‘ଏନରିଚ୍ ୨୦୧୯’ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ
– ସ୍ଥାୟୀ ଭାବରେ ଉର୍ଜାର ବିକାଶ କରିବା ଭାରତ ସରକାରଙ୍କ ବଡ ପ୍ରାଥମିକତା
– ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ ମୋଦି ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବାପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରୀ ରଖିଛନ୍ତି
– ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା କରିବାପାଇଁ ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟବରାଦ ହୋଇଛି
– ଆଗାମୀ ଦଶକ ମାନଙ୍କରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହେବ
– ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୦୬ (ଓଡ଼ିଆ ପୁଅ) – ଆଗାମୀ ଦିନରେ ଗୋଟିଏ ଦାୟିତ୍ୱସମ୍ପନ୍ନ ଦେଶ ଭାବରେ ଭାରତ ଉର୍ଜା କ୍ଷେତ୍ରରେ ପରିବର୍ତ୍ତନର ରାସ୍ତା ନିଜ ଉପାୟରେ ବାହାର କରିବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏନରିଚ୍ ୨୦୧୯- କେପିଏମଜି ଭାରତର ବାର୍ଷିକ ଉର୍ଜା ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ସ୍ଥାୟୀ ଭାବରେ ଉର୍ଜାର ବିକାଶ କରିବା ଭାରତ ସରକାରଙ୍କ ବଡ ପ୍ରାଥମିକତା ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଭାରତ ଆମେରିକୀୟ ଡଲାରରେ ୫ ଟ୍ରିଲିୟନ ଅର୍ଥନୀତି ହାସଲ କରିବାର ଲକ୍ଷ୍ୟ ରଖିଥିବା ବେଳେ ସଂପ୍ରତି ଦେଶରେ ବ୍ୟବସାୟିକ କାରବାର ଏବଂ ଲୋକଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଉପରେ ଅଧିକ ଯୋର୍ ଦିଆଯାଉଛି। ଦେଶର ଭିତିଭିମିରେ ଅଧିକରୁ ଅଧିକ ପୁଞ୍ଜିନିବେଶ, ଡିଜିଟାଲ୍ ଅର୍ଥନୀତି ଏବଂ ଛୋଟ ଓ ମଧ୍ୟମ ବ୍ୟବସାୟରେ ନିଯୁକ୍ତି ସୃଷ୍ଟି ଦ୍ୱାରା ଭାରତର ଗତିଶୀଳ ଅର୍ଥନୀତି ଆଗକୁ ବଢିପାରିବ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତତ୍ୱରେ ଭାରତ ସରକାର ବ୍ୟବସାୟ କାରବାରରେ ଅନୁକୂଳଯୁକ୍ତ ପରିବେଶ ନିମନ୍ତେ ଗତ ୫ ବର୍ଷରେ ଅନେକ ଗୁଡିଏ ସଂସ୍କାରରେ ସୁଧାର ଆଣିଛନ୍ତି। ଭାରତକୁ କମ୍ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ ମୋଦି ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବାପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରୀ ରଖିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଆଜି ଦିନରେ ଭାରତର ମୁଣ୍ଡପିଛା କାର୍ବନ ଗ୍ୟାସ୍ ନିଗର୍ମନ ବିଶ୍ୱର ହାରାହାରି ହାର ଠାରୁ କମ୍ ରହିଛି। ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା କରିବାପାଇଁ ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍ ଭିତିଭୂମି ଯଥା ଗ୍ୟାସ୍ ପାଇପ୍ ଲାଇନ୍, ଟର୍ମିନାଲ, ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର୍ଯ୍ୟ କ୍ରିୟାନ୍ୱୟନ ଚାଲିଛି। ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବାପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦଶକ ମାନଙ୍କରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହେବ। ସେହିପରି ଦେଶର ଜୈବ ଇନ୍ଧନ ଉପରେ ଆଲୋକପାତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ କୃଷି ବର୍ଜ୍ୟବସ୍ତୁ ଏବଂ ସହରର ଆବର୍ଜନାରୁ ବିଭିନ୍ନ ପ୍ରକାର ଜୈବ ଇନ୍ଧନ ଉତ୍ପନ୍ନ ହୋଇପାରିବା ନେଇ ଆମର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।