ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପାଟ୍ରୋଲିଂ ପୁଲିସ ଦ୍ୱାରା ଗତ ୮ ତାରିଖ ଶୁକ୍ରବାର ରାତ୍ର ୧୨ଟା ସମୟରେ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଅଜଣା ଆହତ ବୃଦ୍ଧାଙ୍କ ପରିଚୟ ମିଳିପାରୁନଥିବାରୁ ମେଡିକାଲ କତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି । ଆହତ ବୃଦ୍ଧାଙ୍କ ବୟସ ଆନୁମାନିକ ୭୦ ରୁ ୭୨ ମଧ୍ୟରେ ହେବ ବୋଲି କୁହାଯାଉଛି । ତାଙ୍କ ବାମହାତ, ଜଙ୍ଘ ଓ ମୁଣ୍ଡରେ ଆଘାତ ଲାଗିଥିଲା । ପାଟ୍ରୋଲିଂ ପୁଲିସ ରାଜପଥରେ ଆହତ ଅବସ୍ଥାରେ ପଡିଥିବା ସଂପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ସ୍ଥାନୀୟ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲ୍ବଧ ଚିକିତ୍ସା ତାଙ୍କୁ ଯୋଗାଇ ଦିଆଯାଉଛି । ମାତ୍ର ମୁଣ୍ଡର ସ୍କାନିଂ ସହ ବାମହାତ ଏକ୍ସ-ରେ କରାଯିବା ଆବଶ୍ୟକତା ଅନୁଭବ କରାଯାଉଛି । ଏହି ସୁବିଧା ଏଠାରେ ଉପଲ୍ବଧ ନାହିଁ । ଅନ୍ୟପକ୍ଷରେ ଆହତଙ୍କ ସେବା ଶୁଶ୍ରୁଷା ପାଇଁ ଆତ୍ମୀୟ ଲୋକଙ୍କ ଆବଶ୍ୟକତା ରହିଛି । ମହିଳା ଜଣକ ବାଚାଳ ହେଉଥିବା ମେଡିକାଲ କତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଅସ୍ପଷ୍ଟ ଭାଷାରେ ବାପଘର ‘ଚାକୁନ୍ଦିଆ’ ଗ୍ରାମ ଓ ଶାଶୁଘର ‘ବ୍ରାହ୍ମଣକଳା’ ବୋଲି କେବଳ ଉଚ୍ଚାରଣ କରୁଛନ୍ତି । ସ୍ୱାମୀ, ପୁତ୍ର ଅଥବା ଅନ୍ୟକେହି ଆତ୍ମୀୟଙ୍କ ନାମ ପ୍ରକାଶ କରିପାରୁନଥିବା ଜଣାଯାଇଛି । ଅନ୍ୟପକ୍ଷରେ ପୁଲିସ ମେଡିକାଲରେ ଆହତ ମହିଳାଙ୍କୁ ଛାଡିଦେଇ ନୀରବଦ୍ରଷ୍ଟା ସାଜିଛି । ମହିଳାଙ୍କ ପରିଚୟ ଉନ୍ମୋଚନ ପାଇଁ ପୁଲିସ କୌଣସି ପଦକ୍ଷେପ ନେଇନଥିବା ବେଳେ ଅପରିଚିତ ମହିଳାଙ୍କ ଆବଶ୍ୟକ ଅଧିକ ଚିକିତ୍ସା କରାଯିବା ନେଇ ମେଡିକାଲ କତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି ।








