Home ଜିଲ୍ଲା ପରିକ୍ରମା ଏକାଦଶ କୃଷି ଗଣନା – ୨୦୨୧-୨୨ ପାଇଁ ପ୍ରସ୍ତୁତି ଆରମ୍ଭ, ସର୍ଭେ କାର୍ଯ୍ୟ ଜାନୁୟାରୀରୁ ଆରମ୍ଭ...

ଏକାଦଶ କୃଷି ଗଣନା – ୨୦୨୧-୨୨ ପାଇଁ ପ୍ରସ୍ତୁତି ଆରମ୍ଭ, ସର୍ଭେ କାର୍ଯ୍ୟ ଜାନୁୟାରୀରୁ ଆରମ୍ଭ ମାର୍ଚ୍ଚରେ ଶେଷ: ପ୍ରତି ୫ବର୍ଷରେ ଥରେ ହୁଏ ଏହି ସେନସସ୍‌

24

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ, କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ହେବାକୁ ଯାଉଥିବା ଏକାଦଶ କୃଷି ଗଣନା – ୨୦୨୧-୨୨ କାର୍ଯ୍ୟ ପାଇଁ ଗତକାଲି ୧୪-୧୨-୨୨ ବୁଧବାର ସନ୍ଧ୍ୟାରେ ସଦ୍‌ଭାବନା ସଭାଗୃହରେ ସଂପୃକ୍ତ ବିଭାଗୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଯୋଗ ଦେଇଥିଲେ। ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ ସଂସ୍ଥା ଏବଂ ତାର ଅନୁଭାଗ ପରିସଂଖ୍ୟାନ ଶାଖା ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଶୁଭାରମ୍ଭ ହେବାକୁ ଯାଉଥିବା କୃଷି ଗଣନା ର ଆଭିମୁଖ୍ୟ ରୂପରେଖ ସହ ଚଳିତ ବର୍ଷ ପାଇଁ ଏଥିରେ ସାମିଲ ହେବାକୁ ଥିବା ନୂତନ ବିଷୟାବଳୀ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପୁର୍ଣ୍ଣ ହେବାକୁ ଧାର୍ଯ୍ୟ କରାଯାଇଥିବା ସମୟ ଅନୁଯାୟୀ ଚଳିତ ଡି଼ସେମ୍ବର ମାସ ମଧ୍ୟରେ କର୍ମଚାରୀମାନଙ୍କ ତାଲିକା ପ୍ରସ୍ତୁତି ସହ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଶେଷ କରାଯାଇ ଜାନୁୟାରୀ ରୁ କ୍ଷେତ୍ରୀୟ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବା ନେଇ ବୈଠକରେ ସ୍ଥିର କରାଗଲା। ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ର କର୍ମଚାରୀମାନଙ୍କ ସହ କୃଷି ବିଭାଗର ଭି.ଏ.ଡ଼ବ୍ଲ୍ୟୁମାନେ ନିୟୋଜିତ ହେବେ। ରାଜସ୍ୱ ନିରୀକ୍ଷକ ମାନେ ଏହି କାର୍ଯ୍ୟକ୍ରମ ପାଇଁ ସୁପରଭାଇଜର ଭାବେ ଦାୟିତ୍ୱ ବହନ କରିବେ। ସୂଚନା ଯୋଗ୍ୟକି ଜିଲ୍ଲାର ସମସ୍ତ ୧୩୭୪ ଗାଁରେ ଏହି ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହେବ।

ସେଥିପାଇଁ ୯୨ଜଣ କର୍ମଚାରୀ ନିୟୋଜିତ ହେବେ। ପ୍ରକାଶଯୋଗ୍ୟ କି ଉଦାହରଣ ଭାବେ ୨୦% ଗାଁ କୁ ସର୍ଭେ କରାଯାଇ ୧୦ମ କୃଷି ଗଣନା କରାଯାଇଥିବା ବେଳେ ଚଳିତ ଏକାଦଶ କୃଷି ଗଣନାରେ ୧୦୦% ଗାଁକୁ ସର୍ଭେ କରାଯିବ। ଡ଼ିଜିଟାଲ ଭାବେ ମୋବାଇଲ ଆପ୍ ଜରିଆରେ ସମସ୍ତ ସର୍ଭେ କାର୍ଯ୍ୟ ହେବ। ୩ଟି ଦଫାରେ ଡ଼ାଟାବେସ୍ ପ୍ରସ୍ତୁତି ଆଧାରରେ ସମାପିତ ହେବାକୁ ଥିବା ଏହି ଗଣନା କାର୍ଯ୍ୟରେ ଜମିର ମାଲିକାନା, ଜମିର ଆକାର ପ୍ରକାର, କ୍ଷୁଦ୍ର ନାମମାତ୍ର ଚାଷୀ, ବୃହତ ଚାଷୀ, ବ୍ୟକ୍ତିଗତ କୃଷି, ଯୁଗ୍ମ କୃଷି, ଆନୁଷ୍ଠାନିକ କୃଷି, କୃଷି ଯନ୍ତ୍ରପାତି ଉପଯୋଗ, ଜୈବିକ ଓ ରାସାୟନିକ ସାର, ଔଷଧ ଆଦିର ବ୍ୟବହାର, ଜମିର ସଂଖ୍ୟା, ବ୍ୟବହୃତ ଚାଷଜମି, ଫସଲ ତରିକା ଆଦି ଆପ୍‌ରେ ପ୍ରଦତ୍ତ ସୂଚନା ସଂଗ୍ରହ ନିର୍ଦ୍ଦେଶ ଆଧାରରେ ତଥ୍ୟ ସଂଗ୍ରହ କରାଯିବ। ଡ଼ିଜିଟାଲ ମାଧ୍ୟମରେ ଥିବା ଜମିର ରେକର୍ଡ଼କୁ ଏଥିପାଇଁ ବ୍ୟବହାର କାରଯିବ। ସ୍ମାର୍ଟ ଫୋନ୍, ଟାବ୍‌ଲେଟ୍‌, ଲାପଟପ୍ ବା କମ୍ପ୍ୟୁଟର ଜରିଆରେ ଆପ୍ ବା ସଫଟ୍‌ୱାୟାର ମାଧ୍ୟମରେ ସମସ୍ତ ତଥ୍ୟ ପ୍ରସ୍ତୁତ କରାଯିବ। ଏହି ଗଣନା କାର୍ଯ୍ୟର ପରିଚାଳନା ଓ ପ୍ରଗତି ନେଇ ୱେବ୍ ପୋର୍ଟାଲରେ ମଧ୍ୟ ଅପ୍‌ଲୋଡ଼୍ କରାଯିବ। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ସଂସ୍ଥାର ଉପନିର୍ଦ୍ଦେଶକ ମହେଶ ସ୍ୱାଇଁ, ସହକାରୀ ନିର୍ଦ୍ଦେଶକ ପରିସଂଖ୍ୟାନ ଶୈଶବ ଚରଣ ବେହେରା, ସହକାରୀ ନିର୍ଦ୍ଦେଶକ କୃଷି ଶ୍ରୀଧର ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ଶୁଭେନ୍ଦୁ କୁମାର ମିଶ୍ର, ଏ.ଆର.ସି.ଏସ୍‌. ସଦାନନ୍ଦ ବେହେରା ଏବଂ ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ ଅଧିକାରୀ ବିନୋଦ କୁମାର ଜେନା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.