Home Coronavirus Outbreak ଏକ ସ୍ୱଚ୍ଛ ଉପାୟରେ ବୈଜ୍ଞାନିକ ପ୍ରମାଣକୁ ଆଧାର କରି କୋଭିସିଲ୍ଡ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି...

ଏକ ସ୍ୱଚ୍ଛ ଉପାୟରେ ବୈଜ୍ଞାନିକ ପ୍ରମାଣକୁ ଆଧାର କରି କୋଭିସିଲ୍ଡ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି- ଏନଟିଏଜିଆଇ ଅଧ୍ୟକ୍ଷ ଡ.ଏନ୍ କେ ଆରୋରା

74

‘‘ଏହି ନିଷ୍ପତ୍ତିକୁ ନେଇ ଏନଟିଏଜିଆଇ ସଦସ୍ୟମାନଙ୍କ ମଧ୍ୟରେ କୌଣସି ଅସହମତି ନାହିଁ’’

‘‘ଅନ୍ୟ ବୈଜ୍ଞାନିକ ପ୍ରମାଣକୁ ତଦାରଖ ପାଇଁ ଭାରତ ନିକଟରେ ଏକ ଶକ୍ତିଶାଳୀ ବ୍ୟବସ୍ଥା ରହିଛି’’

ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇ ବୈଜ୍ଞାନିକ ପ୍ରକ୍ରିୟାରେ ସମସ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି: ଡ.ଏନ୍ କେ ଆରୋରା

ନୂଆଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ଭାରତର କୋଭିଡ-୧୯ ଟିକାକରଣ ଅଭିଯାନ ପ୍ରସଙ୍ଗରେ ଟିକାକରଣ ସଂକ୍ରାନ୍ତ ଜାତୀୟ ବୈଷୟିକ ଉପଦେଷ୍ଟା କମିଟି (ଏନଟିଏଜିଆଇ)ର କୋଭିଡ-୧୯ କାର୍ଯ୍ୟକାରିଣୀ କମିଟି ଅଧ୍ୟକ୍ଷ ଡ.ଏନ୍ କେ ଆରୋରା ଡିଡି ନ୍ୟୁଜ ସହ କିଛି ବାର୍ତ୍ତା ବିନିମୟ କରିଛନ୍ତି।

ବୈଜ୍ଞାନିକ ପ୍ରମାଣକୁ ଆଧାର କରି କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯାଇଛି।

ଆଡିନୋଭେକ୍ଟର ଟିକାଗୁଡ଼ିକର ବ୍ୟବହାର ବାବଦରେ ଉପଲବ୍ଧ ମୌଳିକ ବୈଜ୍ଞାନିକ କାରଣ ଆଧାରରେ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ୪-୬ ସପ୍ତାହରୁ ୧୨-୧୬ ସପ୍ତାହକୁ ବୃଦ୍ଧି କରାଯିବା ନିଷ୍ପତ୍ତି ପ୍ରସଙ୍ଗରେ ଡ.ଏନ୍ କେ ଆରୋରା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ‘‘୨୦୨୧ ଏପ୍ରିଲ ମାସର ଶେଷ ସପ୍ତାହରେ ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟନିର୍ବାହୀ ଏଜେନ୍ସି ପବ୍ଲିକ୍ ହେଲଥ ଇଂଲଣ୍ଡ ଦ୍ୱାରା ପ୍ରକାଶିତ ତଥ୍ୟ ମୁତାବକ ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ ସପ୍ତାହ ହେବା ସ୍ଥଳେ ଟିକାର ପ୍ରଭାବ ୬୫ % – ୮୮ % ମଧ୍ୟରେ ରହୁଛି। ଏହାକୁ ଭିତ୍ତିକରି ସେମାନେ ଆଲଫା ଭାରିଆଣ୍ଟ ଯୋଗୁ ବଢ଼ିଥିବା ମହାମାରୀ ସଂକଟରୁ ମୁକୁଳି ପାରିଥିଲେ। ଟିକା ଡୋଜ୍ ବ୍ୟବଧାନ ୧୨ ସପ୍ତାହ ରଖାଯିବା କାରଣରୁ ବ୍ରିଟେନ୍ ଏହି ସଂକଟରୁ ବାହାରି ପାରିଥିଲା। ଆମେ ମଧ୍ୟ ଏହାକୁ ଏକ ଭଲ ଚିନ୍ତାଧାରା ବୋଲି ବିବେଚନା କରୁଛୁ, କାହିଁକି ନା ମୌଳିକ ବୈଜ୍ଞାନିକ ପ୍ରମାଣଗୁଡ଼ିକରୁ ଜଣାପଡ଼ିଛି ଯେ ବ୍ୟବଧାନ ମାତ୍ରା ବୃଦ୍ଧି ପାଇବା ଦ୍ୱାରା ଆଡିନୋଭେକ୍ଟର ଟିକା ଭଲ ପ୍ରତିକ୍ରିୟା ପ୍ରଦାନ କରିଥାଏ। ତେଣୁ ଡୋଜ୍ ବ୍ୟବଧାନ ୧୨-୧୬ ସପ୍ତାହକୁ ବୃଦ୍ଧି ନିମନ୍ତେ ମେ ୧୩ ତାରିଖରେ ନିଷ୍ପତ୍ତି ଗ୍ରହଣ କରାଗଲା।’’ ତା’ଛଡ଼ା ପ୍ରତ୍ୟେକ ଲୋକ ଠିକ୍ ୧୨ ସପ୍ତାହ ବା ଏହିଭଳି କିଛି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପହଞ୍ଚି ପାରୁ ନ ଥିବାରୁ ଏହି ନିଷ୍ପତ୍ତି ସେମାନଙ୍କୁ ନମନୀୟତା ପ୍ରଦାନ କରୁଛି ବୋଲି ସେ କହିଛନ୍ତି।

ବୈଜ୍ଞାନିକ ପ୍ରମାଣକୁ ଭିତ୍ତିକରି କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ଗୁରୁତ୍ୱାରୋପ କରିଛନ୍ତି। ‘‘ଆମ ନିକଟରେ ଏକ ଅତ୍ୟନ୍ତ ଉନ୍ମୁକ୍ତ ତଥା ସ୍ୱଚ୍ଛ ବ୍ୟବସ୍ଥା ରହିଛି, ଯାହାଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ନିଷ୍ପତ୍ତି ଗ୍ରହଣ କରାଯାଉଛି। ବିନା କୌଣସି ଅସହମତିରେ କୋଭିଡ କାର୍ଯ୍ୟକାରିଣୀ କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଛି। ଏହାପରେ ଏନଟିଏଜିଆଇ ବୈଠକରେ ଏହି ପ୍ରସଙ୍ଗରେ ପୁଣି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା ଏବଂ ପୁନର୍ବାର ଏଥିରେ କୌଣସି ଅସହମତି ପ୍ରକାଶ ପାଇ ନ ଥିଲା। ଟିକା ଡୋଜ୍ ବ୍ୟବଧାନ ୧୨-୧୬ ସପ୍ତାହ ହେବା ଆବଶ୍ୟକ ବୋଲି ବୈଠକରେ ସୁପାରିସ କରାଯାଇଥିଲା।’’

ଡ.ଆରୋରା କହିଛନ୍ତି ଯେ ପୂର୍ବରୁ ଉପଲବ୍ଧ ବ୍ରିଜିଙ୍ଗ ଟ୍ରାଏଲ୍ ତଥ୍ୟ ଆଧାରରେ ୪ ସପ୍ତାହ ବ୍ୟବଧାନ ବାବଦରେ ପ୍ରଥମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବ୍ୟବଧାନ ବୃଦ୍ଧି ପାଇବା ଯୋଗୁ ଟିକାର ପ୍ରଭାବ ବଢୁଥିବା ବାବଦରେ ଅଧ୍ୟୟନରୁ ଜଣାପଡ଼ିବା ପରେ ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ କରାଯାଇଥିବା ସେ ଦର୍ଶାଇଥିଲେ। କୋଭିସିଲ୍ଡ ସଂକ୍ରାନ୍ତରେ ପ୍ରାଥମିକ ଅଧ୍ୟୟନଗୁଡ଼ିକ ଅତ୍ୟନ୍ତ ବିଷମ ଥିଲା। ବ୍ରିଟେନ୍ ଭଳି କିଛି ଦେଶ ୨୦୨୦ ଡିସେମ୍ବରରେ ଟିକା ଉପଲବ୍ଧ କରିବା ବେଳେ ୧୨ ସପ୍ତାହର ବ୍ୟବଧାନ ଥିବା ଡୋଜକୁ ଆପଣାଇଥିଲେ। ଆମ ନିକଟରେ ଏହି ସୂଚନା ରହିଥିଲା ବେଳେ ଆମେ ଆମର ବ୍ରିଜିଙ୍ଗ ଟ୍ରାଏଲ ତଥ୍ୟକୁ ଆଧାର କରି ୪ ସପ୍ତାହ ବ୍ୟବଧାନକୁ ଆପଣାଇଥିଲୁ, ଯାହା କି ଭଲ ପ୍ରତିରୋଧୀ ପ୍ରତିକି୍ରୟା ପ୍ରଦର୍ଶନ କରୁଥିଲା। ପରେ ଆମେ ଅଧିକ ବୈଜ୍ଞାନିକ ତଥା ଲାବୋରେଟୋରି ତଥ୍ୟ ସଂକ୍ରାନ୍ତରେ ଅବଗତ ହୋଇଥିଲୁ, ଯାହା ଭିତ୍ତିରେ ୬ ସପ୍ତାହ ବା ତାହା ପରେ ଆମେ ଏହି ବ୍ୟବଧାନ ୪ ସପ୍ତାହରୁ ୮ ସପ୍ତାହକୁ ବୃଦ୍ଧି କରାଯିବା ଆବଶ୍ୟକ ବୋଲି ଅନୁଭବ କରିଥିଲୁ। ସେତେବେଳେ ଆମେ ଜାଣିବାକୁ ପାଇଥିଲୁ ଯେ ଡୋଜ୍ ବ୍ୟବଧାନ ୪ ସପ୍ତାହ ହେଲେ ଟିକାର ପ୍ରଭାବ ପାଖାପାଖି ୫୭ % ରହୁଛି ଏବଂ ଏହା ୮ ସପ୍ତାହ ହେଲେ ଏହି ପ୍ରଭାବ ପ୍ରାୟ ୬୦ % ରହୁଛି।

ଡୋଜ୍ ବ୍ୟବଧାନକୁ ଏନଟିଏଜିଆଇ ପୂର୍ବରୁ କାହିଁକି ୧୨ ସପ୍ତାହକୁ ବୃଦ୍ଧି କଲା ନାହିଁ, ସେ ବାବଦରେ ଆଲୋଚନା କରି ସେ କହିଛନ୍ତି, ‘‘ବ୍ରିଟେନ୍ (ଆଷ୍ଟ୍ରାଜେନେକା ଟିକାର ଅନ୍ୟତମ ବଡ଼ ଉପଭୋକ୍ତା)ରୁ ତୃଣମୂଳ ସ୍ତରର ତଥ୍ୟକୁ ଅପେକ୍ଷା କରାଯିବା ଆବଶ୍ୟକ ବୋଲି ଆମେ ନିଷ୍ପତ୍ତି ନେଇଥିଲୁ।’’

ଏହାବ୍ୟତୀତ କାନାଡ଼ା, ଶ୍ରୀଲଙ୍କା ଏବଂ ଅନ୍ୟ କେତେକ ରାଷ୍ଟ୍ର ଆଷ୍ଟ୍ରାଜେନେକା ଟିକାକୁ ୧୨-୧୬ ସପ୍ତାହ ବ୍ୟବଧାନ ଆଧାରରେ ବ୍ୟବହାର କରୁଛନ୍ତି, ଯାହା କି କୋଭିସିଲ୍ଡ ଟିକା ସହିତ ସମାନ ବୋଲି ସେ ଉଦାହରଣ ଦେଇ କହିଛନ୍ତି।

ଗୋଟିଏ ଡୋଜ୍ ବନାମ ଦୁଇ ଡୋଜରୁ ସୁରକ୍ଷା

ଆଂଶିକ ଓ ସମ୍ପୂର୍ଣ୍ଣ ଟିକାକରଣର ପ୍ରଭାବ ବାବଦରେ ସାମ୍ନାକୁ ଆସୁଥିବା ନୂଆ ପ୍ରମାଣ ଏବଂ ରିପୋର୍ଟକୁ କିଭଳି ଏନଟିଏଜିଆଇ ଦ୍ୱାରା ବିଚାର କରାଯାଇଛି, ସେ ପ୍ରସଙ୍ଗରେ ଡ.ଆରୋରା ବର୍ଣ୍ଣନା କରିଛନ୍ତି। ‘‘ଡୋଜ୍ ବ୍ୟବଧାନ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯିବାର ୨-୩ ଦିନ ପରେ, ବ୍ରିଟେନ୍ରୁ ରିପୋର୍ଟ ଆସିଥିଲା ଯେ ଆଷ୍ଟ୍ରାଜେନେକା ଟିକାର ଗୋଟିଏ ଡୋଜ୍ ମାତ୍ର ୩୩ % ସୁରକ୍ଷା ପ୍ରଦାନ କରୁଛି ଏବଂ ଦୁଇଟି ଡୋଜ୍ ପ୍ରାୟ ୬୦ % ସୁରକ୍ଷା ପ୍ରଦାନ କରୁଛି” ଭାରତ ପୁଣି ୪ ଅଥବା ୮ ସପ୍ତାହକୁ ଫେରିବା ଆବଶ୍ୟକ କି ନାହିଁ, ସେ ନେଇ ମେ ମଧ୍ୟଭାଗରୁ ଆଲୋଚନା ଜାରି ରହିଛି।’’

ସେ ଆହୁରି କହିଛନ୍ତି ଯେ ଟିକାକରଣ କାର୍ଯ୍ୟକ୍ରମର ପ୍ରଭାବ ମୂଲ୍ୟାୟନ ପାଇଁ ଏକ ଟ୍ରାକିଙ୍ଗ୍ ପ୍ଲାଟଫର୍ମ ସ୍ଥାପନ ଲାଗି ନିଷ୍ପତ୍ତି ନିଆଯାଇଛି। ‘‘ଏନଟିଏଜିଆଇ ଏହି ନିଷ୍ପତ୍ତି ଯେତେବେଳେ ନେଲା, ଭାରତ ଏକ ଟିକା ଟ୍ରାକିଙ୍ଗ୍ ପ୍ଲାଟଫର୍ମ ସ୍ଥାପନ କରିବ ବୋଲି ମଧ୍ୟ ଆମେ ନିଷ୍ପତ୍ତି ନେଇଥିଲୁ, ଯାହାଦ୍ୱାରା ଟିକାକରଣ କାର୍ଯ୍ୟକ୍ରମର ପ୍ରଭାବକୁ କେବଳ ମୂଲ୍ୟାୟନ କରାଯିବ ନାହିଁ, ଟିକାର ପ୍ରକାର ଏବଂ ଡୋଜ୍ ମଧ୍ୟରେ ବ୍ୟବଧାନ, ଏବଂ ଜଣଙ୍କର ସମ୍ପୂର୍ଣ୍ଣ/ଆଂଶିକ ଟିକାକରଣ ହେଲେ କ’ଣ ହେବ, ତାହା ମଧ୍ୟ ଜଣାପଡ଼ିବ। ଭାରତରେ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, କାରଣ ପାଖାପାଖି ୧୭-୧୮ କୋଟି ଲୋକ କେବଳ ଗୋଟିଏ ଡୋଜ୍ ନେଇଥିବା ବେଳେ ପ୍ରାୟ ୪ କୋଟି ଲୋକ ଦୁଇଟିଯାକ ଡୋଜ୍ ଗ୍ରହଣ କରିସାରିଛନ୍ତି।’’

ପିଜିଆଇ ଚଣ୍ଡିଗଡ଼ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଉପରେ ଡ.ଆରୋରା ଅବଲୋକନ କରିଛନ୍ତି, ଯାହା ଆଂଶିକ ବା ସମ୍ପୂର୍ଣ୍ଣ ଟିକାକରଣର ପ୍ରଭାବକୁ ତୁଳନା କରି ପ୍ରସ୍ତୁତ ହୋଇଥିଲା। ‘‘ପିଜିଆଇ ଚଣ୍ଡିଗଡ଼ ଅଧ୍ୟୟନ ଅତ୍ୟନ୍ତ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଉଭୟ ଆଂଶିକ ଏବଂ ପୂର୍ଣ୍ଣାଙ୍ଗ ଟିକାକରଣରେ ଟିକାର ପ୍ରଭାବ ୭୫ % ରହିଛି। ତେଣୁ ଅତିକମ୍ରେ ସ୍ୱଳ୍ପ ମିଆଦି ଭାବେ ଆଂଶିକ ଅଥବା ପୂର୍ଣ୍ଣାଙ୍ଗ ଟିକାକରଣରେ ପ୍ରଭାବ ପ୍ରାୟତଃ ସମାନ ରହୁଛି। ପଞ୍ଜାବ, ଉତ୍ତର ଭାରତରେ ସଂକ୍ରମଣର ତାଣ୍ଡବ ରଚି ଦିଲ୍ଲୀ ଆସିଥିବା ଆଲ୍ଫା ଭାରିଆଣ୍ଟ କ୍ଷେତ୍ରରେ ଏହା ଜଣାପଡ଼ିଛି। ଏହାର ଅର୍ଥ ହେଉଛି ଆପଣ କେବଳ ଗୋଟିଏ ଡୋଜ୍ ନେଇଥିଲେ ବି ସଂକ୍ରମଣରୁ ଆପଣ ସୁରକ୍ଷିତ ବୋଲି କୁହାଯିବ।’’

ସିଏମସି ଭେଲ୍ଲୋର ଅଧ୍ୟୟନ ଫଳାଫଳ ମଧ୍ୟ ସମାନ ଦର୍ଶାଉଛି ବୋଲି ସେ କହିଛନ୍ତି। ‘‘୨୦୨୧ ଏପି୍ରଲ ଓ ମେ’ ମାସ ମଧ୍ୟରେ ଭାରତରେ ମହାମାରୀ ଲହର ସ୍ଥିତିକୁ ଭିତ୍ତିକରି କିଛିଦିନ ତଳେ ସିଏମସି ଭେଲ୍ଲୋର, ତାମିଲନାଡୁ ଦ୍ୱାରା ହୋଇଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ ଦର୍ଶାଉଛି ଯେ ଯଦି ଜଣଙ୍କର ଆଂଶିକ ଭାବେ ଟିକାକରଣ ହୋଇଛି, କୋଭିସିଲ୍ଡ ଟିକାର ପ୍ରଭାବ ୬୧ % ରହୁଛି ଏବଂ ଦୁଇଟି ଡୋଜ୍ କ୍ଷେତ୍ରରେ ପ୍ରଭାବ ୬୫ % ରହୁଛି- ଏବଂ ଏଥିରେ ଅତ୍ୟନ୍ତ ସ୍ୱଳ୍ପ ବ୍ୟବଧାନ ରହିଛି, ବିଶେଷକରି ଏହି ହିସାବରେ କିଛି ପରିମାଣର ଅନିଶ୍ଚିତତା ରହିଥିବା କୁହାଯିବ।’’

ଟିକା ପ୍ରଭାବର ଜାରି ଅଧ୍ୟୟନ ଏବଂ ତଦାରଖ

ଡ.ଆରୋରା କହିଛନ୍ତି ଯେ ପିଜିଆଇ ଓ ସିଏମସି ଭେଲ୍ଲୋର ଅଧ୍ୟୟନ ବ୍ୟତୀତ, ଦିଲ୍ଲୀ ମଧ୍ୟରେ ଦୁଇଟି ପୃଥକ୍ ସଂଗଠନ ପକ୍ଷରୁ ଆଉ ଦୁଇଟି ଅଧ୍ୟୟନ ଫଳାଫଳ ଆସିବାକୁ ଯାଉଛି। ‘‘ଏବଂ ଏହି ଉଭୟ ଅଧ୍ୟୟନ ଦର୍ଶାଉଛି ଯେ ଗୋଟିଏ ଡୋଜରେ ବ୍ରେକଥ୍ରୁ ସଂକ୍ରମଣ ପାଖାପାଖି ୪ %, ଏବଂ ଦୁଇଟି ଡୋଜରେ ଏହା ପାଖାପାଖି ୫ %, ଅର୍ଥାତ୍ ମୋଟାମୋଟି ଭାବେ କୌଣସି ପ୍ରଭେଦ ନାହିଁ। ଏବଂ ଅନ୍ୟ ଅଧ୍ୟୟନ ଦର୍ଶାଉଛି ଯେ ବ୍ରେକଥ୍ରୁ ସଂକ୍ରମଣ ୧.୫ %-୨ % ରହୁଛି।

ଡ.ଆରୋରା କହିଛନ୍ତି, ଟିକାକରଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗର ପ୍ରଭାବକୁ ମୂଲ୍ୟାୟନ ଓ ରିପୋର୍ଟ ପ୍ରଦାନ ପାଇଁ ବିଭିନ୍ନ ଉତ୍ସରୁ ହାସଲ କରାଯାଇଥିବା ତଥ୍ୟକୁ ସମନ୍ୱିତ କରାଯିବ। ତା’ଛଡ଼ା ଟିକାକରଣ ପରବର୍ତ୍ତୀ ପ୍ରତିକୂଳ ପ୍ରଭାବ (ଏଇଏଫ୍ଆଇ)ର ତଦାରଖ ପାଇଁ ଭାରତ ନିକଟରେ ମଧ୍ୟ ଏକ ସୁଦୃଢ଼ ବ୍ୟବସ୍ଥା ରହିଥିବା ସେ କହିଛନ୍ତି।

କୋଭିସିଲ୍ଡ ଡୋଜ୍ ବ୍ୟବଧାନ ହ୍ରାସ ପାଇଁ କୌଣସି ପ୍ରସ୍ତାବ ରହିଛି କି?

ଏହି ପ୍ରଶ୍ନର ଉତ୍ତରରେ, ଡ.ଆରୋରା କହିଛନ୍ତି ଯେ ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇ ବୈଜ୍ଞାନିକ ଉପାୟରେ ନିଷ୍ପତ୍ତି ନିଆଯିବ। ‘‘କୋଭିଡ-୧୯ ଏବଂ ଟିକାକରଣ ଅତ୍ୟନ୍ତ ଗତିଶୀଳ। ଆସନ୍ତାକାଲି, ଯଦି ଟିକା ପ୍ଲାଟଫର୍ମ ଦର୍ଶାଏ ଯେ ଏକ ସଂକୁଚିତ ବ୍ୟବଧାନ ଆମ ଲୋକଙ୍କ ପାଇଁ ଉତ୍ତମ, ଏମିତି କି ଯଦି ଏହାର ସୁଫଳ ୫ %-୧୦ % ରହିଥାଏ, ତେବେ କମିଟି ଉପକାରିତା ଓ ଏହାର ଜ୍ଞାନ ଆଧାରରେ ନିଷ୍ପତ୍ତି ଗ୍ରହଣ କରିବ। ଅନ୍ୟପକ୍ଷରେ, ବର୍ତ୍ତମାନର ନିଷ୍ପତ୍ତି ଯଦି ଉତ୍ତମ ପ୍ରମାଣିତ ହୁଏ, ଆମେ ଏହାକୁ ଜାରି ରଖିବୁ।’’ ଶେଷରେ ଆମ ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ‘‘ଏହା ହେଉଛି ସବୁଠୁ ମୁଖ୍ୟ ବିଷୟ ଯାହା ଆମର ଆଲୋଚନା, ନୂଆ ବୈଜ୍ଞାନିକ ପ୍ରମାଣର ସୃଷ୍ଟି ଏବଂ ନିଷ୍ପତ୍ତି ଗ୍ରହଣ ପାଇଁ ମାର୍ଗ ଦର୍ଶାଉଛି’’, ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.