Home ଜିଲ୍ଲା ପରିକ୍ରମା ‘ଓଡ଼ିଶାରେ ଶ୍ରେଣୀଶିକ୍ଷାର ବିକଳ୍ପ ଲାଗି ଭିତ୍ତିଭୂମି ନାହିଁ’, ତ୍ୟାଗଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

‘ଓଡ଼ିଶାରେ ଶ୍ରେଣୀଶିକ୍ଷାର ବିକଳ୍ପ ଲାଗି ଭିତ୍ତିଭୂମି ନାହିଁ’, ତ୍ୟାଗଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

34

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇବର୍ଷ ହେଲା ମହାମାରୀ ପ୍ରକୋପ ଜୀବନଜୀବିକାକୁ ଓଲଟପାଲଟ କରିଦେଇଥିବା ବେଳେ ସଠିକ୍ ତର୍ଜମା କଲେ ଜଣାଯାଏ ଯେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଆମ ସାମଜର ଭବିଷ୍ୟତ ପିଢି ବା ଛାତ୍ରଛାତ୍ରୀ । ବଡ଼ ଆତଙ୍କିତ ଓ ଅନିଶ୍ଚିତ ଅବସ୍ଥାରେ ସେମାନଙ୍କ ଶିକ୍ଷାଦାନ, ଅଧ୍ୟୟନ ଓ ପରୀକ୍ଷା ପଦ୍ଧତି ପରିଚାଳିତ ହୋଇଛି । ଶିକ୍ଷା ବିଭାଗର ତତ୍କାଳ ନିଷ୍ପତ୍ତି ଆଦୌ ଗୁଣାତ୍ମକ ଓ ଆଶାଜନକ ହୋଇପାରି ନାହିଁ । ବିଭିନ୍ନ ବର୍ଗର ବେତନଭୋଗୀ ଶିକ୍ଷକ ନିଯୁକ୍ତି ଓ ଅନ୍‌ଲାଇନ୍ ପାଠପଢ଼ା ବ୍ୟବସ୍ଥା ଲାଗି ଉପଯୁକ୍ତ ଯୋଜନା ଓ ଭିତ୍ତିଭୂମି ଅଭାବ ମହାମାରୀ କାଳରେ ଆମ ଶିକ୍ଷା ବିଭାଗକୁ ରୁଗ୍‌ଣ କରି ଦେଇଛି । ଏଣୁ ଶ୍ରେଣୀଶିକ୍ଷାର ବିକଳ୍ପ ଲାଗି ଓଡ଼ିଶାରେ ଭିତ୍ତିଭୂମିର ଅଭାବ ରହିିଛି ବୋଲି ଭଦ୍ରକ ତ୍ୟାଗଭୂମି ମହୋତ୍ସବର ଦ୍ୱିତୀୟସନ୍ଧ୍ୟାରେ ‘ମହାମାରୀ ଓ ଆମ ଶିକ୍ଷା-ଶିକ୍ଷକ-ଶିକ୍ଷାୟତନ’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ଶହୀଦ୍ ସ୍ମୃତି ଭବନ ପରିସରରେ ବୁଧବାର ଅନୁଷ୍ଠିତ ‘କାନ୍ତକବି ମଞ୍ଚ’ରେ ପ୍ରଫେସର ରାଜକିଶୋର ସାହୁ ପୌରୋହିତ୍ୟ କରିଥିଲେ । ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. କୁମରବର ଦାସ ଯୋଗ ଦେଇ ଗତ ଦୁଇଦଶନ୍ଧି ଧରି ଆମ ସାମାଜିକ ବ୍ୟବସ୍ଥା, ପ୍ରଶାସନିକ ଅବସ୍ଥା ଓ ଚିନ୍ତନ ପ୍ରକ୍ରିୟା ନିମ୍ନଗାମୀ ହୋଇ ଆସୁଥିବା ବେଳେ କରୋନା ମହାମାରୀ ତାହାକୁ ଦ୍ୱିଗୁଣିତ କରିଦେଇଛି ବୋଲି ମତପ୍ରକାଶ କରିଥିଲେ ।

ମୁଖ୍ୟବକ୍ତା ଭାବେ ଓଡ଼ିଶାର ପ୍ରାକ୍ତନ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର କମଳାପ୍ରସାଦ ମହାପାତ୍ର ଯୋଗଦେଇ ତାଙ୍କ ବକ୍ତବ୍ୟରେ ଦିଶାହୀନ ଶିକ୍ଷା ଯୋଜନା ଓ ମହାମାରୀ କଳୀନ ଅନିଶ୍ଚିିତ ଭବିଷ୍ୟତ ଉପରେ ନିଜର ସ୍ପଷ୍ଟ ଅଭିମତ ପୋଷଣ କରିଥିଲେ । ଏହି ଅବସରରେ ପ୍ରାବନ୍ଧିକ ଉମାକାନ୍ତ ମିଶ୍ରଙ୍କ ରଚିତ ‘ଉତ୍ତରାୟଣ’ ଗ୍ରନ୍ଥ ଲୋକାର୍ପିତ ହୋଇଥିଲା ଓ ଶ୍ରୀ ମିଶ୍ର ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଗଠନର ବରିଷ୍ଠ ସଦସ୍ୟ ବାବୁଲାଲ ଦାସ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ଅଧ୍ୟାପକ ଡ. ଅଭୟ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମନମୋହନ ସଂଗୀତ ପରିଷଦ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯାଇଥିଲା । ଛାତ୍ରୀ କ୍ଷୀରାବ୍‌ଧି ତନୟା ପଣ୍ଡା ଓ ଶୁଭ୍ରସ୍ମିତା ରାଉତ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିବା ବେଳେ ବନ୍ଦନା ପ୍ରିୟଦର୍ଶିନୀ ଜେନା ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବାହ୍ନରେ ଅନୁଷ୍ଠିତ ତ୍ୟାଗଭୂମି କବିତା ପାଠୋତ୍ସବରେ ଶୀତାରାଣୀ ଆଇଚ, ମନୋରମା ରାୟ, ଡ. ରାଧାରାଣୀ ମହାପାତ୍ର, ଅକ୍ଷୟ ପଣ୍ଡା, ରବି କୁମାର ପଣ୍ଡା, ସୁରୁଚିପ୍ରଭା ଦାଶ ମଞ୍ଚାସିନ ଥିଲେ । ଅଧ୍ୟାପକ ବିଶ୍ୱରଂଜନ ଦାସ, ସୁଧାକର ରାଉତ, କାଳନ୍ଦୀ ମଲ୍ଲିକ, ରୂପକ ବିହାରୀ ରାୟ, ଶ୍ରୀହର୍ଷ ସ୍ୱାଇଁ, ବୈଲୋଚନ ବେହୁରିଆ, ପରମାନନ୍ଦ ଦାସ, ଡ. ରାଧାବିନୋଦ ନାୟକ, ଡ. ବଳରାମ ମିଶ୍ର. ପ୍ରାଧ୍ୟାପକ ମାନସ ଲେଙ୍କା, ଅଧ୍ୟାପକ ସଂଗ୍ରାମ ମହାନ୍ତି, ପଙ୍କଜ ବଳ, ଅମରେନ୍ଦ୍ର ବିଶ୍ୱାଳ, ଅଶୋକ ଦାସ ପ୍ରମୁଖ ଯୋଗଦାନ କରିଥିଲେ । ଅଧ୍ୟାପକ ନାସିର ବକ୍ସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.