ଆଜିକାଲି ଦୁନିଆରେ ସମ୍ପର୍କର ମାନେ କିଛି ନାହିଁ, ଟଙ୍କା ନାହିଁ ତ କିଛି ନାହିଁ। ଟଙ୍କା ପାଇଁ ଅନେକ ମଣିଷତ୍ୱ ହରାଉଛନ୍ତି। ସାମାଜିକ ଜୀବନରେ ଟଙ୍କା ଯେମିତି ସମ୍ପର୍କକୁ ବାନ୍ଧି ରଖିଛି। ପିଲାଙ୍କର ଟଙ୍କା ଦରକାର ହୁଏ ଯଦି ଠିକ୍ ସମୟରେ ଦିଆନଯାଏ ତେବେ ସେମାନେ କୁହନ୍ତି, ସେ ରଙ୍କ ବାପାର ଅଛି, ବାଙ୍କ ବାପାର ଅଛି, ତମେ ଖାଲି କହୁଛ ନାହିଁ ନାହିଁ। ଧର୍ମପତ୍ନୀ ଙ୍କର ଘର ଚଲେଇବା ପାଇଁ ଟଙ୍କା ଦରକାର, ଠିକ୍ ସମୟରେ ନଦେଲେ ଘରେ ବିଶୃଙ୍ଖଳା। ଭାଇ-ବନ୍ଧୁଙ୍କର ଦରକାର ନଦେଲେ ସମ୍ପର୍କ ରହୁନି। ସାଙ୍ଗସାଥିଙ୍କର ଦରକାର ନଦେଲେ ଶୁଣିବାକୁ ମିଳେ ଗାଳି। ଆଉ କିଏ କେମିତି ମାଗନ୍ତି ଟଙ୍କା, ନଦେଇପାରିଲେ ମୁହଁ ହେଇଯାଏ ବଙ୍କା। ସମସ୍ତଙ୍କୁ ଟଙ୍କା ଦେଇ ଖୁସି କରିବା ଅସମ୍ଭବ କିନ୍ତୁ ଘର କଥାକୁ ତ ବୁଝିବାକୁ ପଡିବ। ଧର୍ମପତ୍ନୀଙ୍କର ଯାହା ଇଛା ତାକୁ ପୁରଣ କରିବା ସମ୍ଭବ ହେଉ ନାହିଁ। ତାଙ୍କର ଆଧୁନିକ ଯୁଗ ସହିତ ତାଳ ଦେଇ ଚାଲିବାକୁ ପ୍ରବଳ ଇଛା, ହେଲେ ଟଙ୍କା ଥିଲେ ତ ? ଗୋଟେ ଦିନର କଥା ଧର୍ମପତ୍ନୀ କହିଲେ ତମ ପାଖରେ କେତେବେଳେ ଟଙ୍କା ନାହିଁ, କିଏ କେତେ ବିଳାସବ୍ୟସନରେ ଦିନ କାଟୁଛନ୍ତି ହେଲେ ଆମ ଭାଗ୍ୟରେ କିଛି ନାହିଁ, ଯାହା କହିଲେ ତମେ ସବୁ ମନା କରୁଛ। ସର୍ବଗିଳା ବାବୁଙ୍କୁ ଦେଖ, ସେ କେମିତି ସବୁଥିରେ ଆଗରେ, କେତେ ଖୁସିରେ ପରିବାରକୁ ରଖିଛନ୍ତି, ଅଭାବ ବୋଲି ଶବ୍ଦ ତାଙ୍କ ପାଟିରୁ କେବେ ଶୁଣିବାକୁ ମିଳେନି, ଯୁଗ ସହିତ ତାଳ ଦେଇ ଚାଲିଛନ୍ତି, ତାଙ୍କ ଘରେ କ’ଣ ନାହିଁ ? ଆମ ଘରେ କ’ଣ ଅଛି ? ସବୁବେଳେ ଧର୍ମପତ୍ନୀଙ୍କର ଏମିତିକା କଥା ଗୁଡା ଶୁଣି ଶୁଣି ବିରକ୍ତ ଲାଗିଲାଣି। ତେଣୁ କହିଲି ହଁ ସର୍ବଗିଳା ବାବୁ ସବୁଥିରେ ଆଗରେ, ସେ ଆଧୁନିକ ଯୁଗ ସହିତ ତାଳ ଦେଇ ଚାଲୁ ନାହାନ୍ତି ସେ ଆଧୁନିକ ଯୁଗ ଠାରୁ ବି ଆଗେଇଯାଇଛନ୍ତି, ସେ ତାଙ୍କର ପରିବାରକୁ ଖୁସିରେ ରଖିଛନ୍ତି ଆଉ ମୁଁ ପାରୁନି। ସର୍ବଗିଳା କେମିତି ରୋଜଗାର କରୁଛି ଆମର ଜାଣିବା ଆବଶ୍ୟକ ନାହିଁ କି ପର ବିଷୟରେ ଚର୍ଚ୍ଚା କରି ସମୟ ନଷ୍ଟ କରିବାକୁ ମୋର ଇଛା ନାହିଁ। ହଇ ହେ, ତମେ କ’ଣ ଭାବୁଛ ବିଳାସବ୍ୟସନରେ ରହିବା ପାଇଁ ମୁଁ ଚୋରି କରିବି ନା ଦୁର୍ନୀତି କରି ଟଙ୍କା ରୋଜଗାର କରିବି ? ଧନସମ୍ପଦ ସୁଖପ୍ରାପ୍ତିର କାରଣ ହୋଇପାରେ। କିନ୍ତୁ ଧନ ଅର୍ଜନ ନୈତିକ ମୂଲ୍ୟବୋଧ ଆଧାରକୁ ନେଇ ହେବା ଆବଶ୍ୟକ। ସତ୍ ଉପାୟରେ ଅର୍ଜିତ ଧନ ପ୍ରକୃତ ସୁଖ ପ୍ରଦାନ କରିଥାଏ। ଅନୈତିକ ଉପାୟରେ ଅର୍ଜିତ ଧନ ସମସ୍ତ ଅଶାନ୍ତିକୁ ଆମନ୍ତ୍ରଣ କରିଥାଏ। ତମେ ଭଲ କରି ଟିଭି ଦେଖ, ଖବରକାଗଜ ପଢ ତାହେଲେ ଜାଣିପାରିବ ଯେଉଁମାନେ ଦୁର୍ନୀତରେ ଜଡିତ, ସେମାନଙ୍କ ଅବସ୍ଥା କ’ଣ ହେଉଛି ? ନିଜର ମାନ ସମ୍ମାନ ହରାଉଛନ୍ତି, ଲୋକେ ଛି ଛାକର କରୁଛନ୍ତି। ଗୋଟେ ଭଲ ମଣିଷର ଉଦେଶ୍ୟ ସବୁବେଳେ ସମ୍ମାନର ସହ ବଞ୍ଚିବାକୁ ପ୍ରାଥମିକତା ଦେବା ଓ ଦୁର୍ନୀତି ଠାରୁ ଦୁରେଇ ରହିବା। ଭଲରେ ବଞ୍ଚିବା ପାଇଁ ଚାରିଗୋଟି ମୌଳିକ ଆବଶ୍ୟକତା ଅଛି ଯଥା ଅନ୍ନ, ବସ୍ତ୍ର, ବାସଗୃହ ଓ ଚିକିତ୍ସା, ଏହି ଚାରିଗୋଟି ଆବଶ୍ୟକତାକୁ ମୁଁ ଯଥା ସମ୍ଭବ ପୂରଣ କରିବାକୁ ଚେଷ୍ଟା କରିଥାଏ ଯାହାକି ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ଆଧୁନିକ ଯୁଗ ସହିତ ତାଳ ଦେଇ ପଶ୍ଚ୍ୟତ ସଭ୍ୟତାକୁ ଅନୁକରଣ କରି ଟଙ୍କା ଖର୍ଚ କରିବାକୁ ମୋର ସମ୍ଭଳ ନାହିଁ। ଏ ବିଷୟରେ କାହାକୁ ଅନୁକରଣ କରି ବଞ୍ଚିବାର ଅଭିଳାଷ ଠାରୁ ଯେତେ ଦୁରେଇ ରହିବା ସେତେ ଆମ ପାଇଁ ଭଲ ହେବ। ଏତିକି ଶୁଣିଲା ପରେ ଧର୍ମପତ୍ନୀ ନରମ ଗଳାରେ କହିଲେ, ମୁଁ କ’ଣ କହୁଛିକି ଦୁର୍ନୀତି କରି ଟଙ୍କା ରୋଜଗାର କର, ମୁଁ କହୁଥିଲି ସର୍ବଗିଳା ବାବୁଙ୍କର କିଛି ଅଭାବ ନାହିଁ, ପୁଣି ଧର୍ମପତ୍ନୀଙ୍କର ସେହି ପୁରୁଣା କଥା, ଖାଲି ସର୍ବଗିଳା ସର୍ବଗିଳା …… ବିରକ୍ତିର ସହିତ କହିଲି କାହା ସହିତ ଆମକୁ ତୁଳନା କର ନାହିଁ, ଆମେ ଭଲରେ ଅଛେ, କେତେ ଦୟନୀୟ ଅବସ୍ଥାରେ ଲୋକେ ଅଛନ୍ତି ଭଲରେ ଖାଇବାକୁ ପାଉନାହାନ୍ତି, ସେମାନଙ୍କ କଥା କେତେ ଥର ଚିନ୍ତା କରିଛ ? ସେମାନଙ୍କୁ ଆମ ସହିତ କେବେ ତୁଳନା କରିଛ କି ? ମୁଁ ଜାଣିଛି ସବୁ କାମରେ ଟଙ୍କାର ଆବଶ୍ୟକତା ଅଛି କିନ୍ତୁ ଖୁସିରେ ରହିବା ପାଇଁ ହେଲେ ତୁମେ ତୁମର ମାନସିକତାକୁ ପରିବର୍ତ୍ତନ କରିବାକୁ ପଡିବ। ଏମିତି ଚିନ୍ତାଧାରା ରହିଲେ, ଯେତେ ଟଙ୍କା ହେଲେ ବି ତୁମେ ଖୁସି ପାଇବ ନାହିଁ। ମଣିଷର ଇଚ୍ଛା ଅସୀମିତ କିନ୍ତୁ ପ୍ରତ୍ୟେକ ଇଚ୍ଛାର ଏକ ସୀମା ରହିବା ଆବଶ୍ୟକ ଯଦି ତୁମର ଇଛା ସୀମିତ ନୁହେଁ ତୁମର ଦୁଃଖ କେମିତି ସୀମିତ ରହିବ ?
ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା