଟୀମାନେ ସନ୍ତୋଷ ପ୍ରକଟ କରିଥିବା ବେଳେ ବଣ୍ଟନ କେନ୍ଦ୍ର ସମ୍ମୁଖରେ ସମସ୍ତ ହିତାଧିକାରୀଙ୍କ ତାଲିକା ଟଙ୍ଗାଇବା ପାଇଁ ପରାମର୍ଶ ଦେଇଥିଲେ । ଯେଉଁ ହିତାଧିକାରୀଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ନାମ ତାଲିକାରୁ କାଟି ନୂଆ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଭଦ୍ରକ ବ୍ଲକର ସାବରଙ୍ଗ ବଡ଼ ଗୋପାଳ ସାହି ଓ ସାନଗୋପାଳସାହି ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିବା ସମୟରେ ଅଙ୍ଗନବାଡ଼ି କେନ୍ଦ୍ର ବିଳମ୍ବରେ ଖୋଲାଯିବା ନେଇ ଶ୍ରୀ ଦାଶ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଅଙ୍ଗନବାଡ଼ି କର୍ମୀଙ୍କୁ ନିଜର ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ଭଦ୍ରକ ବ୍ଲକ୍ର ବ୍ରହ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ମାନ ପରୀକ୍ଷା କରିବା ସହ ପାନୀୟ ଜଳ ଓ ପରିବେଶ ପ୍ରତି ସଜାଗ ରହିବାକୁ ପ୍ରଧାନଶିକ୍ଷୟୀତ୍ରିଙ୍କୁ ପରାମର୍ଶ ଦେଇଥିଲେ । ସେହିଭଳି ଓଡ଼ିଶା ଖାଦ୍ୟ ଆୟୋଗ ସଦସ୍ୟ ବାସୁଦେବପୁର ବ୍ଲକର ପଦ୍ମପୁର ମହାରଣା ସାହି ଅଙ୍ଗନବାଡ଼ି କେନ୍ଦ୍ର, ଭରୁଣିଆ, ଅଲବଗା-୧ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ । ଗତକାଲି ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ବୁଲି ଖାଦ୍ୟର ମାନ ଯାଞ୍ଚ କରିଥିଲେ ।