ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଭିଜନ-୨୦୨୪ ପରିପ୍ରେକ୍ଷୀରେ ଭଦ୍ରକ ନେହେରୁ ଷ୍ଟାଡିୟମ ଓ ଚରମ୍ପା ରେଲୱେ ପଡ଼ିଆରେ ଚାଲିଥିବା ଜିଲ୍ଳା ଜୁନିଅର ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଗତକାଲି ଅନୁଷ୍ଠିତ ହୋଇଥିଲା। ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ ବିଜୟଭାନୁ କ୍ରିକେଟ ଏକାଡ଼େମୀ ଓ ସୂର୍ଯ୍ୟଶିଖା କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ବିଜୟଭାନୁ ବ୍ୟାଟିଂ କରିଥିଲା। ଦଳ ୩୦ ଓଭରରେ ୯ ଉଇକେଟ ହରାଇ ୩୨୧ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସ୍ୱୟଂଭୁ ପଲାଇ ୭୨ ବଲରେ ୧୨୪ ରନ କରିଥିଲେ। ପରେ ସୂର୍ଯ୍ୟଶିଖା ଦଳ ବ୍ୟାଟିଂ କରି ୧୩୧ ରନ୍ରେ ଅଲ୍ ଆଉଟ ହୋଇ ଯାଇଥିଲେ। ବିଜୟଭାନୁ ଦଳ ଏହି ମ୍ୟାଚକୁ ୧୯୦ ରନରେ ଜିତି ଚାମ୍ପିୟନ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ଉପେନ୍ଦ୍ର ବାରିକ, ବରେଣ୍ୟ ଅତିଥି ଭାବେ ଅଧିବକ୍ତା ଜତିକାନ୍ତ ନାୟକ, ପବନ ଶର୍ମା, ପାର୍ଥ ସାରଥୀ ରାୟ ପ୍ରମୁଖ ଯୋଗ ଦେଇ ଚାମ୍ପିୟନ ଓ ରନର୍ସଅପ୍ ଦଳକୁ ପୁରସ୍କୃତ କରିଥିଲେ। ମ୍ୟାନ ଅଫ୍ ଦି ମ୍ୟାଚ ସ୍ୱୟଂଭୁ ପଲାଇ, ମ୍ୟାନ ଅଫ୍ ଦି ସିରିଜ ଲକ୍ଷ୍ମୀକାନ୍ତ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ମୋଟ ୭ଟି କ୍ଳବ ଭାଗ ନେଇଥିଲେ। ସେଗୁଡ଼ିକ ହେଲା ସୂର୍ଯ୍ୟଶିଖା, ବିଜୟଭାନୁ କ୍ରିକେଟ ଏକାଡେମୀ, ଜଗନ୍ନାଥପୁର କ୍ରିକେଟ କ୍ଳବ, ୟୁନାଇଟେଡ଼ କ୍ଳବ, ଚାନ୍ଦବାଲି ସ୍ପୋର୍ଟ୍ସ କ୍ଳବ, ଶ୍ୟାମା କ୍ଲବ, ବଙ୍କସାହି ଯୁବକ ସଂଘ।