ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ଅଗ୍ରଣୀ ସାହିତ୍ୟ ପରିଷଦ ‘ସାଧନା ସାହିତ୍ୟ ଏକାଡେମୀ’ ତରଫରୁ ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମ ସାଧନା ପୀଠ, କୁଆଁସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ “ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ଇତିହାସ ପୁରୁଷ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ”ଙ୍କ ଉପରେ ଏକ ଗବେଷଣାତ୍ମକ ଆଲୋଚନା ହୋଇଥିଲା ।ଏଥିସହିତ ଓଡ଼ିଆ ଭାଷା ସାହିତ୍ୟର ସାରସ୍ୱତ ପ୍ରତିଭାଙ୍କ କବିତାକୁ ନେଇ କବିତାପାଠ ମଧ୍ୟ କରାଯାଇଥିଲା । ଏହି ସାହିତ୍ୟ ଏକାଡେମୀରେ ସ୍ୱର୍ଗତ ବିଷ୍ଣୁଚରଣ ସେଠୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ତାଙ୍କର ବିୟୋଗ ପରେ ତାଙ୍କର ପୁତ୍ର ତଥା ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କୁ ଏହି ସଭାରେ ମୁକୁଟ, ଉତ୍ତରୀୟ, ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସଭାପତି ଭାବେ ମନୋନୟନ କରାଯାଇଥିଲା । ଏକାଡେମୀର ସମ୍ପାଦକ ସାରସ୍ୱତ ସାଧକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ପରିଚାଳନାରେ ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଏକାଡେମୀର ସଭାପତି ମାନ୍ୟବର ବିଧାୟକ ଧାମନଗର ସୂର୍ୟ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ “ସାହିତ୍ୟ ସର୍ବବ୍ୟାପକ ହେବା ଉଚିତ୍ । ଯେଉଁ ଜାତି ନିଜ ଭାଷା ସାହିତ୍ୟ, ସଂସ୍କୃତି, ପରମ୍ପରା, ପିତା ମାତା ଏବଂ ଗୁରୁଙ୍କୁ ସମ୍ମାନ ଦେଇଛି ସେ ଜାତି ସେତିକି ଉନ୍ନତ ହୋଇଛି । ରାଜନୀତିର ତୁଙ୍ଗ ଶିଖରରେ ଥାଇ ସୁଦ୍ଧା କଲମ ଚାଳନାକୁ କେବେବି ଭୁଲି ନଥିଲେ ଓଡ଼ିଆ ଭାଷା ସାହିତ୍ୟ ଇତିହାସର ପ୍ରତୀକ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ” ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ବିଶ୍ୱ ସାହିତ୍ୟକୁ ଓଡ଼ିଆ ଭାଷାର ଆବଶ୍ୟକତା ସଂପର୍କରେ କହିଥିଲେ । ରାଜନେତା ତଥା ବିଶିଷ୍ଠ ସମାଜସେବୀ କବି ଦୀନବନ୍ଧୁ ପତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟକୁ ଡକ୍ଟର ମହତାବଙ୍କ ଅବଦାନ ସଂପର୍କରେ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ଏବଂ ଆଦର୍ଶ ଶିକ୍ଷକ ଅଶେକ ଖିଲାର ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୀବନାଦର୍ଶ ଉପରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ । ଏକାଡେମୀର ଆବାହକ ଅଧ୍ୟାପକ ନୀହାର ରଂଜନ କର ଅତିଥି ପରିଚୟ ପ୍ରଦାନ କରିବା ସହିତ ସାଧନା ସାହିତ୍ୟ ଏକାଡେମୀର ସୃଷ୍ଟି ସମ୍ପର୍କରେ କହିଥିଲେ । ଆଦର୍ଶ ଶିକ୍ଷକ ଶ୍ରୀଧର ଯେନା, ରଶ୍ମିତା ଦାଶ, ମୁସ୍ତାକ ଗୌହର ପ୍ରତିଷ୍ଠିତ କବିଙ୍କର କବିତା ସଂଯୋଜନା କରିଥିଲେ । ୮୨ ଜଣ କବି କବୟିତ୍ରୀ ନିଜ ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଏହି ସାରସ୍ୱତ ସଭାରେ ଭଦ୍ରକ ମାଟିର ଅନନ୍ୟ ପ୍ରତିଭାଧର ଶିକ୍ଷାବିତ୍ ପ୍ରଫେସର ଗୋଲକ ବିହାରୀ ସାହୁ, ଗଗନ ବିହାରୀ ରାଉତ, ପ୍ରଖ୍ୟାତ ବାଲୁକା ଶିଳ୍ପୀ ଗୋପାଳ ଚରଣ ସାମଲ, ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ, ରାମନାରାୟଣ ନାୟକ ଏବଂ ବରିଷ୍ଠ ସମାଜସେବୀ ତଥା ସାହିତ୍ୟକ ଡାକ୍ତର ବିକାଶ ନନ୍ଦଙ୍କୁ ସାଧନା ସାହିତ୍ୟ ଏକାଡେମୀ ତରଫରୁ ସମ୍ମାନିତ କରାଯାଇଥିଲା । ଏହି ସଭାରେ ବହୁ ସଂଖ୍ୟରେ ବୁଦ୍ଧିଜୀବୀ, ସାରସ୍ୱତ ସାଧକ, କବି କବୟିତ୍ରୀ, ଗବେଷକମାନେ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ରଖିଥିଲେ । ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ୍ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଶୁଭ୍ରସ୍ମିତା ରାଉତ ସଂଗୀତ ଗାନ କରିଥିଲେ । ପରିଶେଷରେ ଏକାଡେମୀର ସାଂସ୍କୃତିକ ସମ୍ପାଦିକା ରଶ୍ମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।








