Odiapua.com

ଓଡ଼ିଶା: ଆଜିଠୁ ମାସ୍କ ନପିନ୍ଧି ଘରୁ ବାହାରିବା ମନା, ସାରା ରାଜ୍ୟରେ କଡ଼ାକଡ଼ି ଭାବେ ପାଳନ ହେବ ନିୟମ

ଭୁବନେଶ୍ବର: ଆଜିଠୁ ମାସ୍କ ନପିନ୍ଧି ଘରୁ ବାହାରକୁ ବାହାରିବା ମନା। ସାରା ରାଜ୍ୟରେ କଡ଼ାକଡ଼ି ଭାବେ ଏହି ନିୟମ ପାଳନ ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କାଶ କିମ୍ବା ଛିଙ୍କ ଦ୍ୱାରା ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। କରୋନା ସଂକ୍ରମଣ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ- ୨୦୦୫ର ଧାରା ୨୪ ପ୍ରାବଧାନ ଅନୁଯାୟୀ ଏପରି ନିୟମ ଲାଗୁ ହୋଇଛି। ଯଦି ବି କେହି ସେପରି କୌଣସି ଜରୁରୀ କାମ ପାଇଁ ବାହାରକୁ ବାହାରନ୍ତି ତେବେ ମୁହଁ ଏବଂ ନାକକୁ ମାସ୍କରେ ଘୋଡ଼ାଇ ରଖିବା ଜରୁରୀ। ମାସ୍କ ଉପଲବ୍ଧ ନଥିଲେ ନିଜ ମୁହଁ ଓ ନାକକୁ ଘୋଡ଼ାଇବା ପାଇଁ ରୁମାଲ କିମ୍ବା ଅନ୍ୟ କୌଣସି ଗାମୁଛା, ଓଢ଼ଣୀ ଭଳି କପଡାକୁ ଦୁଇ ଥାକିଆ କରି ମୁହଁରେ ବାନ୍ଧି ପାରିବେ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏଥିପ୍ରତି କଡ଼ା ଦୃଷ୍ଟି ଦେବାକୁ ସବୁ ଜିଲ୍ଲା ଓ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ, ୨ ବର୍ଷରୁ କମ୍ ବୟସର ପିଲା ଓ ଶ୍ବାସରୋଗ ଥିବା ବ୍ୟକ୍ତି କିମ୍ବା ରୋଗାଗ୍ରସ୍ତ ଥିବା ବୟସ୍କ ଲୋକ ମାନଙ୍କ ପାଇଁ ନିୟମରେ କୋହଳ କରାଯାଇଛି। ତେବେ, ଏହି ନିୟମ ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ଲାଗୁ ହୋଇଯାଇଛି। ବିନା ମାସ୍କରେ ଘରୁ ବାହାରିଲେ ସହରାଞ୍ଚଳ ଲୋକଙ୍କ ପାଇଁ ୧୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ୫୦୦ ଟଙ୍କାର ଫାଇନ ବ୍ୟବସ୍ଥା କରାଯାଇଛି। /-ଦେବଦତ୍ତ ରଥ

ଭାରତରୁ ନିଜ ଦେଶକୁ ଫେରି ଯିବାକୁ ଅନିଛୁକ ଆମେରିକୀୟ ନାଗରିକ