ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣର ଅନ୍ତ କେବେ! ଏପରି ପ୍ରଶ୍ନ ଜିଲାର ପ୍ରତ୍ୟେକ ଉପଭୋକ୍ତାଙ୍କ ମଧ୍ୟରେ ଉଠୁଛି । ଏହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରେ ମିଟର ରିଡିଂ, ଅଘୋଷିତ ବିଦ୍ୟୁତ୍ କାଟ, ଏପରିକି ଦୀର୍ଘବର୍ଷ ଧରି ମିଟର ଭଡା ଦେବା ଆଦି ସମସ୍ୟାକୁ ନେଇ ଅସନ୍ତୋଷ ଘନୀଭୂତ ହେଉଛି । ବିଦ୍ୟୁତ୍ ପରି ଏକ ଅତ୍ୟାବଶ୍ୟକୀୟ ସେବାକୁ ନେଇ ସାଧାରଣ ଲୋକଙ୍କ ଉଦ୍ବେଗ ବୁଝିବା ଦିଗରେ ପ୍ରାୟ ସମସ୍ତ ରାଜନୈତିକ ଦଳ ଅଖଣ୍ଡ ନୀରବତା ଅବଲମ୍ବନ କରି ଚାଲିଛନ୍ତି । କିଛିଦିନ ପୂର୍ବେ ବିଜେପି ଓ ସିପିଆଇଏମ୍ ପକ୍ଷରୁ ନିମ୍ନମାନର ବିଦ୍ୟୁତ୍ ସେବା ଓ ବର୍ଦ୍ଧିତ ବିଲ୍କୁ ନେଇ ପ୍ରତିବାଦ କରାଯାଇଥିଲା । ତେବେ ଏହି ଦୁଇ ଦଳର ପ୍ରତିବାଦ କେବଳ ସ୍ମାରକପତ୍ର ପ୍ରଦାନରେ ଅଟକି ଯାଇଛି । ଉପଭୋକ୍ତାମାନେ ପୂର୍ବବତ୍ ବିଦ୍ୟୁତ୍ ଯନ୍ତ୍ରଣା ଭୋଗି ଚାଲିଛନ୍ତି । ସୂଚନା ଅନୁଯାୟୀ, ଭଦ୍ରକ ଜିଲାରେ ୧ ଲକ୍ଷ ୮୪ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । କଂପାନୀର ନର୍ଥ ଡିଭିଜନରେ ପାଖାପାଖି ୧ ଲକ୍ଷ ୪୦ ହଜାର ଓ ସାଉଥ୍ ଡିଭିଜନରେ ୪୪ ହଜାରରୁ ଉର୍ଦ୍ଧ୍ୱ ଉପଭୋକ୍ତା ରହିଛନ୍ତି । ତେବେ ଏ ସମସ୍ତ ଉପଭୋକ୍ତାଙ୍କ ଘରେ ୟୁନିଟ୍ ରିଡିଂ ପାଇଁ ବିଦ୍ୟୁତ୍ ମିଟର ଲାଗିଛି । କେତେକ ଉପଭୋକ୍ତା ନିଜେ ଏହାକୁ କ୍ରୟ କରିଥିବାବେଳେ ଆଉ କେତେକଙ୍କୁ କଂପାନୀ ପକ୍ଷରୁ ମିଟର ଯୋଗାଇ ଦିଆଯାଇଛି । ଏଥିନିମନ୍ତେ ବିଦ୍ୟୁତ୍ ବିତରଣ କଂପାନୀ ମାସିକ ୪୦ ଟଙ୍କା ଭଡା ସୂତ୍ରରେ ଉପଭୋକ୍ତାଙ୍କ ଠାରୁ ଆଦାୟ କରୁଛି । ତେବେ ଏହି ମିଟର ଭଡା ଜଣେ ଉପଭୋକ୍ତା କେତେଦିନ ଯାଏ ଦେବ ଓ କେତେ ପରିମାଣର ଟଙ୍କା ଦେବ, ସେ ସଂପର୍କରେ ଉପଭୋକ୍ତା ଜାଣି ପାରୁନାହାଁନ୍ତି । ଜଣେ ଜଣେ ଉପଭୋକ୍ତା୧୫ ବର୍ଷ ଧରି ମିଟର ଭଡା ଦେଇ ଚାଳିଛନ୍ତି ।
ଅର୍ଥାତ୍ ଗୋଟିଏ ମିଟର ଦାମ ୧ ହଜାରରୁ ଦେଢ ହଜାର ମଧ୍ୟରେ ହୋଇଥିବାବେଳେ ଉପଭୋକ୍ତା ୧୫ ବର୍ଷ ମଧ୍ୟରେ ପାଖାପାଖି ୮ ହଜାର ଟଙ୍କା ପୈଠ କରି ସାରିଲେଶରି । ତେଣୁ ନେସ୍କୋ ବିଦ୍ୟୁତ୍ ବିତରଣ ଦାୟିତ୍ୱରୁ ବିଦା ହେବା ପରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଟାଟା ପାୱାର ମଧ୍ୟ ଏହି ଭଡା ଆଦାୟ କରି ଚାଲିଛି । ସେହିପରି ଟାଟା ପାୱାର ବିତରଣ ଦାୟିତ୍ୱ ନେବା ପରଠାରୁ ମିଟର ରିଡିଂ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖରେ ହେଉନି । ଗୋଟିଏ ମାସ ଯଦି ରିଡିଂ ୧୪ ତାରିଖ ନିଆଗଲା, ପରବର୍ତ୍ତୀ ମାସ ଏହା ୨୨ ତାରିଖ ହୋଇଯାଉଛି । ପ୍ରତ୍ୟେକ ମାସ ମିଟର ରିଡିଂ ତାରିଖକୁ ନେଇ ବିଭ୍ରାଟ ଦେଖିବାକୁ ମିଳୁଛି । କାରଣ ବିଳମ୍ବରେ ବିଲ୍ ହେବାର ୟୁନିଟ୍ ବଢୁଛି ଓ କଂପାନୀର ନିୟମାନୁଯାୟୀ ସ୍ଲାବ୍ ଅନୁସାରେ ଉପଭୋକ୍ତାଙ୍କୁ ବହୁ ଅଧିକ ଅର୍ଥ ଦେବାକୁ ପଡୁଛି । ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଗଲେ ମଧ୍ୟ କିଛି ଫଳ ମିଳୁନି । ରିଡିଂ ନେବାକୁ ଆସୁଥିବା କର୍ମଚାରୀ ମଧ୍ୟ ଉପଭୋକ୍ତାଙ୍କ ଏ ସଂପର୍କିତ ପ୍ରା୍ନର ଉତ୍ତର ଦେଇ ପାରୁନାହାଁନ୍ତି । ଗୋଟେ ପଟେ ବିଦ୍ୟୁତ୍ ବିଲ୍ର ଦର ବୃଦ୍ଧି ଓ ଅନ୍ୟପଟେ ବିଳମ୍ବରେ ମିଟର ରିଡିଂ ନେଇ ବର୍ଦ୍ଧିତ ସ୍ଲାବ୍ରେ ବିଲିଂ କରିବା ଦ୍ୱାରା ଉପଭୋକ୍ତାଙ୍କୁ ଶୋଷଣ ଚରମ ସୀମାରେ ପହଞ୍ôଚଛି । ଏସବୁ ପରେ ଅଘୋଷିତ ବିଦ୍ୟୁତ୍ କାଟ, ବିଦ୍ୟୁତ୍ କାଟକୁ ନେଇ ପ୍ରାକ୍ ସୂଚନା ରହୁନି । ତେବେ ସଂପୃକ୍ତ ବିତରଣକାରୀ ସଂସ୍ଥାର ଏପରି ମନମାନୀ ବିରୋଧରେ ତୀବ୍ର ଜନ ଅସନ୍ତୋଷ ରହୁଥିଲେ ମଧ୍ୟ ଜନସାଧାରଣଙ୍କ ଟିକସରେ ଇନଭର୍ଟର ଓ ଡିଜି ସେଟ୍ ଦ୍ୱାରା କୃତ୍ରିମ ବିଦ୍ୟୁତ୍ ସେବା ପାଉଥିବା ଜିଲାର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଓ ରାଜନେତାମାନେ ନୀରବ ବସୁଛନ୍ତି । ଯାହାକି ପରୋକ୍ଷରେ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ସ୍ୱେଚ୍ଛାଚାରିତାକୁ ପ୍ରୋତ୍ସାହିତ କରୁଛି । ଖୁବଶୀଘ୍ର କଂଗ୍ରେସ ପକ୍ଷରୁ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ଏପରି ସ୍ୱେଚ୍ଛାଚାରିତା ବିରୋଧରେ ସାଲିସ୍ ବିହୀନ ଆନ୍ଦୋଳନ ଆରମ୍ଭ ହେବ ବୋଲି ଜିଲା ସଭାପତି ସୁବ୍ରତ ଦାସ ଚେତାବନୀ ଦେଇଛନ୍ତି ।