ତାଳଚେର, ୨/୮ (ଓଡ଼ିଆ ପୁଅ) : ମହାନଦୀ କୋଲ୍ ଫିଲଡ୍ସ ଲିମିଟେ୍ଡ୍ (ଏମ୍ସିଏଲ୍)ର ନୂତନ ବିତ୍ତ ନିର୍ଦ୍ଦେଶକ ଭାବେ ଅଜିତ କୁମାର ବେହୁରା ଦାୟିତ୍ୱଭାର ଗ୍ରହଣ କରିଛନ୍ତି। ସେ ଏହା ପୂର୍ବରୁ ଏମ୍ସିଏଲ୍ର ଉପମହାପ୍ରବନ୍ଧକ (ଅର୍ଥ) ଭାବରେ ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ। ଶ୍ରୀ ବେହୁରା ୧୯୯୩ ମସିହାରେ ଏନ୍ଏଚ୍ପିସିରୁ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ପରେ କୋଲ୍ ଇଣ୍ଡିଆରେ ଯୋଗ ଦେଇ ୧୯୯୬ ମସିହାରେ ଏମ୍ସିଏଲ୍ର ଆକାଉଣ୍ଟସ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। କୋଲ୍ ଇଣ୍ଡିଆର ବେଶ ଅନୁଭୂତି ରହିବା ସହିତ ଏମ୍ସିଏଲ୍ ମୁଖ୍ୟାଳୟରେ ୨୦୦୮ ମସିହାରେ ଯୋଗ ଦେଇ ବିଭିନ୍ନ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ। କର୍ପୋରେଟ୍ ଟ୍ରେଜେରୀ, କଷ୍ଟ ଏବଂ ବଜେଟ ଆଦିର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହିତ ଏମ୍ସିଏଲ୍ରେ ଏସ୍ଏପି-ଏଫ୍ଆଇସିଓ ମଡ୍ୟୁଲ୍ (ଡିଆରପି) ପ୍ରଚଳନ କରିଥିଲେ। ଶ୍ରୀ ବେହୁରା ଏମ୍ସିଏଲ୍ର ସହାୟକ କମ୍ପାନୀ ଏମ୍ଏନ୍ଏଚ୍ ଶକ୍ତି ଲିମିଟେଡ୍ର ମୁଖ୍ୟ ଅର୍ଥ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ। ସେ ୧୯୬୬ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଳାର ଜୟକୃଷ୍ଣପୁରରେ ଜନ୍ମଗ୍ରହଣ କରି କେନ୍ଦ୍ରାପଡ଼ା ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଉପାଧି ହାସଲ କରି ପୁରୀ ଏସ୍ସିଏସ୍ କଲେଜରୁ ବାଣିଜ୍ୟରେ ସ୍ନାତୋକତର ଉପାଧି ହାସଲ କରିଥିଲେ। ସେ ୧୯୯୨ରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଏକାଉଣ୍ଟ ଅଫ୍ ଇଣ୍ଡିଆର ପ୍ରଫେସନାଲ୍ ଡିଗ୍ରୀ ହାସଲ କରିଥିଲେ। ଶ୍ରୀ ବେହୁରାଙ୍କ ଏହି ନୂତନ ନିଯୁକ୍ତି ନେଇ ଏମ୍ସିଏଲ୍ ପକ୍ଷରୁ ତାଙ୍କୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।