ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କରୋନା ମହାମାରୀ ପାଇଁ ଗତବର୍ଷ ଗଜାନନଙ୍କ ପୂଜୋତ୍ସବ ଫିକା ପଡିଥିବାବେଳେ ଚଳିତବର୍ଷ ମଧ୍ୟ ଠିକ୍ ସେହିଭଳି କୋଭିଡ୍ ଗାଇଡ୍ଲାଇନ୍ ଓ ପ୍ରଶାସନର ନିୟମ ଅନୁସାରେ ପାଳିତ ହୋଇଛି ଭଦ୍ରକର ପ୍ରସିଦ୍ଧ ବୁଢା, ଟୋକା, ପିଲା, ଛୁଆ ଓ କାଞ୍ଚନ ଗଣେଶଙ୍କ ପୂଜୋତ୍ସବ । ଆଜିର ଦିନରେ ସମଗ୍ର ଭାରତବର୍ଷ ଶ୍ରୀ ଗଣପତିଙ୍କ ଆଗମନ ହୋଇଥିବାବେଳେ ଭଦ୍ରକର ଉଭୟ ହିନ୍ଦୁ ଓ ମୁସଲିମ୍ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଭାଇଚାରାର ସଂପର୍କ ଯୋଡିରଖିଥିବା ମୋଗଲ ସମୟର ପ୍ରସିଦ୍ଧ ବୁଢ଼ା ଗଣେଶ ନିରାଡମ୍ବର ପୂଜା ସହିତ ଟୋକା ଓ ପିଲା ଗଣେଶ ପୂଜନର ଉଦୀପନା ସହରବାସୀଙ୍କ ହୃଦୟରେ ଉନ୍ମାଦନା ସୃଷ୍ଟି କରିଛି । ଏହି ତିନି ଗଣେଶଙ୍କ ମଧ୍ୟରୁ ମୋଗଲ ସମୟର ବୁଢା ଗଣେଶଙ୍କ ଇତିହାସ ବେଶ୍ ଚର୍ଚ୍ଚିତ । ଯାହା କେଉଁ ଆବହମାନ କାଳରୁ ଏ ମାଟିର ଉଭୟ ହିନ୍ଦୁ ଓ ମୁସଲମାନଙ୍କୁ ଏକତାର ମହାମନ୍ତ୍ରରେ ବାନ୍ଧି ରଖିଛି । ଯାହା ଅନ୍ୟତ୍ର ବିରଳ । ଭଦ୍ରକ ସହରର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ ଭାବେ ଏକଦା ପରିଚିତ ପୁରୁଣା ବଜାର ଅଂଚଳର ଏହି ବୁଢ଼ା ଗଣେଶଙ୍କ ପୂଜନର ଇତିହାସ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ବର୍ଷ ବୋଲି ‘ବୋଇତ ଯୁଗର ବୁଢ଼ା ଗଣେଶ’ ପୁସ୍ତକରୁ ଜଣାଯାଏ । ଏକଦା ଏହି ମାଟିର ସାଧବମାନେ ନିଜ ବାଣିଜ୍ୟ ବ୍ୟବସାୟର ଯାତ୍ରା କରିବା ପୂର୍ବରୁ ଏହି ବୁଢ଼ାଗଣେଶଙ୍କୁ ପ୍ରତଷ୍ଠା କରି କୁଶଳରେ ଫେରିବାର କାମନା କରୁଥିଲେ । ପୁରୁଷାନୁକ୍ରମେ ସେହି ସମୟରୁ ଏ ଅଞ୍ଚଳର ଉଭୟ ହିନ୍ଦୁ ଓ ମୁସଲମାନମାନେ ଏହି ଦେବତାଙ୍କୁ ପ୍ରତିବର୍ଷ ପ୍ରତିଷ୍ଠାକରି ପାରମ୍ପରିକ ରୀତିରେ ପୂଜାକରି ଆସୁଛନ୍ତି । ଏଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନିଜ ନିଜର ମାନସିକ ନଡ଼ିଆ ରଖି ବୁଢ଼ାଗଣେଶଙ୍କୁ ମନସ୍କାମନା ପୂରଣର କାମନା କରନ୍ତି ବୋଲି ଉଭୟ ସମ୍ପ୍ରଦାୟର ବିଶ୍ୱାସ ରହିଛି । ପ୍ରତ୍ୟେକ ବର୍ଷ ଶ୍ରୀଗଣେଶ ତିଥିରେ ଏହି ମୂର୍ତ୍ତି ନିର୍ମାଣ ହୋଇ ମାସାଧିକ କାଳ ନିଜ ଆସ୍ଥାନରେ ପୂଜାପାଇ ସାଳନ୍ଦୀ ନଦୀର ଆଶ୍ରମ ଘାଟରେ ବିସର୍ଜିତ ହୋଇଥାନ୍ତି ।
ପ୍ରବାଦ ଅଛି ଭସାଣିବେଳେ ବୁଢ଼ାଗଣେଶଙ୍କ କାନରେ ଯିଏ ଯାହା ମନାସୀ ଥାଏ, ତାହା ପୂରଣ ହୁଏ । ବୁଢ଼ାଗଣେଶଙ୍କର ବିଶେଷତ୍ୱ ଏହା ଯେ ମାସାଧିକକାଳ ପୂଜା ପାଇବା ଠାରୁ ଆରମ୍ଭ କରି ଭସାଣି ପର୍ଯ୍ୟନ୍ତ ସମସ୍ତ ବ୍ୟୟଭାର ଭକ୍ତଙ୍କ ମାନସିକ ଦାନଅର୍ଥରେ ସଂପନ୍ନ ହୋଇଥାଏ । ଏବଂ ଏହି ମୂର୍ତ୍ତିର ଢାଞ୍ଚା ଆରମ୍ଭରୁ ଆଜିପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି । ଏହା ବିଭିନ୍ନ ସମୟରେ ଅନେକ ଶିଳ୍ପୀଙ୍କ ଦ୍ୱାରା ନିର୍ମାଣ ହୋଇଆସୁଥିଲେ ମଧ୍ୟ ଠାକୁରଙ୍କ ମହିମାରୁ ମୂଳମୂର୍ତ୍ତିଙ୍କର କୌଣସି ପରିବର୍ତ୍ତନ ଆଜିପର୍ଯ୍ୟନ୍ତ ହୋଇନାହିଁ ବୋଲି କହନ୍ତି ପୂଜା କମିଟିର ସଭାପତି । ଅନୁରୂପ ପୁରୁଣା ବଜାର ଅଂଚଳର କେତେକ ଶ୍ରଦ୍ଧାଳୁ ବ୍ୟକ୍ତି ୧୯୭୦ ମସିହାରୁ ଆରମ୍ଭ କରିଥିବା ଟୋକାଗଣେଶଙ୍କ ପୂଜା ମଧ୍ୟ ଆଜିି ବେଶ୍ ଉତ୍ସାହ ଉଦୀପନା ମଧ୍ୟରେ ଆରମ୍ଭ ହୋଇଛି । ଏହି ମୂର୍ତ୍ତିର ବିଶେଷତ୍ୱ ଏହା ଯେ ଏହାର ମେଢ଼ଟି ସଂପୂର୍ଣ୍ଣ ଚାନ୍ଦିରେ ତିଆରି । ତେବେ ଏହାର ପୂଜା ଓ ଭଷାଣି ବୁଢାଗଣେଶଙ୍କ ଭଳି ମାସାଧିକ ଧରି ପାଳିତ ହେଉଛି ବୋଲି କହନ୍ତି ପୂଜା କମିଟିର ସଭାପତି । କେବଳ ଏହି ଦୁଇ ଗଣେଶ ନୁହଁନ୍ତି ସ୍ଥାନୀୟ କୁଆଁସ ଗ୍ରାମସ୍ଥିତ ମୁକ୍ତେଶ୍ୱର କ୍ଲବ୍ର କେତେକ ଯୁବକଙ୍କ ଦ୍ୱାରା ୨୦୦୭ ମସିହାରୁ ପାଳିତ ହୋଇଆସୁଥିବା ପିଲାଗଣେଶ ମଧ୍ୟ ମାସାଧିକକାଳ ପୂଜା ପାଇ ବେଶ୍ ଯାକଯମକରେ ବିସର୍ଜିତ ହୋଇଆସୁଛି ବୋଲି କହନ୍ତି ସଭାପତି ଓ ସଂପାଦକ । ସେହିଭଳି କୁଆଁସସ୍ଥିତ ସୁଇପର କଲୋନୀ ଠାରେ ଛୁଆ ଗଣେଶ ପୂଜା ବେଶ୍ ଧୁମ୍ଧାମରେ ପାଳିତ ହୋଇଆସୁଥିବାବେଳେ କୁନି ୍ଗଣେଶ ମଧ୍ୟ ପୂଜା ପାଉଛନ୍ତି । ଏହି ପାଞ୍ଚୋଟି ଗଣେଶଙ୍କ ପୂଜନ ପାଇଁ କୋଭିଡ୍ ଗାଇଡ୍ଲାଇନ୍ ପାଳନ ସହ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବେଶ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ।