ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା କୃଷକ ସଭା ଚାନ୍ଦବାଲି ବ୍ଲକ୍ କମିଟି ପକ୍ଷରୁ ୫ ଦିନ ଧରି ବନ୍ୟା ପାଣି ଘେରରେ ରହିଥିବା ଚାନ୍ଦବାଲି ବ୍ଲକ୍ର ମାଧପୁର, ଘଟପୁର,ନାଲଗୁଣ୍ଡା, ଭୂଇଁବୃତ୍ତି, ଆରଡି, ନାନ୍ଦପୁର, ସୁନ୍ଦରପୁର ଭଳି ଅଂଚଳରେ ଡଙ୍ଗା ସାହାଯ୍ୟରେ ୩ ଦିନ ଧରି ଉଦ୍ଧାର କାର୍ଯ୍ୟ ଚାଲିଅଛି । ଓଡ଼ିଶା କୃଷକ ସଭା ଭଦ୍ରକ ଜିଲା ଯୁଗ୍ମ ସଂପାଦକ ବିକାଶ ନାଥ ଜିଲା କମିଟି ସଦସ୍ୟ ଅଭିରାମ ବଳ, ବ୍ଲକ୍ ସଭାପତି ବ୍ରହ୍ମାନନ୍ଦ ପରିଡା, କୃଷକ ନେତା ବଳରାମ ମୁଦୁଲି, ଛାତ୍ରନେତା ବିପ୍ଳବ ନାୟକ ପ୍ରମୁଖ ଗତ ୩ ଦିନ ଧରି ବନ୍ୟା ପାଣିଘେରରେ ରହିଥିବା ଲୋକମାନଙ୍କୁ ଉଦ୍ଧାର କରି ପାଉଁରୁଟି, ମୁଢି, ବିସ୍କୁଟ, ଚୁଡା, ଗୁଡ, ମଶାଧୂପ, ଆଳୁ, ପିଆଜ ଓ ବିଭିନ୍ନ ପନିପରିବା ଭଳି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ପାଣିଘେରରେ ଥିବା ରୋଗୀମାନଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି । ସଂଗଠନ ପକ୍ଷରୁ ଏଭଳି ରିଲିଫ୍ କାର୍ଯ୍ୟ ଚାଲିଥିବାବେଳେ ଅନ୍ୟ ଏକ ପ୍ରତିନିଧି ଦଳ ବନ୍ୟାଞ୍ଚଳ ପରିଦର୍ଶନରେ ଆସିଥିବା ଅତିରିକ୍ତ ଜିଲାପାଳଙ୍କୁ ଭେଟି ବନ୍ୟା ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ତୁରନ୍ତ ଯୋଗାଇଦେବା ପାଇଁ ଦାବି କରିଛନ୍ତି ।